ଭୁବନେଶ୍ବର, ୨୨/୦୬: ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ତହସିଲର ମୂଳ ଓଡ଼ିଆ ନାମ ସଂଶୋଧନ ଦିଗରେ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ଜାରି । ଇଂରାଜୀରେ ତ୍ରୁଟିପୂର୍ଣ୍ଣ ନାଁ ସଂଶୋଧନ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ଥାନଗୁଡ଼ିକର କୌଣସି ନାମ ପରିବର୍ତ୍ତନ ହୋଇନି ବରଂ ଇଂରାଜୀ ବନାନ ବଦଳିଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିସ କରିଥିଲା । ଏହା ଉପରେ ସୋମବାର ରାଜ୍ୟ ସରକାର ମୋହର ମାରିଛନ୍ତି । କମିଟିର ସୁପାରିସ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ‘Junagarh’ ଓଡ଼ିଆରେ ‘ଜୁନାଗଡ଼ା’, Kandhamal ‘କନ୍ଧମାଳ’ ଏବଂ ସୁନ୍ଦରଗଡ଼ ଜିଲ୍ଲାର ‘Bonaigarh’ ‘ବଣାଇଗଡ଼’ ଲେଖିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ‘Nimapara’ ‘ନିମାପଡ଼ା’, ‘Umerkote’ ‘ଉମରକୋଟ’, ‘Boudhgarh’କ ‘ବୌଦ୍ଧଗଡ଼ା’, ‘Rourkela’ ‘ରାଉରକେଲା’, ‘Talcher’ ‘ତାଳଚେର’ ଏବଂ ‘Soro’ ‘ସୋରା’ ଲେଖିବା ନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି ।
ଏହି ତାଲିକାରେ ଗଞ୍ଜାମ ଜିଲ୍ଲାର ବହୁ ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକର ନାମ ମଧ୍ୟ ସଂଶୋଧିତ ହୋଇ ତାଲିକାରେ ପ୍ରକାଶ ପାଇଛି । ‘Berhampur’କୁ ‘ବ୍ରହ୍ମପୁର’, ‘Hinjilicut’କୁ ‘ହିଞ୍ଜିଳିକାଟୁ’, ‘Aska’କୁ ‘ଆସିକା’ ଏବଂ ‘Surada’କୁ ‘ସୋରଡ଼ା’ ଭାବେ ବିଜ୍ଞପ୍ତିରେ ସ୍ଥାନୀତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ‘Kendrapara’କୁ ‘କେନ୍ଦ୍ରାପଡ଼ା’, ‘Aul’କୁ ‘ଆଳି’ ଓ ‘Mahakalapada’କୁ ‘ମହାକାଳପଡ଼ା’ ଏବେ ଇଂରାଜୀରେ ଲେଖାଯିବ । ସେହିପରି ‘Keonjhar’କୁ ‘କେନ୍ଦୁଝର’, ‘Keonjhargarh’କୁ ‘କେନ୍ଦୁଝରଗଡ଼’ ଏବଂ ‘Barbil’କୁ ‘ବଡ଼ବିଲ’ ନାମରେ ଲେଖାଯିବ । ଖୋର୍ଦ୍ଧା ଜିଲ୍ଲାର ‘Khurda’କୁ ‘ଖୋର୍ଦ୍ଧା’, ‘Bolagarh’କୁ ‘ବୋଲଗଡ଼’, ‘Jatni’କୁ ‘ଜଟଣୀ’ ଏବଂ କୋରାପୁଟର ‘Jeypore’କୁ ‘ଜୟପୁର’ ଲେଖିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ- UG Merit list : ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟ, ପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