ଭୁବନେଶ୍ୱର,୦୯/୧୧: ଭାରତର ହଟ୍ ସ୍ପଟ୍ ଓଡ଼ିଶା । ଉତ୍ତର ଭାରତର ଉତ୍ତପ୍ତ ରାଜ୍ୟ ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶଠାରୁ ବି ଓଡ଼ିଶାରେ ଅଧିକ କୋପ ଦେଖାଇଛି ଗ୍ରୀଷ୍ମ ପ୍ରବାହ । ଦେଶର ସବୁଠାରୁ ଉତ୍ତପ୍ତ ରାଜ୍ୟ ପାଲଟିଛି ଓଡ଼ିଶା ।
ମାର୍ଚ୍ଚ ମାସରୁ ଗରମ ଆରମ୍ଭ ହୋଇଛି, ଏଯାଏଁ ବାତାବରଣ ଥଣ୍ଡା ପଡ଼ୁନି । ୯ ମାସ ଧରି ଗରମ ଜଳବାୟୁ ଲାଗି ରହିଛି । ୨୦୨୪ର ଗ୍ରୀଷ୍ମ ପ୍ରବାହ ପରିସଂଖ୍ୟାନ କହୁଛି, ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିଛି । ଅଂଶୁଘାତ ମୃତ୍ୟୁ ବି ସର୍ବାଧିକ ହୋଇଛି । ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ଶେଷ ସୁଦ୍ଧା (୨୭୪ ଦିନ ଭିତରେ) ୭୭ଟି ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି ଦେଶରେ । ଏହା ପ୍ରଭାବରେ ୨୧୦ ଜଣଙ୍କ ଜୀବନ ଯାଇଛି ଭାରତରେ । ଓଡ଼ିଶାରେ ସର୍ବାଧିକ ୬୦ଜଣ ପ୍ରାଣ ହରାଇଛନ୍ତି ଅଂଶୁଘାତ ପାଇଁ ।
ଖାଲି ସେତିକି ନୁହେଁ, ଓଡ଼ିଶା ହିଁ ସର୍ବାଧିକ ୩୯ ଦିନ ଗ୍ରୀଷ୍ମ ପ୍ରବାହରେ ଜଳି ଛଟପଟ ହୋଇଛି । ଏ ବର୍ଷ ଏପ୍ରିଲରେ ଓଡ଼ିଶା ଦେଶର ସବୁଠାରୁ ଉତ୍ତପ୍ତ ପିଣ୍ଡ ପାଲଟିଥିଲା । ଓଡ଼ିଶାରେ ସର୍ବାଧିକ ୧୯ ଦିନ, ପଶ୍ଚିମବଙ୍ଗରେ ୧୮ ଓ କର୍ଣ୍ଣାଟକରେ ୧୭ ଦିନ ଗ୍ରୀଷ୍ମ ପ୍ରବାହ କଲବଲ କରିଥିଲା । ପାଣିପାଗର ଭୟାନକ ପ୍ରକୋପରୁ ଏପ୍ରିଲ ମାସରେ ଦେଶରେ ୬୦ଜଣ ଜୀବନ ହରାଇଥିବାବେଳେ ଓଡ଼ିଶାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା ।
ଚଳିତବର୍ଷ ବିହାରରେ ୩୨ ଦିନ, ଉତ୍ତରପ୍ରଦେଶରେ ୩୩, ପଶ୍ଚିମବଙ୍ଗରେ ୩୧, ରାଜସ୍ଥାନରେ ୩୫, ଦିଲ୍ଲୀରେ ୨୫, ମଧ୍ୟପ୍ରଦେଶରେ ୨୮, ପଞ୍ଜାବରେ ୨୫ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଅଂଶୁଘାତରେ ବିହାରରେ ୪୯, ୟୁପିରେ ୪୪, ମହାରାଷ୍ଟ୍ରରେ ୨୧, ରାଜସ୍ଥାନରେ ୧୬ ଓ ଛତିଶଗଡ଼ରେ ୭ଜଣଙ୍କ ଜୀବନ ଯାଇଛି । ଜଳବାୟୁ ପରିବର୍ତ୍ତନର ପ୍ରକୋପରେ କ୍ରମଶଃ ଅସ୍ୱାଭାବିକ ରୂପ ନେଉଛି ପାଣିପାଗ । ଅତ୍ୟଧିକ ଗରମ, ଭୀଷଣ ବର୍ଷା, ଭୂସ୍ଖଳନ, ବଜ୍ରପାତ, ଝଡ଼ ଆଦି ବାରମ୍ବାର ଦେଖିବାକୁ ମିଳିଛି । ଭାରତରେ ଏ ଧାରା ବଢ଼ିବାକୁ ଲାଗିଲାଣି ।
