କଟକ,୧୭/୦୫: ଆସନ୍ତା ୧୯ ତାରିଖରୁ  ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି ।  ଫଳରେ ୧୯ ତାରିଖରୁ କୋର୍ଟ ବନ୍ଦ ହେବ ଓ ଜୁନ୍‌ ୧୭ ତାରିଖରୁ ଅଦାଲତ କାର୍ଯ୍ୟାରମ୍ଭ କରିବେ । ଏହି  ସମୟ ମଧ୍ୟରେ ଜରୁରି ମାମଲାର ଶୁଣାଣି ପାଇଁ  ୮ଦିନ ଅବକାଶକାଳୀନ ଅଦାଲତ ବସିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ପକ୍ଷରୁ ବିଜ୍ଞପ୍ତି  ଜାରି କରାଯାଇଛି । ସାଧାରଣ ଛୁଟିଦିନକୁ ଛାଡ଼ିଦେଲେ ଅନ୍ୟ ଦିନ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ  ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିୟମିତ କାର୍ଯ୍ୟ କରିବ । ଶୁକ୍ରବାର ହାଇକୋର୍ଟଙ୍କ ଶେଷ କାର୍ଯ୍ୟ ଦିବସ ଥିଲା । 

ମେ’ ୨୦, ୨୩, ୨୭ ଓ ୩୦ ତାରିଖ ଏବଂ ଜୁନ୍‌  ୩, ୪, ୧୦ ଓ ୧୩ ତାରିଖରେ ଅବକାଶକାଳୀନ  ଅଦାଲତ ବସିବେ । ୨୦ ଓ ୨୩ ତାରିଖରେ ବିଚାରପତି  ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର  ସାହୁଙ୍କୁ ନେଇ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।  ସେହିପରି ବିଚାରପତି ଜଷ୍ଟିସ୍‌ ଭି. ନରସିଂହ ଏବଂ  ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ ପୃଥକ ପୃଥକ  ବେଞ୍ଚ୍‌ରେ ଶୁଣାଣି କରିବେ । ୨୭ ତାରିଖରେ ଜଷ୍ଟିସ୍‌  କେ.ଆର. ମହାପାତ୍ର ଏବଂ ଜଷ୍ଟିସ୍‌ ମୃଗାଙ୍କ ଶେଖର  ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି  କରିବେ । ଜଷ୍ଟିସ୍‌ ଭି. ନରସିଂହ, ଜଷ୍ଟିସ୍‌ ବିରଜା  ପ୍ରସନ୍ନ ଶତପଥୀ ଏବଂ ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ପୃଥକ  ପୃଥକ ବେଞ୍ଚ୍‌ରେ ମାମଲାର ଶୁଣାଣି କରିବେ । ମେ’  ୩୦ରେ ଜଷ୍ଟିସ୍‌ କେ.ଆର୍‌. ମହାପାତ୍ର ଏବଂ ଜଷ୍ଟିସ୍‌  ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଓ  ସିଙ୍ଗଲ୍‌ ବେଞ୍ଚ୍‌ରେ ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ,  ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ଏବଂ ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର  ବେହେରା ମାମଲାର ଶୁଣାଣି କରିବେ । ଜୁନ୍‌ ୩ ଓ  ୪ରେ ଜଷ୍ଟିସ୍‌ ବି.ପି. ଶତପଥୀ ଏବଂ ଜଷ୍ଟିସ୍‌ ଏମ୍‌. ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ  ମାମଲାର ଶୁଣାଣି ହେବ । ପୁନର୍ବାର ଜଷ୍ଟିସ୍‌ ବି.ପି.  ଶତପଥୀ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣ ସିଙ୍ଗଲ୍‌  ବେଞ୍ଚ୍‌ର ପୃଥକ ପୃଥକ ମାମଲାର ଶୁଣାଣି କରିବେ ।  

ଜୁନ୍‌ ୧୦ରେ ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଏବଂ  ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣ ଖଣ୍ଡପୀଠ ଭାବେ ଓ ପରେ  ଉଭୟ ବିଚାରପତି ପୁଣି ସିଙ୍ଗଲ୍‌ ବେଞ୍ଚ୍‌ରେ ମାମଲାର  ଶୁଣାଣି କରିବେ । ଜୁନ୍‌ ୧୩ରେ ଶେଷ ଅବକାଶକାଳୀନ  ଅଦାଲତ ବସିବ ଯେଉଁଥିରେ ଜଷ୍ଟିସ୍‌ ଆଦିତ୍ୟ କୁମାର  ମହାପାତ୍ର ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ  ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପରେ  ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍‌ ଏମ୍‌. ଏସ୍‌. ରମଣ ଏବଂ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ  ପୃଥକ ପୃଥକ ବେଞ୍ଚ୍‌ରେ ମାମଲାର ଶୁଣାଣି କରିବେ ।