ଭୁବନେଶ୍ୱର,୧୪/୧୧: ପୂର୍ବ ଭାରତରେ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦିଆଯିବ । ବୈଜ୍ଞାନିକ ଅନୁସନ୍ଧିତ୍ସା ଏବଂ ଶିକ୍ଷା ପାଇଁ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଭୁବନେଶ୍ୱରଠାରେ ଏକ ସାଇନ୍ସ ସିଟି ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ୧୦୦ ଏକର ପରିମିତ ସ୍ଥାନରେ ନିର୍ମାଣ କରାଯିବ । ସାଇନ୍ସ ସିଟି ନିର୍ମାଣ ଅଗ୍ରଗତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱରର ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି ।

ଭୁବନେଶ୍ୱର ତହସିଲ ଅନ୍ତର୍ଗତ ହରିପୁର ଓ ଭଗବତୀପୁର ମୌଜାର ଦୁଇଟି ସ୍ଥାନକୁ ମନ୍ତ୍ରୀ ଶ୍ରୀ ପାତ୍ର ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି  । ସବୁ ଦିଗକୁ ବିଚାରକୁ ନେଇ ଏହି ଦୁଇଟି ସ୍ଥାନ ମଧ୍ୟରୁ କୌଣସି ଗୋଟିଏ ସ୍ଥାନରେ ହିଁ ସାଇନ୍ସ ସିଟି ନିର୍ମାଣ କରାଯିବାର ପ୍ରସ୍ତାବ ରହିବ ବୋଲି ଆଲୋଚନାରେ କହିଛନ୍ତି । ଏହି ଅବସରରେ ଭୁବନେଶ୍ୱର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ ଓ ତହସିଲଦାର ସମ୍ପୃକ୍ତ ସ୍ଥାନର ନକ୍ସା ଦେଖାଇବା ସହ ଅବସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟରେ ସାଇନ୍ସ ସିଟି ନିର୍ମାଣ ପୂର୍ବରୁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଦଳ କୋଲକାତା, ଅହମ୍ମଦାବାଦ ଓ ବିହାରର ପାଟନାସ୍ଥିତ ସାଇନ୍ସ ସିଟି ପରିଦର୍ଶନ କରି ବିଜ୍ଞାନ କେନ୍ଦ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସବିଶେଷ ଆଲୋଚନା କରି ନିର୍ମାଣଶୈଳୀ ବାବଦରେ ଅବଗତ ହୋଇଛନ୍ତି ।