ଏ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତରେ ଅଂଶୁଘାତରେ ୨୧୦, ବଜ୍ରପାତ ଓ ଝଡ଼ରେ ୧୦୨୧, ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୧୯୧୦, ବାତ୍ୟାରେ ୫୭ ଜଣଙ୍କ ମୃତ୍ୟୁ ହୋଇଛି । ଅତ୍ୟଧିକ ଶୀତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବରଫପାତରେ ଜଣଙ୍କର ଜୀବନ ଯାଇଛି । ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ଶେଷ ସୁଦ୍ଧା ୨୭୪ ଦିନ ଭିତରୁ ୨୫୫ ଦିନ ଦେଶରେ ପାଣିପାଗର ଚରମ ରୂପ ଦେଖିବାକୁ ମିଳିଛି । ଅର୍ଥାତ୍ ଏହି ୯ ମାସରେ ୯୩% ଦିନରେ ପାଣିପାଗ ଭୟାନକ ଅସ୍ୱାଭାବିକ ରୂପ ନେଇଛି, ଯାହାକି ୨୦୨୨ରେ ୮୬% ଓ ୨୦୨୩ରେ ୮୮% ଥିଲା ।
ଏକ ରିପୋର୍ଟ ଅନୁସାରେ ୨୦୨୪ର ପ୍ରଥମ ୯ ମାସରେ ପାଣିପାଗର ଏଭଳି ଅସ୍ୱାଭାବିକ ପ୍ରକୋପ ଯୋଗୁ ଦେଶରେ ୩୨୩୮ଜଣଙ୍କ ଜୀବନ ଯାଇଛି । ଚିନ୍ତାର ବିଷୟ ହେଲା, ପୂର୍ବ ବର୍ଷମାନଙ୍କ ତୁଳନାରେ ପାଣିପାଗ ଅଧିକ ବିଗିଡ଼ିବା ସହ ଧନଜୀବନ କ୍ଷୟକ୍ଷତି ବଢ଼ିଛି । ୨୦୨୨ର ପ୍ରଥମ ୯ ମାସରେ ପାଣିପାଗର ଏଭଳି ଅସ୍ୱାଭାବିକ ଚରମ ରୂପ ଯୋଗୁ ଭାରତରେ ୨୭୫୫ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ୍ ୨ ବର୍ଷରେ ମୃତ୍ୟୁ ହାର ୧୮% ବଢ଼ିଛି । ବଜ୍ରପାତ, କାଳବୈଶାଖୀ, ଧୂଳିଝଡ଼ ଆଦି କାରଣରୁ ଓଡ଼ିଶାରେ ସେପ୍ଟେମ୍ବର ଶେଷ ସୁଦ୍ଧା ଏ ବର୍ଷ ୫୨ଜଣଙ୍କ ମୃତ୍ୟୁ ହୋଇଥିଲା । ମଧ୍ୟପ୍ରଦେଶରେ ୧୮୮, ମହାରାଷ୍ଟ୍ରରେ ୧୦୦, ୟୁପିରେ ୧୬୪, ବିହାରରେ ୧୦୦, ଝାଡ଼ଖଣ୍ଡରେ ୫୭, ରାଜସ୍ଥାନରେ ୪୯, ପଶ୍ଚିମବଙ୍ଗରେ ୪୮, ଛତିଶଗଡ଼ରେ ୬୨, ତେଲେଙ୍ଗାନାରେ ୪୧, ଗୁଜରାଟରେ ୩୫ ଜଣ ପ୍ରାଣ ହରାଇଥିଲେ ।
