ଭୁବନେଶ୍ୱର, ୧୯/୧୧ : ଓଡ଼ିଶା ଚଳିତ ରଣଜୀ ସିଜନରେ ପ୍ରଥମ ଥର ଚମକପୂର୍ଣ୍ଣ ପ୍ରଦର୍ଶନ କରିଛି। କିଟ୍ ଷ୍ଟାଡିୟମରେ ନାଗାଲାଣ୍ଡ ବିପକ୍ଷରେ ଦଳ ଆଜି ଅନ୍ତିମ ଦିବସରେ ବିଜୟ ପାଇଁ ୯ ୱିକେଟର ଆବଶ୍ୟକ କରୁଛି । ଦ୍ୱିତୀୟ ଇନିଂସରେ ଘରୋଇ ଦଳ ୫ ୱିକେଟ୍ରେ ୩୫୦ ରନ କରିବା ପରେ ପାଳି ଘୋଷଣା କରିଥିଲା । ଭ୍ରମଣକାରୀ ନାଗାଲାଣ୍ଡ ସାମ୍ନାରେ ୪୬୫ ରନର ବିଶାଳ ଲକ୍ଷ୍ୟ ରହିଛି । ତୃତୀୟ ଦିବସର ଖେଳ ଶେଷ ସୁଦ୍ଧା ଦଳ ୧ ୱିକେଟ୍ ହରାଇ ୪୧ ରନ୍ କରିଛି । ଦଳ ବିଜୟ ପାଇଁ ୪୨୪ ରନ ଆବଶ୍ୟକ କରୁଛି ।
ଓଡ଼ିଶା ଦଳ ସିଜନର ଗତ ୪ଟି ମ୍ୟାଚରୁ ମାତ୍ର ୧ ପଏଣ୍ଟ ପାଇଛି । ଦଳ ଏବଂ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଭଲ ନାହିଁ । କିନ୍ତୁ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶାର ୩ ବ୍ୟାଟର ଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ପୂର୍ବ ମ୍ୟାଚ ଗୁଡ଼ିକରେ କେହିଁ ଶତକ ହାସଲ କରିନଥିଲେ । ସେମିତି ପ୍ରଥମ ଥର ଦଳ ସିଜନରେ ଇନିଂସରେ ୩୫୦ ରନ୍ କରିବାରେ ସଫଳ ହୋଇପାରିଛି । ପୂର୍ବ ଇନିଂସ ଗୁଡ଼ିକରେ ଦଳ ୩୦୦ ଛୁଇଁ ପାରି ନଥିଲା । ପ୍ରଥମ ଇନିଂସରେ ଅନୀଲ ପରିଡ଼ାଙ୍କ (୧୧୮) ଶତକ ଯୋଗୁ ଦଳ ୨୭୫ ରନ୍ କରିଥିଲା । ଏହି ଇନିଂସରେ ପଞ୍ଚମ ୱିକେଟ୍ରେ ବଡ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ଘରୋଇ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କଲେ । ରାଜେଶ ମହାନ୍ତି, ସମ୍ବିତ ବରାଳ ଓ ଗୋବିନ୍ଦ ପୋଦ୍ଦାର ୩ଟି ଲେଖାଏଁ ୱିକେଟ୍ ନେଇ ଭ୍ରମଣକାରୀ ଦଳକୁ ପ୍ରଥମ ଇନିଂସରେ ୧୬୧ ରନରେ ସୀମିତ ରଖିଥିଲେ । ଦ୍ୱିତୀୟ ଦିବସର ଖେଳ ଶେଷ ବେଳକୁ ଓଡ଼ିଶା ଦ୍ୱିତୀୟ ଇନିଂସରେ ୨ ୱିକେଟରେ ୧୬ ରନ କରିଥିଲା । ତୃତୀୟ ଦିବସରେ ଓପନର ସ୍ୱସ୍ତିକ ସାମଲ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ତୃତୀୟ ୱିକେଟରେ ୧୬୧ ରନ୍ର ଭାଗିଦାରୀ ଗଠନ କରିଥିଲେ । ଉଭୟ ଚମତ୍କାର ବ୍ୟାଟିଂ କରିବା ସହ ଶତକ ହାସଲ କଲେ । ସ୍ୱସ୍ତିକ ୧୬୯ (୧୧ ଚୌକା, ୬ଟି ଛକା)ଏବଂ ଶୁଭ୍ରାଂଶୁ ୧୩୭ (୧୧ ଚୌକା, ୪ଟି ଛକା) ରନ କରି ଆଉଟ୍ ହୋଇଥିଲେ ।
ତୃତୀୟ ଅଧିବେଶନରେ ଏକ ଘଣ୍ଟା ବ୍ୟାଟିଂ କରିବା ପରେ ଓଡ଼ିଶା ୫ ୱିକେଟ୍ରେ ୩୫୦ ରନ କରି ପାଳି ଘୋଷଣା କରିଥିଲା । ଗୋବିନ୍ଦ ପୋଦ୍ଦାର ୧୨ ଓ ସମ୍ବିତ ବରାଳ ୧୯ (ଅପରାଜିତ) ରନ କରିଥିଲେ । ସ୍ୱସ୍ତିକଙ୍କ କ୍ୟାରିୟରରେ ଏହା ଦ୍ୱିତୀୟ ଏବଂ ଶୁଭ୍ରାଂଶୁଙ୍କର ନବମ ପ୍ରଥମ ଶ୍ରେଣୀ ଶତକ ରହିଥିଲା । ତୃତୀୟ ଦିବସର ଶେଷ ସୁଦ୍ଧା ନାଗାଲାଣ୍ଡ ୧୮ ଓଭର ବ୍ୟାଟିଂ କରିଥିଲା । ଓପନର ସେଦେଝାଲିଏ ରୁପେରୋ (୪) ଆଉଟ୍ ହୋଇଛନ୍ତି । ଅନ୍ୟତମ ଓପନର ଦିଗା ନିଶ୍ଚଳ ୧୭ ଓ ହେମ ଛେତ୍ରୀ ୨୦ ରନ କରି ଅପରାଜିତ ଅଛନ୍ତି । ବାଦଲ ବିଶ୍ୱାଳ ଏକମାତ୍ର ୱିକେଟ୍ ହାସଲ କରିଛନ୍ତି ।