ଭୁବନେଶ୍ୱର,୧୯/୦୫: ରାଜ୍ୟକୁ ଅକ୍ଷୟ ଶକ୍ତି ବିନିର୍ମାଣ ହବ୍‌ ଭାବେ  ବିକଶିତ କରିବା ଦିଗରେ ରାଜ୍ୟରେ  ବିଭିନ୍ନ ଯୋଜନା ଏବେ ପ୍ରଣୟନ ହେଉଛି ।  ରାଜ୍ୟରେ ସୋଲାର ଫଟୋଭୋଲଟିକ  ସେଲ୍‌, ଇଲେକ୍ଟ୍ରୋଲାଇଜର, ବ୍ୟାଟେରୀ  ଷ୍ଟୋରେଜ ସିଷ୍ଟମ ଭଳି କ୍ଷେତ୍ରରେ  ନିବେଶ ଲାଗି କମ୍ପାନି ଏବେ ଆଗଭର  ହେଉଛନ୍ତି । ଓଡ଼ିଶାକୁ ଅକ୍ଷୟ ଶକ୍ତି  ଯନ୍ତ୍ରାଂଶ ଉତ୍ପାଦନରେ ଟପ୍‌ ୧୦ ରାଜ୍ୟରେ  ସାମିଲ କରାଇବା ଲକ୍ଷ୍ୟ । ମେକ୍‌ ଇନ୍‌  ଓଡ଼ିଶାରେ ଅକ୍ଷୟ ଶକ୍ତି କ୍ଷେତ୍ର ୪.୪  ଲକ୍ଷ କୋଟିର ନିବେଶ ପ୍ରସ୍ତାବ ପାଇଛି ।  ଏହା ରାଜ୍ୟକୁ ଅକ୍ଷୟ ଶକ୍ତି ବିନିର୍ମାଣ  ହବ୍‌ ଭାବେ ବିକଶିତ କରିବାରେ ପ୍ରମୁଖ  ଭୂମିକା ଗ୍ରହଣ କରିବ ବୋଲି ଶିଳ୍ପ ବିଭାଗ  ପକ୍ଷରୁ ଆଶା କରାଯାଇଛି । 

ଶିଳ୍ପ ବିଭାଗ ସୂଚନା ମୁତାବକ ଶିଳ୍ପ  କ୍ଷେତ୍ରରେ ୨୫% ଅକ୍ଷୟ ଶକ୍ତି ବ୍ୟବହାର  ଯୋଜନା ମଧ୍ୟ ରହିଛି । ୨୦୩୦ ସୁଦ୍ଧା  ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଯୁକ୍ତିକୁ ୧.୫  ଗୁଣ ବଢ଼ାଇବେ ରାଜ୍ୟ ସରକାର ।  ବାର୍ଷିକ ୩ରୁ ୫ ନିୟୁତ ଟନ୍‌ ଗ୍ରୀନ  ହାଇଡ୍ରୋଜେନ ଉତ୍ପାଦନ ଦିଗରେ ରାଜ୍ୟ ଅଗ୍ରସର ହେଉଛି । ଏହା ଦ୍ୱାରା ପୂର୍ବ ଏବଂ  ଦକ୍ଷିଣ ଭାରତରେ ଗ୍ରୀନ ଇଣ୍ଡଷ୍ଟ୍ରିଆଲ  କରିଡର ନିର୍ମାଣରେ ସହାୟକ  ହେବ । ରାଜ୍ୟ ଏବେ ଗ୍ରୀଡ୍‌ ଗୁଡ଼ିକର  ଆଧୁନିକୀକରଣ, ଗ୍ରୀନ ହାଇଡ୍ରୋଜେନ  ଯାନ ଚଳାଚଳ, ଏନର୍ଜି ଷ୍ଟୋରେଜ,  ହାଇଡ୍ରୋଜେନ କ୍ଷେତ୍ରରେ ଗବେଷଣା ପ୍ରତିଷ୍ଠାନ, ହାଇଡ୍ରୋଜେନ ଟେଷ୍ଟିଂ ଲ୍ୟାବ  ଏବଂ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଦ୍ୱାରା  ନବସୃଜନ ଏବଂ ଟେକ୍ନୋଲୋଜି କ୍ଷମତାକୁ  ବଢ଼ାଇବାକୁ ଯୋଜନା ରଖିଛନ୍ତି । 

