ନୂଆଦିଲ୍ଲୀ,୨୪/୦୩: ଭାରତ ସମ୍ପ୍ରତି ଦ୍ରୁତ ବିକାଶଶୀଳ ଦେଶ ବିବେଚିତ ହୋଇଛି । ବିଭିନ୍ନ ରାଜ୍ୟ ମଧ୍ୟ ପ୍ରଗତି ପଥରେ ଆଗେଇ ଚାଲିବା ନେଇ ଦାବି କରୁଛନ୍ତି । କିନ୍ତୁ ବିଭିନ୍ନ ସାମାଜିକ ଆଚରଣ କ୍ଷେତ୍ରରେ ଜନତାଙ୍କ ମନୋଭାବରେ କେତେ ପରିବର୍ତ୍ତନ ଆସିଛି? ନାଗରିକ ଆଚରଣ, ସୁରକ୍ଷା, ଲିଙ୍ଗଗତ ମନୋଭାବ, ଭେଦଭାବ ଦିଗରୁ ସେମାନଙ୍କ ମାନସିକତା କେତେ ଉନ୍ନତ ହୋଇଛି, ତାହା ବେଶ୍ ଗୁରୁତ୍ୱ ବହନ କରୁଛି । ତେବେ ଏ ନେଇ ଏକ ସଦ୍ୟ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଯାହା ବିଭିନ୍ନ ସାମାଜିକ ଆଚରଣ କ୍ଷେତ୍ରରେ ରାଜ୍ୟଗୁଡ଼ିକର ସ୍ଥିତିକୁ ପ୍ରତିଫଳିତ କରିଛି ।
‘ଇଣ୍ଡିଆ ଟୁଡେ’ର ଏହି ‘ସାମଗ୍ରିକ ଘରୋଇ ଆଚରଣ (ଜିଡିବି)’ ସର୍ଭେ ରିପୋର୍ଟ ମୁତାବକ, କେରଳ ସାମାଜିକ ଆଚରଣ ସୂଚକାଙ୍କରେ ସବା ଉପରେ ରହିଛି । ଏହା ପଛକୁ ତାମିଲନାଡୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଥିବା ବେଳେ ପଞ୍ଚମ ସ୍ଥାନରେ ଓଡ଼ିଶା ରହିଛି । ୨୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ(ଚଣ୍ଡିଗଡ଼)କୁ ନେଇ ହୋଇଥିବା ଏହି ସର୍ଭେରେ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ସବା ତଳେ ରହିଛନ୍ତି । ସେମାନଙ୍କ ସାମାଜିକ ସୂଚକାଙ୍କ ବେଶ୍ ଦୁର୍ବଳ ରହିଛି ।
ନାଗରିକ ଆଚରଣକୁ ନେଇ ହୋଇଥିବା ସର୍ଭେରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ତାମିଲନାଡୁ ଓ ଦ୍ୱିତୀୟରେ ପଶ୍ଚିମବଙ୍ଗ ରହିଛି । କେରଳ ପଞ୍ଚମ ସ୍ଥାନରେ ଅଛି । ସାଧାରଣ ପରିବହନ ଭଡ଼ାକୁ କିଭଳି ଲୋକେ ଏଡ଼ାଇବାକୁ ଚେଷ୍ଟା କରିଥାନ୍ତି, ତାହା ଏହି ସର୍ଭେରେ ଦର୍ଶାଯାଇଛି । ନାଗରିକ ଆଚରଣ ସର୍ଭେରେ ବିନା ଟିକେଟରେ ଯାତ୍ରା କରିବା, ବାହାରେ ଆବର୍ଜନା ପକାଇବା, ହଇରାଣରେ ପଡ଼ିଥିବା ଲୋକଙ୍କୁ ସହାୟତା ଦେବା ଆଦି ନେଇ ଲୋକଙ୍କ ମନୋଭାବକୁ ପରଖାଯାଇଛି ।
ସରକାରୀ ତଥ୍ୟ ମୁତାବକ, ୨୦୨୩- ୨୪ରେ ରେଳପଥ ୩.୬ କୋଟି ଟିକେଟବିହୀନ ଯାତ୍ରା ଚିହ୍ନଟ କରିଥିଲା, ଯେଉଁଥିରୁ ୨,୨୩୧.୭୪ କୋଟି ଟଙ୍କା ଜରିମାନା ଆଦାୟ ହୋଇଥିଲା । ସେହିଭଳି ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୬୧% ନିଜ କାମ ସହଜରେ କରାଇ ନେବା ଲାଗି ଲାଞ୍ଚ ଦେବାକୁ ଇଚ୍ଛୁକ ଥିବା ଦର୍ଶାଇଛନ୍ତି । ଏ କ୍ଷେତ୍ରରେ ଉତ୍ତର ପ୍ରଦେଶ ସବା ଉପରେ ରହିଛି । ୫୨% ଲୋକ ସମ୍ପତ୍ତି ସମ୍ପର୍କିତ କାରବାରରେ ଟିକସ ଏଡ଼ାଇବା ଲାଗି ନଗଦ ଦେବାକୁ ଶ୍ରେୟ ମଣୁଥିବା କହିଛନ୍ତି ।
