ନୂଆଦିଲ୍ଲୀ,୧୮/୧୧: ଆସନ୍ତା ନଭେମ୍ବର ୨୨  ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ  ଅନୁଷ୍ଠିତ ହେବ ତିନିଦିନିଆ ଓଡ଼ିଶା ପର୍ବ-୨୦୨୪ ।  ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍‌ଘାଟନ  କରିବାକୁ ଥିବାବେଳେ ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଦିଲ୍ଲୀସ୍ଥିତ ଏନ୍‌ଜିଓ ଓଡିଆ ସମାଜ ପକ୍ଷରୁ ଏହା ଆୟୋଜନ  କରାଯାଉଛି । 

ଏହାର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ଗଣମାଧ୍ୟମକୁ  ସୂଚନା ଦେଇ କହିଛନ୍ତି ଯେ, ୨୦୧୭ରେ ଦିଲ୍ଲୀରେ  ପ୍ରଥମ ଥର ପାଇଁ ଓଡିଶା ପର୍ବ ଇଣ୍ଡିଆ ଗେଟ୍‌ ଠାରେ  ଆରମ୍ଭ ହୋଇଥିଲା । ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପର୍ବରେ  ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ସଙ୍ଗୀତ, ନୃତ୍ୟ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ଚମତ୍କାର  ସଙ୍ଗମ ଦେଖିବାକୁ ମିଳିବ ।

ଏହି ପର୍ବରେ ଦିଲ୍ଲୀର ସମସ୍ତ  ପ୍ରବାସୀ ଓଡ଼ିଆ ସଂଗଠନ ଯୋଗଦେବେ ବୋଲି ରବିବାର ହୋଜଖାସସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ଏକ  ପ୍ରସ୍ତୁତି କାର୍ଯ୍ୟକ୍ରମରେ ସେ ସୂଚନା ଦେଇଛନ୍ତି । ଏହି  ଅବସରରେ ହୋଜଖାସ ଜଗନ୍ନାଥ ମନ୍ଦିରର ସମ୍ପାଦକ  ରବି ପ୍ରଧାନ, ଓଡିଆ ସମାଜର ଟ୍ରଷ୍ଟି ସନ୍ଦୀପ କୁମାର  ମହାପାତ୍ର ଓ ପ୍ରକାଶ ସାହୁ ଏବଂ ଓଡିଶା ପର୍ବର ମୁଖ୍ୟ  ସଂଯୋଜକ ସଂଗ୍ରାମ ଧର ପ୍ରମୁଖ ଉପସ୍ଥିତ ଥିଲେ ।