ସେହିଭଳି ଉପଯୁକ୍ତ ଭୂମିର  ଉପଲବ୍ଧତା ଅଭାବକୁ ନଜରରେ ରଖି ବଡ଼  ଜଳାଶୟ ଗୁଡ଼ିକରେ ଭାସମାନ ସୋଲାର  ପିଭି ପ୍ରକଳ୍ପ ଉପରେ ମଧ୍ୟ ରାଜ୍ୟ ଫୋକସ  କରୁଛି । ଏ କ୍ଷେତ୍ରରେ ଅକ୍ଷୟ ଶକ୍ତି ଜମି  ଲିଜ୍‌ ନୀତି ଉପରେ କାମ ହେଉଛି ।  ଏହା ଦ୍ୱାରା ପତିତ ଜମି ଗୁଡ଼ିକୁ ସୌର ପ୍ରକଳ୍ପ ଲାଗି ବ୍ୟବହାର କରାଯାଇପାରିବ ।  ବିକଶିତ ଭାରତ ୨୦୪୭କୁ ନଜରରେ  ରଖି ରାଜ୍ୟ ବିଜୁଳି ରପ୍ତାନି ଭାବେ  ଉଭା ହେବାକୁ ଲକ୍ଷ୍ୟ ରଖିଛି । ରାଜ୍ୟ  ସରକାରଙ୍କ ଯୋଜନା ଏବଂ ପିଏମ୍‌  କୁସୁମ ଦ୍ୱାରା କୃଷି କ୍ଷେତ୍ରରେ ୫୦%  ଅକ୍ଷୟ ଶକ୍ତି ବ୍ୟବହାର ଯୋଜନା ରହିଛି।

ଶକ୍ତି ବିଭାଗର ଜଣେ ବରିଷ୍ଠ  ଅଧିକାରୀ କହିଛନ୍ତି, ନୂଆ ଅକ୍ଷୟ  ଶକ୍ତି ନୀତି ଦ୍ୱାରା ନିବେଶ, ଶିଳ୍ପ ସହ  ଗୋଷ୍ଠୀ ବିକାଶ ଭଳି ଦିଗକୁ ପ୍ରାଥମିକତା  ଦିଆଯାଇଛି । ପ୍ରକଳ୍ପ ଗୁଡ଼ିକର  ତ୍ୱରୀତ କାର୍ଯ୍ୟାନ୍ୱୟନ, ଅକ୍ଷୟ ଶକ୍ତିକୁ  ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଏବଂ  ଭବିଷ୍ୟପନ୍ଥୀ ଗ୍ରୀଡ ଭଳି ବିକାଶ ଉପରେ  ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।  ଦେଶର ନେଟ୍‌ ଜିରୋ ଲକ୍ଷ୍ୟ ଦିଗରେ  ଓଡ଼ିଶା ଏକ ମଡେଲ ରାଜ୍ୟ ହେବା  ଦିଗରେ ଅଗ୍ରସର । 

ମେକ୍‌ ଇନ୍‌ ଓଡ଼ିଶାରେ ମିଳିଥିବା  ୪.୪୦ ଲକ୍ଷ କୋଟିର ଅକ୍ଷୟ ଶକ୍ତି  ନିବେଶ ପ୍ରସ୍ତାବ ମଧ୍ୟରେ ୨.୦୬ ଲକ୍ଷ  କୋଟିର ୩୫ ଗିଗାୱାଟ୍‌ ପମ୍ପଡ ଷ୍ଟୋରେଜ  ପ୍ରକଳ୍ପ, ୧.୧୦ ଲକ୍ଷ କୋଟି ଟଙ୍କାର ୨୧  ଗିଗାୱାଟର ସୋଲାର ପ୍ରକଳ୍ପ ରହିଛି ।  ରାଜ୍ୟ ଅକ୍ଷୟ ଶକ୍ତି ନୀତି ୨୦୨୨ ଲାଗୁ  ହେବା ପରେ ୧୨,୩୧୮ କୋଟିର ପ୍ରକଳ୍ପକୁ  ମଞ୍ଜୁରୀ ମିଳିଛି । ରାଜ୍ୟ ୨୦୩୦ ସୁଦ୍ଧା  ୧୦.୯୬ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଯୋଡିବାକୁ ଲକ୍ଷ୍ୟ ରଖିଛି । ଏଥିରେ ୭.୫  ଗିଗାୱାଟ ସୋଲାର ଏବଂ ୨ ଗିଗାୱାଟ  ପବନ ଶକ୍ତି କ୍ଷମତା ସାମିଲ ରହିବ ।