ଭୁବନେଶ୍ୱର/ଥିରୁଅନନ୍ତପୁରମ, ୧୨।୨: ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି)ର ଗଣାମାଧ୍ୟମ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ । କେରଳ ଗସ୍ତ ଓଡ଼ିଶାର ଏକ ମିଡିଆ ପ୍ରତିନିଧି ଦଳ କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାରରେ ଶାସନ ବ୍ୟବସ୍ଥା, ଲୋକପ୍ରଶାସନ, ସହକାରୀ ସଂଘବାଦ ଓ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନାରେ ରାଜ୍ୟପାଳ କେରଳର ସାମାଜିକ କ୍ଷେତ୍ରର ଅଭିଯାନ ଓ ସଫଳତାକୁ ଉଲ୍ଲେଖ କରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ବିଷୟରେ କହିଥିଲେ । ସେ କହିଥିଲେ ଯେ, ମାନବ ବିକାଶ ସୂଚନାଙ୍କରେ କେରଳ ସବୁବଳେ ପ୍ରଥମ ସ୍ଥାନରେ ରହିଆସିଛି । ରାଜ୍ୟର ମଜବୁତ ସ୍ୱାସ୍ଥ୍ୟ ଢାଞ୍ଚା ଓ ୧୦୦ ପ୍ରତିଶତ ସାକ୍ଷରତା ହାସଲ କରିଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ସମାବେଶୀ ଓ ସ୍ଥାୟୀ ଉନ୍ନତି ପାଇଁ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ ।
ଏହା ବି ପଢ଼ନ୍ତୁ... ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ; ପୁଲିସ ପଞ୍ଝାରେ ୩ ଦେହଜୀବୀ, ୪ ଗ୍ରାହକ
ରାଜ୍ୟପାଳ କେରଳର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ୱଚ୍ଛତାର ଉଚ୍ଚ ମାନକୁ ରାଜ୍ୟର ପରିଚୟର ଅଂଶ ବୋଲି ବର୍ଣ୍ଣନା କରିଥିଲେ । ଓଡ଼ିଶା ସହ ତାଙ୍କ ସମ୍ପର୍କ ଓ ଓଡ଼ିଶା ଭ୍ରମଣର ଅନୁଭବକୁ ବଖାଣିଥିଲେ । ଏଥିସହ ପ୍ରତିନିଧି ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଏହି ସାକ୍ଷାତକାର ସମୟରେ ଲୋକତାନ୍ତ୍ରିକ ଶାସନ ଓ ସାମ୍ୱିଧାନିକ ସଂସ୍ଥାଗୁଡ଼ିକର ଭୂମିକା ନେଇ ମତ ବିନିମୟ ହୋଇଥିଲା । ପ୍ରତିନିଧି ଦଳ ମଧ୍ୟ କେରଳ ଭ୍ରମଣ ସମ୍ପର୍କରେ ତାଙ୍କର ଅନୁଭବ ରାଜ୍ୟପାଳଙ୍କୁ ବଖାଣିଥିଲେ ।
ଏହି ମିଡିଆ ଭ୍ରମଣର ଅଂଶ ଭାବେ ପ୍ରତିନିଧି ଦଳ ଭିଝିଞ୍ଜମ୍ ଆନ୍ତର୍ଜାତୀୟ ବନ୍ଦର ପରିଦର୍ଶନ କରିଥିଲେ । ସେଠାରେ ବନ୍ଦରର ଢାଞ୍ଚାଗତ ସୁବିଧା, କାର୍ଯ୍ୟଦକ୍ଷତା ଓ ରଣନୀତିକ ଗୁରୁତ୍ୱ ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଥିଲେ । ଭିଜିଞ୍ଜମ୍ ବନ୍ଦର ବ୍ୟବସାୟିକ କାର୍ଯ୍ୟାରମ୍ଭର ଗୋଟିଏ ବର୍ଷ ପୂରଣ କରିଥିବା ବେଳେ ଏହା ଭାରତର ସବୁଠାରୁ ଆଧୁନିକ ଗଭୀର ପାଣିର ବନ୍ଦରମାନଙ୍କ ମଧ୍ୟରେ ଗଣାଯାଏ । ୧୮ରୁ ୨୦ ମିଟର ପର୍ଯ୍ୟନ୍ତ ପ୍ରାକୃତିକ ଗଭୀରତା ଓ ପୂର୍ବ–ପଶ୍ଚିମ ଆନ୍ତର୍ଜାତୀୟ ସମୁଦ୍ର-ମାର୍ଗ କାରଣରୁ ଏହି ବନ୍ଦର ଅତ୍ୟଧିକ ବଡ଼ କଣ୍ଟେନର ଜାହାଜ (ୟୁଏଲସିଭି) ହ୍ୟାଣ୍ଡଲ କରିପାରେ । ଅତ୍ୟାଧୁନିକ ଓ ସେମି-ଅଟୋମେଟେଡ୍ ପ୍ରଣାଳୀ ଓ ଉଚ୍ଚ କାର୍ଯ୍ୟକୁଶଳତା ଏହାକୁ ଭାରତର ଏକ ପ୍ରମୁଖ ଟ୍ରାନ୍ସସିପ୍ମେଣ୍ଟ ହବ୍ ଭାବେ ପରିଚିତ କରାଇଛି, ଯାହା ଭାରତର ଗ୍ଲୋବାଲ୍ ସମୁଦ୍ର ବାଣିଜ୍ୟରେ ଭୂମିକାକୁ ଆହୁରି ସୁଦୃଢ଼ କରୁଛି ।
ମିଡିଆ ପ୍ରତିନିଧି ଦଳ ପିଆଇବି ଥିରୁଅନନ୍ତପୁରମର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ୱି. ପାଳନିଚାମୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ଆଲୋଚନାରେ ଫିଲ୍ଡ ବେସ୍ଡ ଜରନାଲିଜିମରେ ପିଆଇବିର ଭୂମିକା, ଓ ସରକାର-ମିଡିଆ ମଧ୍ୟରେ ସଂଯୋଗ ସୁଦୃଢ଼ କରିବା ବିଷୟ ଉପରେ ଚର୍ଚ୍ଚା ହୋଇଥିଲା । ଏହି ଦଳ ସହ ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ଜାଲି ଓ ମିଡିଆ ଏବଂ କମ୍ୟୁନିକେସନ୍ ଅଫିସର ଶ୍ରୀ ସ୍ୱାଧୀନ ଶକ୍ତି ପ୍ରସାଦ ସହଯୋଗ କରିଥିଲେ ।