କଟକ,୩୧/୧୨: ସାମଗ୍ରୀ ଯୋଗାଣ ବାବଦ ମାତ୍ର ୧୫ଲକ୍ଷ  ଟଙ୍କା ପ୍ରଦାନ ନକରିବାରୁ ପାରାଦୀପ ବନ୍ଦରରେ ଥିବା ଏକ ଜାହାଜକୁ  ଗିରଫ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚୁକ୍ତି ମୁତାବକ ଅର୍ଥ  ନପାଇବାରୁ ଏମ୍‌.ଏଚ୍‌ ବ୍ଲାଣ୍ଡ୍‌ ଏସ୍‌. ଏଲ୍‌ ନାମକ ଏକ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟର  ଅବକାଶକାଳୀନ ବିଚାରପତି ଜଷ୍ଟିସ୍‌  ଏମ୍‌.ଏସ୍‌. ରମଣ ମାମଲାର ଶୁଣାଣି  କରି ୧୫ ଲକ୍ଷ ଟଙ୍କା ଦେଇନଥିବାରୁ  ୫୦ କୋଟିରୁ ଅଧିକ ମୂଲ୍ୟର ଏହି ଜାହାଜକୁ ଗିରଫ କରି ପାରାଦୀପରେ  ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।   

ଆବେଦନକାରୀ ଅଦାଲତଙ୍କ  ଏହି ଆଦେଶକୁ ଫ୍ୟାକ୍ସ, ଇ-ମେଲ୍‌  କିମ୍ବା ନିଜ ହାତରେ ଜାହାଜ କର୍ତ୍ତୃପକ୍ଷଙ୍କୁ  ପ୍ରଦାନ କରିପାରିବେ । ଆହୁରି ମଧ୍ୟ  ଆବେଦନକାରୀ ନିଜେ ୱାରେଣ୍ଟ  ଆରେଷ୍ଟକୁ ମଧ୍ୟ ପ୍ରଦାନ କରିପାରିବେ  ବୋଲି ହାଇକୋର୍ଟ ତାଙ୍କ ଆଦେଶରେ  ଉଲ୍ଲେଖ କରିଛନ୍ତି । ଏଥିସହ ହାଇକୋର୍ଟ  ଗିରଫ ଜାହାଜ ଏମ୍‌ଭି ପର୍ପଲ୍‌  ଫର୍ଚୁନ୍‌(ଆଇଏମ୍‌ଓ-୯୫୦୦୬୯୯) ର ମାଲିକଙ୍କୁ ଜବାବ ରଖିବା ଲାଗି  ନୋଟିସ୍‌ ଜାରି କରିଛନ୍ତି । ମାମଲାର  ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ  ୨ ତାରିଖ ପରେ କରାଯିବ ।   

ଏମ୍‌.ଏଚ୍‌ ବ୍ଲାଣ୍ଡ୍‌ ଏସ୍‌.ଏଲ୍‌ ପକ୍ଷରୁ  ରୁଜୁ ଏହି ମାମଲାକୁ ଆଜି ତ୍ୱରିତ  ଭାବେ ଗ୍ରହଣ କରି ବିଚାର କରିବାକୁ  ପ୍ରାର୍ଥନା କରାଯାଇଥିଲା । ଆବେଦନକାରୀ  ସଂସ୍ଥା ଦର୍ଶାଇଥିଲେ ଯେ, ଯଦି ଆଜି  ଏହି ମାମଲା ବିଚାର ପାଇଁ ଗ୍ରହଣ  ନହୁଏ ତାହେଲେ ଆସନ୍ତାକାଲି ସକାଳ ୬ଟାରେ ଏହି ଜାହାଜ ପାରାଦୀପ  ବନ୍ଦର ଛାଡ଼ି ଚାଲିଯିବ । ତେଣୁ  ଆସନ୍ତା ୨ ତାରିଖ ଅଦାଲତ ଖୋଲିବା  ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ପାଇଁ  ଅପେକ୍ଷା କରିହେବ ନାହିଁ । ଫଳରେ ସୋମବାର ଅବକାଶକାଳୀନ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଥିଲା ।  

ଏଥିରେ ଏମ୍‌.ଏଚ୍‌ ବ୍ଲାଣ୍ଡ୍‌ ଏସ୍‌ଏଲ୍‌  ପକ୍ଷରୁ ଦର୍ଶାଯାଇଥିଲା ଯେ, ଏହି  ଜାହାଜର କମ୍ପାନୀ ପକ୍ଷରୁ ଅନୁରୋଧ  କ୍ରମେ ଆବେଦନକାରୀ ସଂସ୍ଥା କିଛି ସାମଗ୍ରୀ ଯୋଗାଣ କରିଥିଲେ । କିନ୍ତୁ  ଜାହାଜ କର୍ତ୍ତୃପକ୍ଷ ଧାର୍ଯ୍ୟ ଅର୍ଥ ପ୍ରଦାନ  କରିନଥିଲେ । ଫଳରେ ଆବେଦନକାରୀ  ସଂସ୍ଥା ମୂଳ ସହ ସୁଧ ଏବଂ ମାମଲା  ପରିଚାଳନା ଖର୍ଚ୍ଚକୁ ମିଶାଇ ୧୫ଲକ୍ଷ  ଟଙ୍କାର କ୍ଷତିପୂରଣ ରାଶି ପ୍ରାର୍ଥନା କରି  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ହାଇକୋର୍ଟ ଏହି ମାମଲାର ଶୁଣାଣି  ଅବସରରେ କହିଛନ୍ତି ଯେ, ଯଦି ଥରେ  ଏହି ଜାହାଜ ପାରାଦୀପ ବନ୍ଦର ଛାଡ଼ିଦିଏ  ତାହେଲେ ଏହି ମାମଲାର ଆଉ କୌଣସି  ଗୁରୁତ୍ୱ ରହିବ ନାହିଁ । ଅନ୍ୟପକ୍ଷରେ  ଆବେଦନକାରୀ ସଂସ୍ଥା ଅଭିଯୋଗର  ପ୍ରାଥମିକ ପ୍ରମାଣ ଥିବାରୁ ଜାହାଜକୁ ତୁରନ୍ତ ଗିରଫ ପାଇଁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ  ସଂସ୍ଥା ପକ୍ଷରୁ ଆଇନଜୀବୀ ଈଶ୍ୱର  ମହାନ୍ତି ମାମଲା ପରିଚାଳନା କରୁଛନ୍ତି।