କଟକ,୦୪/୦୭: କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC । ଥାନା କ୍ୱାର୍ଟର୍ସରୁ ମିଳିଲା ମହିଳା IICଙ୍କ ଝୁଲନ୍ତା ମୃତଦେହ। କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବ୍ୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚାଞ୍ଚଲ୍ୟ ଖେଳିଯାଇଛି। ମହିଳା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା, ଏହା ପଛରେ କ'ଣ କାରଣ ରହିପାରେ, ତମାମ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବ ପୁଲିସ। ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବାସ୍ତବିକ ମୃତ୍ୟୁ ପଛର ରହସ୍ୟ କ'ଣ?
ଘଟଣାସ୍ଥଳରେ ପୁଲିସ କମିଶନର ପହଞ୍ଚି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। କମିଶନର କହିଛନ୍ତି,'କୌଣସି ବ୍ୟକ୍ତିଗତ କାରଣରୁ ମହିଳା ଆଇଆଇସି ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଅତିରିକ୍ତ ଡିସିପି ମଧ୍ୟ କହିଛନ୍ତି ଯେ,'ଗତକାଲି ଦିନ ତମାମ ଆଇଆଇସି ବ୍ୟୁଟି ମହାନ୍ତି ସ୍ବାଭାବିକ ଭାବେ ଡ୍ୟୁଟି କରିଥିଲେ, ରାତି ପ୍ରାୟ ସାଢ଼େ ୧୦ ଟା ବେଳେ ସେ ତାଙ୍କର ବିଶ୍ରାମ କକ୍ଷକୁ ଯାଇଥିଲେ।
କିନ୍ତୁ ଆଜି ସକାଳେ ସେ ଯେତେବେଳେ ତାଙ୍କ କବାଟ ଖୋଲି ନଥିଲେ ସେତେବେଳେ ତାଙ୍କୁ ଫୋନ୍ କରାଯାଇଥିଲା, କିନ୍ତୁ ସେ ଫୋନ୍ ଉଠାଇନଥିଲେ। ଫଳରେ ସନ୍ଦେହ ହେବାରୁ ପୁଲିସ କର୍ମଚାରୀମାନେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ଆଇଆଇସିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।