ଭୁବନେଶ୍ୱର,୦୭/୦୩: ଯୁବକଂଗ୍ରେସ  ଦାବି ଆଗରେ ନରମିଲେ ସରକାର । ଆସନ୍ତା  ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା  ପୁଲିସର ଗ୍ରୁପ୍‌ ‘ବି’ ପଦବି ପାଇଁ ମିଳିତ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ କରିଛନ୍ତି । ତେବେ ଏ ନେଇ ଯୁବନେତା ନେତା ୟାସିର ନୱାଜ  ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ସ୍ୱଚ୍ଛତାର ସହ ପରୀକ୍ଷା ପରିଚାଳନା କରିବାକୁ ରାଜ୍ୟ ସରକାରଙ୍କୁ  ଅନୁରୋଧ କରିଛନ୍ତି । 

ତେବେ ପୁଲିସ  ଏସଆଇ, ଆସିଷ୍ଟାଣ୍ଟ ଜେଲର ଏବଂ ଫାୟାର  ସର୍ଭିସର ଷ୍ଟେସନ ଅଫିସର୍‌ ନିଯୁକ୍ତି ପରୀକ୍ଷା  ପରିଚାଳନା କରିବା ନେଇ ଆଇଟିଆଇ  ଲିମିଟେଡ୍‌ ଏକ ପିଏସୟୁ ସଂସ୍ଥାକୁ ଦାୟିତ୍ୱ  ଦିଆଯାଇଥିଲା । ମାତ୍ର ଏହି ସଂସ୍ଥା ରିଚ୍‌ମାଇଣ୍ଡ  ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ସବ  କଣ୍ଟ୍ରାକ୍ଟ ଦେଇଥିଲା । ସବ କଣ୍ଟ୍ରାକ୍ଟ ନେଇଥିବା ରିଚମାଇଣ୍ଡ ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌  ବିରୋଧରେ ପରୀକ୍ଷା ପରିଚାଳନାରେ ଦୁର୍ନୀତି  ବାବଦରେ ଯୁବକଂଗ୍ରେସ ଅଭିଯୋଗ ଆଣିବା  ସହିତ ପୂର୍ବର ବିଭିନ୍ନ ପ୍ରମାଣ ଦେଖାଇଥିଲା ।  ଯାହାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାରୁ  ଯୁବନେତାମାନେ ଧନ୍ୟବାଦ ଦେଇଛନ୍ତି ।