ଲିଙ୍ଗଗତ ମନୋଭାବ ସୂଚୀରେ ଓଡ଼ିଶାର ସ୍ଥାନ ନବମ ସ୍ଥାନରେ ରହିଥିବା ବେଳେ କେରଳ ସବା ଉପରେ ରହିଛି । ଉତ୍ତରାଖଣ୍ଡ, ତାମିଲନାଡୁ, ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ର ଶୀର୍ଷ ୫ଟି ସ୍ଥାନରେ ଥିବା ବେଳେ ଉତ୍ତର ପ୍ରଦେଶ ସବା ତଳେ ରହିଛି । ଏହି ସର୍ଭେରେ ଦେଶବ୍ୟାପୀ ମୋଟ ୯ ହଜାରରୁ ଅଧିକ ଲୋକ ଭାଗ ନେଇଥିଲେ । ୬୯% ଲୋକ ମହିଳାମାନେ ସେମାନଙ୍କ ନିଜସ୍ୱ ଆୟ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ନେଇ ମତ ଦେଇଥିବା ବେଳେ ୩୧% ଲୋକଙ୍କ ମୁତାବକ, ପରିବାରର ଅନୁମୋଦନ ଦ୍ୱାରା ହିଁ ଆର୍ଥିକ ନିଷ୍ପତ୍ତି ନିଆଯିବା ଜରୁରି ।
କେରଳ ଏ କ୍ଷେତ୍ରରେ ସବା ଉପରେ ରହିଛି । ଏଠାକାର ସର୍ବାଧିକ ୯୧% ଜବାବଦାତାଙ୍କ ମୁତାବକ ମହିଳାମାନେ ସେମାନଙ୍କ ନିଜ ଆୟ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ଆବଶ୍ୟକ । ତେବେ ଏହି ତାଲିକାରେ ନବମ ସ୍ଥାନରେ ଥିବା ଓଡ଼ିଶାର ମାତ୍ର ୨୭% ଜବାବଦାତା ଏହାକୁ ସମର୍ଥନ କରିଛନ୍ତି । ସର୍ଭେରେ ସାମିଲ ହୋଇଥିବା ରାଜ୍ୟର ଅଧିକାଂଶ ଜବାବଦାତା ପରିବାରର ଅନୁମତି ନେଇ ଆର୍ଥିକ ନିଷ୍ପତ୍ତି ନିଆଯିବା ଉଚିତ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ପାଠ ପଢ଼ିବା ଲାଗି ଝିଅମାନଙ୍କୁ ପୁଅଙ୍କ ଭଳି ସମାନ ଅଧିକାର ଦେବା ନେଇ ଓଡ଼ିଶା ଅଧିକ ସମର୍ଥନ ଜଣାଇଛି । ସାମଗ୍ରିକ ସୂଚକାଙ୍କରେ ୯୩% ଜବାବଦାତା ଏହାକୁ ସମର୍ଥନ କରିଥିବା ବେଳେ ଓଡ଼ିଶାର ୯୮% ଜବାବଦାତା ଏଥିରେ ହଁ ଭରିଛନ୍ତି । କିନ୍ତୁ ଗୁଜରାଟର ୨୨% ଜବାବଦାତା ଏଥିରେ ସହମତି ନ ଥିବା ଜଣାଇଛନ୍ତି । ସାମଗ୍ରିକ ଭାବେ ମାତ୍ର ୬% ଜବାବଦାତା ନିଜ ଅସହମତି ପ୍ରକାଶ କରିଛନ୍ତି ।
ସେହିଭଳି ସାର୍ବଜନୀନ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ କେରଳ ପୁନର୍ବାର ପ୍ରଥମ ସ୍ଥାନରେ ରହିଛି । ହିମାଚଳ ଦ୍ୱିତୀୟ ସ୍ଥାନରେ ରହିଛି । ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୮୬% ସାଧାରଣ ପରିବହନରେ ଯାତ୍ରା ବେଳେ ସୁରକ୍ଷିତ ଅନୁଭବ କରୁଥିବା କହିଛନ୍ତି । କିନ୍ତୁ ୪୪% ମହିଳା ଉତ୍ପୀଡ଼ନର ସମ୍ମୁଖୀନ ହେଉଥିବା ଦର୍ଶାଇଛନ୍ତି ।
ବିବିଧତା ଓ ଭେଦଭାବ ସୂଚୀରେ ଓଡ଼ିଶା ୧୩ତମ ସ୍ଥାନରେ ରହିଛି । କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଚଣ୍ଡିଗଡ଼ ପଞ୍ଚମରେ ରହିଛି । ମଧ୍ୟ ପ୍ରଦେଶ ସବା ତଳେ ଥିବା ସର୍ଭେରୁ ଜଣାପଡ଼ିଛି । ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୬୧% ଲୋକ ଆନ୍ତଃ- ଧାର୍ମିକ ବିବାହକୁ ବିରୋଧ କରୁଥିବା ଦର୍ଶାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି) ୨୦୨୩-୨୪ ଆର୍ଥିକବର୍ଷରେ ୭.୫୮ ଲକ୍ଷ କୋଟି ଟଙ୍କା ଥିଲା ବେଳେ ଏହାର ମୁଣ୍ଡ ପିଛା ଜିଏସ୍ଡିପି ୧,୬୩,୧୦୧ ଟଙ୍କା ରହିଛି, ଯାହା ଜାତୀୟ ହାରଠାରୁ କମ୍ । ଭାରତର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ୧୦% ଯୋଗଦାନ ରହିଛି ।