ଭୁବନେଶ୍ୱର,୦୬/୦୮: ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ପାଇଁ ୧୦୦ ଏମ୍ବିବିଏସ୍ ସିଟ୍ ଏବଂ ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ସିଟ୍ରେ ନାମଲେଖା ପାଇଁ ଅନୁମତି ମିଳୁ । ଦିଲ୍ଳୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ଅନୁରୋଧ କରିଛନ୍ତି ।
ଏହି ଦୁଇ ଶହ ସିଟ୍ରେ ୨୦୨୫-୨୬ ଶିକ୍ଷାବର୍ଷରେ ନାମଲେଖା ପାଇଁ ଅନୁମତି ଦେବାକୁ ଡ. ମହାଲିଙ୍ଗ କହିଛନ୍ତି । ଏହି ଦୁଇ ମେଡିକାଲ କଲେଜ ନୂଆ କରି ପ୍ରତିଷ୍ଠା ହୋଇଛି । ଏହି ଦୁଇ ଅନୁଷ୍ଠାନର ଡିନ୍ ଓ ପ୍ରିନ୍ସିପାଲମାନେ ଅନୁମତିପତ୍ର ପାଇଁ ୧୮ ଜାନୁଆରୀ ୨୦୨୫ରେ ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି) ପୋର୍ଟାଲରେ ଆବେଦନ କରିଥିଲେ । ଏନ୍ଏମ୍ସି ଟିମ୍ ୨୩ ଜୁନ ୨୦୨୫ରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ୨୮ ମେ ୨୦୨୫ରେ ସରକାରୀ ମେଡିକାଲ କଲେଜ ଫୁଲବାଣୀକୁ ପରିଦର୍ଶନ କରିଥିଲେ ।
ରାଜ୍ୟ ସରକାର ଏହି ଦୁଇ ଅନୁଷ୍ଠାନ ପାଇଁ ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟ ବଜେଟ୍ରେ ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ବରାଦ ହୋଇଛି । ତେବେ ଅନୁମତି ପତ୍ର ମିଳିବା ପରେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଆଉ ଦୁଇଟି କଲେଜ ଯୋଡି ହେବ । ୧୪ଟି ସରକାରୀ କଲେଜରୁ ବଢି ୧୬ ସରକାରୀ ମେଡିକାଲ କଲେଜ ହେବା ସହ ମୋଟ ସିଟ୍ ବଢ଼ି ୧୮୦୦ ହେବ । ଏହି ଅବସରରେ ଡ. ମହାଲିଙ୍ଗ ଶ୍ରୀ ନଡ୍ଡାଙ୍କ ସହ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଉନ୍ନତତର କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତୀଙ୍କୁ ଭେଟିବା ସମୟରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।