ଭୁବନେଶ୍ୱର,୦୬/୦୮: ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ପାଇଁ ୧୦୦  ଏମ୍‌ବିବିଏସ୍‌ ସିଟ୍‌ ଏବଂ ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ସିଟ୍‌ରେ ନାମଲେଖା  ପାଇଁ ଅନୁମତି ମିଳୁ । ଦିଲ୍ଳୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ଜେପି ନଡ୍ଡାଙ୍କୁ ଭେଟି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ  ମହାଲିଙ୍ଗ ଏହି ଅନୁରୋଧ କରିଛନ୍ତି ।  

ଏହି ଦୁଇ ଶହ ସିଟ୍‌ରେ ୨୦୨୫-୨୬  ଶିକ୍ଷାବର୍ଷରେ ନାମଲେଖା ପାଇଁ ଅନୁମତି ଦେବାକୁ  ଡ. ମହାଲିଙ୍ଗ କହିଛନ୍ତି । ଏହି ଦୁଇ ମେଡିକାଲ କଲେଜ ନୂଆ କରି ପ୍ରତିଷ୍ଠା ହୋଇଛି । ଏହି ଦୁଇ ଅନୁଷ୍ଠାନର ଡିନ୍‌ ଓ ପ୍ରିନ୍ସିପାଲମାନେ ଅନୁମତିପତ୍ର  ପାଇଁ ୧୮ ଜାନୁଆରୀ ୨୦୨୫ରେ ନ୍ୟାସନାଲ  ମେଡିକାଲ କମିଶନ (ଏନ୍‌ଏମ୍‌ସି) ପୋର୍ଟାଲରେ  ଆବେଦନ କରିଥିଲେ । ଏନ୍‌ଏମ୍‌ସି ଟିମ୍‌ ୨୩ ଜୁନ  ୨୦୨୫ରେ ପବିତ୍ର ମୋହନ ପ୍ରଧାନ ମେଡିକାଲ  କଲେଜ ଓ ୨୮ ମେ ୨୦୨୫ରେ ସରକାରୀ ମେଡିକାଲ  କଲେଜ ଫୁଲବାଣୀକୁ ପରିଦର୍ଶନ କରିଥିଲେ । 

ରାଜ୍ୟ  ସରକାର ଏହି ଦୁଇ ଅନୁଷ୍ଠାନ ପାଇଁ ଚିକିତ୍ସା ଓ ଶିକ୍ଷା  କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟ  ବଜେଟ୍‌ରେ ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ବରାଦ  ହୋଇଛି । ତେବେ ଅନୁମତି ପତ୍ର ମିଳିବା ପରେ  ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଆଉ ଦୁଇଟି କଲେଜ  ଯୋଡି ହେବ । ୧୪ଟି ସରକାରୀ କଲେଜରୁ ବଢି ୧୬  ସରକାରୀ ମେଡିକାଲ କଲେଜ ହେବା ସହ ମୋଟ  ସିଟ୍‌ ବଢ଼ି ୧୮୦୦ ହେବ । ଏହି ଅବସରରେ ଡ.  ମହାଲିଙ୍ଗ ଶ୍ରୀ ନଡ୍ଡାଙ୍କ ସହ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ  ଉନ୍ନତତର କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି ।  

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତୀଙ୍କୁ ଭେଟିବା ସମୟରେ  ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ,  କଟକ ସାଂସଦ ଭର୍ତ୍ତୃହରି ମହତାବ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ କନ୍ଧମାଳ ସାଂସଦ  ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।