ଭୁବନେଶ୍ୱର,୦୧/୦୨: ଶୀଘ୍ର ଓଡ଼ିଶାକୁ ମିଳିବ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ । ତେବେ ଭୁବନେଶ୍ୱରରୁ ବେଙ୍ଗାଲୁରୁ, ମୁମ୍ୱାଇ, ଦିଲ୍ଲୀ ରୁଟ୍ରେ ଏହି ଟ୍ରେନ୍ ଚଳାଇବାକୁ ଦାବି ଉଠିଛି । ଏହି ରୁଟ୍‌ରେ ଯିବା ପାଇଁ ଯାତ୍ରୀ ଚାହିଦା ମଧ୍ୟ ରହିଛି ଯାହାକୁ ଦେଖି ରେଳ ମନ୍ତ୍ରାଳୟ ଶୀଘ୍ର ଓଡ଼ିଶା ପାଇଁ ବନ୍ଦେ ସ୍ଲିପର୍ ଟ୍ରେନ୍ ଘୋଷଣା କରିବ ବୋଲି ସୂଚନା ମିଳିଛି । ଆଗାମୀ କେନ୍ଦ୍ର ବଜେଟରେ ୩ଶହ ନୂଆ ଟ୍ରେନ୍ ଚଳାଇବାକୁ ଯୋଜନା ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏବେ ଓଡ଼ିଶାରେ ଏ ନେଇ ରେଳଯାତ୍ରୀଙ୍କ ମହଲରେ ଆଶା ସଞ୍ଚାର ହୋଇଛି ।

ଏହି ୩ଶହ ନୂଆ ଟ୍ରେନ୍ ମଧ୍ୟରେ ଅଧିକାଂଶ ଟ୍ରେନ୍ ବନ୍ଦେ ଭାରତ ଓ ଅମୃତ ଭାରତ ଏକ୍ସପ୍ରେସ୍ ରହିବ । ସେଥିରେ ଓଡ଼ିଶାର ସିଂହ ଭାଗ ରହିବ ବୋଲି ବଳିଷ୍ଠ ଯୁକ୍ତି ରହିଛି । ବିଶେଷ କରି ପୂର୍ବତଟ ରେଳପଥ ଦୀର୍ଘ ଦିନ ହେବ ରେଳ ମନ୍ତ୍ରଣାଳୟକୁ ସର୍ବାଧିକ ମାଲ୍ ପରିବହନ କରି ରେକର୍ଡ କରୁଥିବାରୁ ଏବେ ରାଜ୍ୟକୁ ନୂଆ ବନ୍ଦେ ସ୍ଲିପର୍, ବନ୍ଦେ ଭାରତ ଓ ଅମ୍ରିତ ଭାରତ ମିଳିବାର ସମ୍ଭାବନା ଦେଖାଦେଇଛି ।

ସେହିପରି କୋରାପୁଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି । ଏଠାରେ ଦେଓମାଳିଠୁ ଆରମ୍ଭ କରି ଡୁଡ଼ୁମା ଜଳପ୍ରପାତ, ଗୁପ୍ତେଶ୍ୱର ଶିବ ମନ୍ଦିର, ବାଲଦା ଗୁମ୍ଫା, ଦାମନଯୋଡ଼ି ଶିଳ୍ପାଞ୍ଚଳ, ସୁନାବେଡ଼ା ମିଗ୍ ବିମାନ କାରଖାନା ରହିଛି । ଏଠାକୁ ଯିବା ପାଇଁ ଦିନକୁ ଦିନ ଯାତ୍ରୀ ଚାହିଦା ବଢ଼ୁଥିବା ବେଳେ ଭୁବନେଶ୍ୱରରୁ କୋରାପୁଟକୁ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବାକୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା ଯାହା ଆସନ୍ତା ବଜେଟରେ ପୂରଣ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଅନୁରୁପ ଭାବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ବନ୍ଦେ ମେଟ୍ରୋ ଚାଲିବା ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୨୬ରେ ରାଜ୍ୟରେ ବନ୍ଦେ ମେଟ୍ରୋ ସ୍ୱପ୍ନ ସାକାର ହେବା ପାଇଁ ପଥ ସୁଗମ ହେଉଛି ।

ଆହୁରି ପଢ଼ନ୍ତୁ:- ଆଉ କିଛି ଘଣ୍ଟାର ଅପେକ୍ଷା...ଖୋଲିବ ନିର୍ମଳା ସୀତାରମଣଙ୍କ ବଜେଟ ପେଡ଼ି, ନବମ ଥର ଉପସ୍ଥାପନ କରିବେ କେନ୍ଦ୍ର ବଜେଟ୍

ଅପରପକ୍ଷେ ଆଗାମୀ ଦିନରେ ପୁରୀ-କୋଣାର୍କ-ଭୁବନେଶ୍ୱରକୁ ଯୋଡ଼ିବା ପାଇଁ ନୂଆ ରେଳ ରୁଟ୍ କାର୍ଯ୍ୟକ୍ଷମ ହେବ । ସେ ଦିଗରେ କାମ ଆହୁରି ଆଗେଇବ । ଖଡ଼ଗପୁର-ଯାଜପୁର ରୋଡ୍ ଏକ୍ସପ୍ରେସ କେନ୍ଦୁଝରଗଡ଼ ପର୍ଯ୍ୟନ୍ତ ଚାଲିବା, ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ ଓ ହାଓଡ଼ାଜନଶତାବ୍ଦୀ ଏକ୍ସପ୍ରେସ୍କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ବିଶାଖାପାଟଣା-ହାଇଦ୍ରାବାଦ ଏକ୍ସପ୍ରେସକୁ ଓଡ଼ିଶା ପର୍ଯ୍ୟନ୍ତ ଚଳାଇବାକୁ ଦାବି ହେଉଥିବାରୁ ଆଗାମୀ ବଜେଟରେ ଏ ନେଇ ନିଷ୍ପତ୍ତି ହୋଇପାରେ ବୋଲି ବରିଷ୍ଠ ରେଳ ଅଧିକାରୀ ଆଶା ବ୍ୟକ୍ତ କରିଛନ୍ତି । ବିଶେଷ କରି ଓଡ଼ିଶା ରେଳ ମାନଚିତ୍ରରେ ୩୦ଟି ଯାକ ଜିଲ୍ଲା ଯୋଡ଼ିବାକୁ ରେଳ ମନ୍ତ୍ରଣାଳୟ ପଦକ୍ଷେପ ନେବ । କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ଦେବଗଡ଼ ଜିଲ୍ଲାକୁ ରେଳ ସଂଯୋଗ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।