କଟକ,୧୧/୦୫: ଆଜି ଓଡ଼ିଶା ପୁଲିସ ସଂଘର କର୍ମକର୍ତ୍ତା  ନିର୍ବାଚନ ଅନୁଷ୍ଠିତ ହେବ ।  ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟର ୩୬ ଟି  ପୁଲିସ ଜିଲ୍ଲା ସମେତ କ୍ରାଇମ୍‌ବ୍ରାଞ୍ଚ୍‌, ଭିଜିଲାନ୍ସ, ସ୍ପେସାଲ୍‌ ବ୍ରାଞ୍ଚ୍‌,  ପୁଲିସ ମୋଟର ପରିବହନ, ପୁଲିସ ଟ୍ରେନିଂ ସ୍କୁଲ୍‌, ଟ୍ରେନିଂ କଲେଜ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ଓ ପୁଲିସ  ମୁଖ୍ୟାଳୟରୁ ଚୟନ ହୋଇଥିବା ପ୍ରାୟ ୩ ଶହ ଡେଲିଗେଟ୍‌ସ୍‌   ବକ୍ସିବଜାରଠାରେ ଥିବା ସଂଘ କାର୍ଯ୍ୟାଳୟରେ  ଉପସ୍ଥିତ ରହିବେ । 

ପ୍ରଥମେ ନିଜ ନାମ ପଞ୍ଜିକରଣ  (ରେଜିଷ୍ଟ୍ରେସନ) କରାଇବେ । ପଞ୍ଜିକୃତ ଡେଲିଗେଟ୍‌ସ୍‌ମାନେ  ୧୫ ଜଣ କେନ୍ଦ୍ରୀୟ କାର୍ଯ୍ୟ ନିର୍ବାହୀ ସଦସ୍ୟ(ସେଣ୍ଟ୍ରାଲ  ଏକ୍‌ଜକ୍ୟୁଟିଭ) ତଥା ସିଇସି ମେମ୍ବର ବାଛିବେ । ସିଇସି  ମେମ୍ବରମାନେ ଅଫିସ କର୍ମକର୍ତ୍ତାଙ୍କୁ ବାଛିବେ । ଉପସଭାପତି,  ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ଆବାହକ, ଯୁଗ୍ମ  ସମ୍ପାଦକ-୧, ୨ ଓ ସଂଗଠନ ସମ୍ପାଦକ ଏପରି ମୋଟ ୭ ଟି  ପଦବି ପାଇଁ ଆସନ୍ତାକାଲି ନମାଙ୍କନ ପତ୍ର(ନୋମିନେସନ୍‌)  ଦାଖଲ ହେବ । ଗୋଟିଏ ଦିନରେ ପ୍ରାର୍ଥିପତ୍ର ଦାଖଲଠାରୁ  ଆରମ୍ଭ କରି ପ୍ରାର୍ଥିପତ୍ର ପ୍ରତ୍ୟାହାର, ଯାଞ୍ଚ୍‌ ଓ ନିର୍ବାଚନ  ହେବା ସହ ଫଳାପଳ ମଧ୍ୟ ଘୋଷଣା ହେବ ବୋଲି  ପୁଲିସ ଅଫିସରମାନଙ୍କଠାରୁ ସୂଚନା ମିଳିଛି । ସଭାପତି  ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି ।  

ଏଥିରେ ରାଜ୍ୟ ପୁଲିସ ବାହିନୀରେ କାର୍ଯ୍ୟରତ ଏଏସ୍‌ଆଇ,  ଏସ୍‌ଆଇ ଓ ଇନ୍ସପେକ୍ଟରମାନେ ସିଧାସଳଖ ମତଦାନ  ଲାଗି ବ୍ୟବସ୍ଥା ରହିଛି । ତେବେ ନିର୍ବାଚିତ ସିଇସି ମେମ୍ବର  ଓ ଅଫିସ କର୍ମକର୍ତ୍ତମାନେ ହିଁ ସଭାପତି ନିର୍ବାଚନ ଲାଗି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ନିର୍ବାଚିତ କର୍ମକର୍ତ୍ତା  ଓ ସଦସ୍ୟମାନଙ୍କ ନିଷ୍ପତ୍ତି ଉପରେ ସଭାପତି ନିର୍ବାଚନ  ନିର୍ଭର କରୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  ନିର୍ବାଚନ ପରିଚାଳନା ଲାଗି ରାଜ୍ୟ ପୁଲିସ ମୁଖ୍ୟାଳୟ  ଏସ୍‌ପି ତପନ କୁମାର ଦାସଙ୍କୁ ଡିଜିପି ନିୟୋଜିତ କରିଛନ୍ତି ।