ଭୁବନେଶ୍ୱର,୩୦/୦୫: ରାଜ୍ୟକୁ ମୌସୁମୀ ଛୁଇଁଲା । ଚଳିତ ବର୍ଷ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତାରେ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ବୈଠକ ବସିଛି । ଜୁନ୍ ୧ରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲିବ ।
ବୈଠକରୁ ଜଣାଯାଇଛି ଯେ, ବନ୍ୟା ପରିଚାଳନା ପାଇଁ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବନ୍ୟା ନିୟନ୍ତ୍ରଣ କକ୍ଷଗୁଡ଼ିକ ୧ ଜୁନ୍ ୨୦୨୫ ରୁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚବିଶ ଘଣ୍ଟିଆ କାର୍ଯ୍ୟକ୍ଷମ ହେବ । ତତ୍ ସହିତ ସର୍ବୋଚ୍ଚ ଯନ୍ତ୍ରୀ, ଜଳସମ୍ପଦ ବିଭାଗ,ସେଚସଦନ କାର୍ଯ୍ୟାଳୟ ଏବଂ ରାଜ୍ୟ ଜଳତତ୍ତ୍ୱ ତଥ୍ୟ କେନ୍ଦ୍ର ), ୮ମ ମହଲା, ରାଜୀବ ଭବନରେ ମଧ୍ୟ ଏହି ବନ୍ୟା ନିୟନ୍ତ୍ରଣ କକ୍ଷ ଗୁଡିକ ସକ୍ରିୟ ରହିବ ।
ଜିଲ୍ଲା ପ୍ରଶାସନ ଏବଂ ଜଳସମ୍ପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବରେ ସମସ୍ତ ନଦୀବନ୍ଧ ଗୁଡିକୁ ସମ୍ପୃକ୍ତ ଜିଲ୍ଲାପାଳ ଓ ଲୋକ ପ୍ରତିନିଧି ମାନଙ୍କ ସହ ମିଶି ଯାଞ୍ଚ କରିଛନ୍ତି । କ୍ଷେତ୍ର ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ ବନ୍ଧଗୁଡ଼ିକ ଭଲ ଅବସ୍ଥାରେ ଅଛି । ଯଦିଓ ୨୦୨୪ ବନ୍ୟା ସମୟରେ କୌଣସି ପ୍ରକାରର ଘାଇ ହୋଇନଥିଲା, କିନ୍ତୁ ପୂର୍ବ ବର୍ଷ ମାନଙ୍କର ଘାଇ ସ୍ଥାନଗୁଡ଼ିକୁ ସ୍ଥାୟୀ ଭାବରେ ପୁନରୁଦ୍ଧାର କରାଯାଇଛି । ଏହି ସ୍ଥାନ ଗୁଡିକୁ ବନ୍ୟା ସମୟରେ ପ୍ରତ୍ୟକ୍ଷ ତତ୍ୱାବଧାନରେ ରଖାଯିବ । ନଦୀ ଏବଂ ଜଳ ନିଷ୍କାସନ ପ୍ରଣାଳୀ (ଡ୍ରେନେଜ ଚ୍ୟାନେଲ) ରେ ଥିବା ସମସ୍ତ ଅବରୋଧ ତଥା କଫର ଡ୍ୟାମ ଗୁଡିକ ୧୫ ଜୁନ୍ ସୁଦ୍ଧା ହଟାଯିବ । ସମସ୍ତ ବୃହତ ଏବଂ ମଧ୍ୟମ ଜଳଭଣ୍ଡାରର ଗେଟଗୁଡ଼ିକର ମକ୍ ଡ୍ରିଲ୍ କରାଯାଇ ବନ୍ୟା ନିୟନ୍ତ୍ରଣ ପାଇଁ ଜଳଭଣ୍ଡାରର ଗେଟ ଗୁଡିକର ଯାଞ୍ଚ ଭଲ ଭାବରେ ନିରୀକ୍ଷଣ କରି କାର୍ଯ୍ୟକ୍ଷମ କରାଯାଇଅଛି ।
ଯେକୌଣସି ଘାଇ ଏବଂ ଘଳିଆ ଗୁଡ଼ିକର ପ୍ରତିରୋଧ କରିବା ପାଇଁ କ୍ଷେତ୍ର ବିଭାଗ ଦ୍ୱାରା ଆବଶ୍ୟକୀୟ ସାମଗ୍ରୀ ଯଥା ବାଲି,ଖାଲି ସିମେଣ୍ଟ ବସ୍ତା, ବଲ୍ଲା, ବାଉଁଶ ଇତ୍ୟାଦି ଆବଶ୍ୟକ ପରିମାଣରେ ମହଜୁଦ ରଖାଯାଇଅଛି । ପ୍ରତିଦିନ ଜଳସଂପଦ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ, ଭାରତୀୟ ପାଣିପାଗ ବିଭାଗ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ସମନ୍ୱୟ ରକ୍ଷା କରାଯାଇ ବର୍ଷା ତଥା ବନ୍ୟାର ପୂର୍ବାନୁମାନ ବିବରଣୀ ନିୟମିତ ଭାବରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ କରାଯିବା ପାଇଁ ବ୍ୟବସ୍ଥା କରାଯାଇଅଛି । ବନ୍ୟା ନିୟନ୍ତ୍ରଣ ଏବଂ ଜଳ ନିଷ୍କାସନ ସହିତ ଜଡିତ ପ୍ରତ୍ୟେକ ଡିଭିଜନର ଦୁଇଜଣ ଅଧିକାରୀଙ୍କୁଯୋଗାଯାଗ କରିବା ପାଇଁ ମୋବାଇଲ୍ ନମ୍ବର ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ । ସୁଚାରୁରୂପେ ବନ୍ୟା ପରିଚାଳନା ପାଇଁ ମାନକ ପରିଚାଳନା ପଦ୍ଧତି (ଏସଓପି) ପାଳନ କରାଯିବ ବୋଲି ଅନୁଷ୍ଠିତ ବୈଠକରୁ ଜଣାଯାଇଛି ।