ଭୁବନେଶ୍ୱର/କଟକ,୧୦/୧୨: ମଙ୍ଗଳବାରଠୁୁ କଟକ ଜବାହାରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ଓଡ଼ିଶା ମାଷ୍ଟର୍ସ ବିଡବ୍ଲ୍ୟୁଏଫ୍‌ ଟୁର ସୁପର-୧୦୦ର ତୃତୀୟ ସଂସ୍କରଣ । ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ  ଖେଳାଳିମାନେ ଆସି ପହଞ୍ଚି  ସାରିଛନ୍ତି । ସୋମବାର ସନ୍ଧ୍ୟାରେ ରାଜ୍ୟ  କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  ପ୍ରତିଯୋଗିତା ଆୟୋଜନ ସଂପର୍କରେ କଳିଙ୍ଗ  ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ବିସ୍ତୃତ ସୂଚନା ଦେଇଥିଲେ । 

କ୍ରୀଡ଼ାମନ୍ତ୍ରୀ କହିଥିଲେ, ‘ଏକ ଲକ୍ଷ  ଡଲାର ପୁରସ୍କାର ରାଶି ବିଶିଷ୍ଟ ଓଡ଼ିଶା ମାଷ୍ଟର୍ସ  ବିଡବ୍ଲ୍ୟୁଏଫ୍‌ ଟୁର ସୁପର-୧୦୦ ଆସନ୍ତାକାଲି  ଠାରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ  ହେବ । ବିଶ୍ୱର ୨୯ଟି ଦେଶରୁ ୩୦୦ ମହିଳା  ଓ ପୁରୁଷ ଖେଳାଳି ଏଥିରେ ଭାଗ ନେବେ ।  ଓଡ଼ିଶାରୁ ମହିଳା ଡବଲ୍ସରେ ଋତୁପର୍ଣ୍ଣା ପଣ୍ଡା ଓ  ଶ୍ୱେତପର୍ଣ୍ଣା ପଣ୍ଡା ଏବଂ ପୁରୁଷ ଡବଲ୍ସରେ ଆୟୂଷ  ପଟ୍ଟନାୟକ ଓ ଅଭିନାଶ ମହାନ୍ତି, ଅମ୍ରିତ ମହାନ୍ତି  ଓ ଅଭିଜିତ ମହାରଣା ଯୋଡ଼ି ସାମିଲ ହେବେ ।  ଚୀନରୁ ସର୍ବାଧିକ ଖେଳାଳି ଏଥିରେ ଭାଗ  ନେଉଛନ୍ତି । ନେହରୁ ଇନ୍‌ଡୋର ଷ୍ଟାଡିୟମରେ  ଖେଳାଳିଙ୍କର ସୁରକ୍ଷାକୁ କଡ଼ାକଡ଼ି କରାଯିବା  ସହ ସେମାନଙ୍କୁ ସମସ୍ତ ସୁବିଧା ସେମାନଙ୍କୁ  ଯୋଗାଇ ଦିଆଯିବ । ପ୍ରତିଯୋଗିତାରେ ଅଂଶ  ଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା  ଜଣାଉଛି ।’

ଭାରତୀୟ ଖେଳାଳିଙ୍କ ମଧ୍ୟରେ ପ୍ରିୟାଂଶୁ  ରାଜୱତ, କିରନ ଜର୍ଜ, ମହିଳା ଖେଳାଳି  ଆକର୍ଷି କଶ୍ୟପ, ଅଶ୍ୱିନୀ ପୋନାପ୍ପା ଓ ତନିଷା କ୍ରାଷ୍ଟୋ, ସୁମିତ ରେଡ୍ଡୀଙ୍କ ଭଳି ଉଚ୍ଚ ମାନ୍ୟତା  ଖେଳାଳିଙ୍କ ଖେଳ ପ୍ରତିଯୋଗିତାରେ ଦେଖିବାକୁ  ମିଳିବ । ବିଦେଶରୁ ଆସୁଥିବା ଖେଳାଳିମାନଙ୍କର ରହିବା ବ୍ୟବସ୍ଥା ଭୁବନେଶ୍ୱରର ବିଭିନ୍ନ ତାରକା  ହୋଟେଲରେ କରାଯାଇଛି।