ବଜ୍ରପାତ ଓ କାଳବୈଶାଖୀ ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶରେ ୧୦୨୧ଜଣଙ୍କ ଜୀବନ ନେଇଥିଲା । ଏହି ସମୟ ଭିତରେ ଓଡ଼ିଶାରେ ୨୩ ଦିନ ବଜ୍ରପାତ ଓ କାଳବୈଶାଖୀ ହୋଇଥିବାବେଳେ ବର୍ଷାର ଅତ୍ୟଧିକ ପ୍ରକୋପ ୪୭ ଦିନ ଥିଲା । ମାତ୍ର ଜାନୁଆରୀ କିମ୍ବା ଫେବ୍ରୁଆରୀରେ ରାଜ୍ୟରେ ସେଭଳି ଶୀତ ପ୍ରକୋପ ନ ଥିଲା ।
ଏହି ରିପୋର୍ଟ ଅନୁସାରେ ପାଣିପାଗର ଚରମ ପ୍ରକୋପ ଯୋଗୁ ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ୧୧୨ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ସର୍ବାଧିକ ୫୫୦, ମଧ୍ୟପ୍ରଦେଶରେ ୩୫୩, ୟୁପିରେ ୨୫୬, ହିମାଚଳ ପ୍ରଦେଶରେ ୨୧୪, ମହାରାଷ୍ଟ୍ରରେ ୨୦୮, ଗୁଜରାଟରେ ୨୧୦, ବିହାରରେ ୨୦୫, ଆସାମରେ ୨୦୧, ଛତିଶଗଡ଼ରେ ୧୧୦, ରାଜସ୍ଥାନରେ ୧୦୫ ଜଣ ପ୍ରାଣ ହରାଇଛନ୍ତି ।
ବର୍ଷକୁ ସରିବାକୁ ଆହୁରି ଦେଢ଼ ମାସରୁ ଅଧିକ ସମୟ ବାକି ଅଛି । ଏବେ ସୁଦ୍ଧା ୨୦୨୪ ସବୁ ରେକର୍ଡ ଭାଙ୍ଗି ସବୁଠାରୁ ଉତ୍ତପ୍ତ ବର୍ଷ ପାଲଟିଲାଣି । ୧୯୦୧ ପରଠାରୁ ଚଳିତବର୍ଷ ଜାନୁଆରୀ ଥିଲା ନବମ ଶୁଖିଲା ମାସ । ଫେବ୍ରୁଆରୀ ମାସର ରାତି ତାପମାତ୍ରା ଏତେ ଅଧିକ ରହିଲା ଯେ, ୧୨୩ ବର୍ଷର ରେକର୍ଡ ଭାଙ୍ଗିଲା । ମେ’ ମାସ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବରରେ ରାତି ତାପମାତ୍ରା ୧୯୦୧ ପରେ ସବୁଠାରୁ ଅଧିକ ରେକର୍ଡ ହୋଇଛି ।
କ୍ରମଶଃ ତାପମାତ୍ରା ଅସ୍ୱାଭାବିକ ଭାବେ ବଢ଼ୁଛି । ରାତିରେ ବି ତ୍ରାହି ମିଳୁନି । ଚଳିତବର୍ଷର ରେକର୍ଡ କହୁଛି, ଏ ବର୍ଷ ଗ୍ରୀଷ୍ମରେ (ମାର୍ଚ୍ଚରୁ ଜୁନ୍) ରାତି ତାପମାତ୍ରା ବି ଅସ୍ତବ୍ୟସ୍ତ କରିଥିଲା । ଏହି ୪ ମାସ ଭିତରେ ମଧ୍ୟପ୍ରଦେଶରେ ସର୍ବାଧିକ ୧୮ଟି ଉତ୍ତପ୍ତ ରାତି ଅନୁଭୂତ ହୋଇଥିବାବେଳେ ୟୁପିରେ ୧୭, ହରିୟାଣାରେ ୧୪, ଦିଲ୍ଲୀରେ ୧୦, ପଞ୍ଜାବରେ ୯ ଏବଂ ଓଡ଼ିଶାରେ ୮ ଦିନ ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିଲା ।