ଭୁବନେଶ୍ୱର, ୨୭।୧୨: ସେପ୍ଟେମ୍ବର ମାସରେ ବିୟର ବୋତଲ/କେନ୍‌ ପିଛା ୧୦ ଟଙ୍କା ବଢ଼ିଥିଲା । ତିନି ମାସ ପୂରିନାହିଁ ମଦ୍ୟପଙ୍କ ପକେଟରୁ ଟଙ୍କା ଟାଣିବାକୁ ସରକାର ପୁଣି ଯୋଜନା କରିଛନ୍ତି । ଜାନୁଆରୀ ମାସରୁ ବିୟର ପିଛା ପୁଣି ୧୦ ଟଙ୍କା ବଢ଼ାଇବେ । ସବୁଠାରୁ ଗୁରୁତର କଥା ହେଉଛି ଡିପୋରେ ଗଚ୍ଛିତ ଥିବା ବିୟର ମାର୍କେଟକୁ ନ ଛାଡ଼ି ଦର ବଢ଼ିବା ଯାଏଁ ଚାପିଦେବା ଚକର୍‌ରେ ସରକାର ନିଜେ ସାମିଲ ବୋଲି ଅଭିଯୋଗ ହୋଇଛି । ଯାହା ଖବର ମିଳିଛି ମଦ ନିଗମ ପାଖରେ ୯ ଲକ୍ଷ ପେଟି ବିୟର ଗଚ୍ଛିତ ଅଛି । ଦର ବଢ଼ିଲେ ଏଥିରୁ ଅତି କମ୍‌ରେ ସରକାର ପାଖାପାଖି ୯୦ କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ । ଏପଟେ କିନ୍ତୁ ଦୋକାନୀ ଏମ୍‌ଜିକ୍ୟୁ ଭରିବା ପାଇଁ ଆଣ୍ଠୁଗଣ୍ଠି ଛିଣ୍ଡେଇଲେ ବି ତାଙ୍କୁ ମାଲ ମିଳୁନି । ରାଜ୍ୟରେ ଦିନକୁ ଦିନ ବିୟରର ଚାହିଦା ବଢ଼ିବାରେ ଲାଗିଛି । ସରକାର ୧୫ ପ୍ରକାର ବିୟର ବିକ୍ରି କରୁଛନ୍ତି । ସେଥିରୁ କିଙ୍ଗ୍‌ଫିସ୍‌ର, ବଡ୍‌ଭାଇଜର୍‌ ଓ ମହାରାଣୀ ଗ୍ରାହକଙ୍କ ପ୍ରଥମ ପସନ୍ଦ । ଏହି ୩ଟି ବ୍ରାଣ୍ଡ ୮୫% ବିକ୍ରି ହେଉଥିବା ବେଳେ ବାକି ବିୟର ୧୫% ବିକ୍ରି ହେଉଛି । ବିଦେଶୀ ମଦ ଅପେକ୍ଷ ବିୟର ବିକ୍ରି ଅଧିକ ହେଉଥିବାରୁ ବିୟର ବୋତଲ ଓ କେନ୍‌ ପିଛା ୧୦ ଟଙ୍କା ବଢ଼ାଇବାକୁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି । 

ଗତ ସେପ୍ଟେମ୍ବର ମାସରେ ବିୟର ସିନା ୧୦ ଟଙ୍କା ବଢ଼ାଇଲେ, ହେଲେ ବୋତଲ ଓ କେନ୍‌ରେ ପୁରୁଣା ଦାମ୍‌ ରହିଥିଲା । ଏବେବି କିଛି ଦୋକାନରେ ପୁରୁଣା ଦାମ୍‌ ଲେଖାଥିବା ବିୟର ମିଳୁଛି । ଦାମ୍‌ ଦେଖି ବିୟର କିଣୁଥିବା ଗ୍ରାହକଙ୍କୁ ଅଧିକ ୧୦ ଟଙ୍କା ମାଗୁଥିବା ଦୋକାନୀ ପାଇଁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଜାନୁଆରୀ ମାସରେ ପୁଣି ୧୦ ଟଙ୍କା ବଢ଼ାଇବେ । ଗ୍ରାମାଞ୍ଚଳରେ ଯଦି କୌଣସି ଦୋକାନୀ ପାଖରେ ପୁରୁଣା ମାଲ୍‌ ଥିବ, ସେଥିରେ ଥିବା ଏମ୍‌ଆର୍‌ପିରୁ ଦୋକାନୀ ୨୦ ଟଙ୍କା ଅଧିକ ମାଗିବ । ଏଭଳି ସ୍ଥିତିରେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଯାହା ଘଟିବ ତାହା ଜଳଜଳ ଦେଖା ଯାଉଛି । ୨୦୨୩ ମସିହରେ ଜିରୋ ନାଇଟ୍‌ ପାଇଁ ୬୦ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା । ଦୋକାନୀମାନେ ନିଜର ଏମ୍‌ଜିକ୍ୟୁ ପୂରଣ ପାଇଁ ଏହି ସମୟକୁ ଅପେକ୍ଷା କରିଥାନ୍ତି । ଗ୍ରାହକ ଯେଉଁ ୩ କମ୍ପାନୀ ବିୟର ଡିମାଣ୍ଡ କରୁଛନ୍ତି ତାହା ଯୋଗାଇ ପାରୁ ନାହାନ୍ତି ଦୋକାନୀ । ଲୋକଙ୍କ ଚାହିଦା ଥିବା ବିୟର ଓଡ଼ିଶା ପାନୀୟ ନିଗମ (ଓଡ଼ିଶା ଷ୍ଟେଟ୍‌ ବିଭରେଜ୍‌ କର୍ପୋରେସନ ଲିମିଟେଡ୍‌) ପାଖରେ ଗଚ୍ଛିତ ଥିବା କଥା ବରିଷ୍ଠ ଅଧିକାରୀମାନେ ମାନିଛନ୍ତି । ହେଲେ ସେ ସବୁ ବିୟର ଦୋକାନୀମାନଙ୍କୁ ଦେଉନାହିଁ ପାନୀୟ ନିଗମ । ଯଦି କୌଣସି ଦୋକାନୀ ଡିପୋରେ କିଙ୍ଗ୍‌ଫିସ୍‌ର, ବଡ୍‌ଭାଇଜର୍‌ ଓ ମହାରାଣୀ ବିୟର ଅର୍ଡର କରୁଛି ତା’ହେଲେ ବରିଷ୍ଠ ଅଧିକାରୀମାନେ ଡିପୋରେ ମାଲ୍‌ ନଥିବା କଥା କହୁଛନ୍ତି । 

ବଡ଼ କଥା ହେଲା ଡିପୋରେ ବିୟର ନଥିବା କଥା କାଳେ ଦୋକାନୀମାନେ କେଉଁଠି ଅଭିଯୋଗ କରିବେ ସେଥିପାଇଁ ପାନୀୟ ନିଗମର ଅଧିକାରୀମାନେ ଏକ ଅଣ୍ଡରଟେକିଂ ଲେଖାଇ ନେଉଛନ୍ତି । ସେ ଅଣ୍ଡରଟେକିଂରେ ଦୋକାନୀମାନେ ଉଲ୍ଲେଖ କରୁଛନ୍ତି ଆମର ଉକ୍ତ ୩ଟି କମ୍ପାନୀର ବିୟରର ଆବଶ୍ୟକତା ନାହିଁ । ପାନୀୟ ନିଗମ ଏମିତି ଢଙ୍ଗରେ ଆଉ ଚାରି ଦିନ ଯଦି ଜଗିଦେବେ ତା’ହେଲେ ଜାନୁଆରୀ ଠାରୁ ବୋତଲ ପିଛା ଅଧିକ ୧୦ ଟଙ୍କା ମିଳିବ ।  ୨୦୨୩ ଡିସେମ୍ୱର ୩୦ରେ ପାନୀୟ ନିଗମ ଅଧୀନରେ ଥିବା ୯ଟି ସରକାରୀ ଡିପାରୁ ଉଠିଥିଲା ୧୧ ଲକ୍ଷ ଲିଟର ମଦ । ଯାହାର ମୂଲ୍ୟ ଥିଲା ୬୦ କୋଟି ୭୩ ଲକ୍ଷ ଟଙ୍କା । ରାଜ୍ୟର ପ୍ରାୟ ୨ ହଜାର ରିଟେଲ ଆଉଟଲେଟରେ ଏହା ବିକ୍ରି ହୋଇଥିଲା । ଏଥିରେ ବିୟର ଥିଲା ୪୦ କୋଟି ଟଙ୍କାର ।