ଭୁବନେଶ୍ୱର,୧୫/୦୧: ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ ଭୋଟର ତାଲିକାର ବିଶେଷ ପୁଙ୍ଖାନୁପୁଙ୍ଖ ସଂଶୋଧନ ବା ଏସ୍ଆଇଆର୍। ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ ଏସ୍ଆଇଆର୍ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏସ୍ଆଇଆର୍ ପ୍ରକ୍ରିୟାକୁ ଆହୁରି ସରଳ କରିବା ପାଇଁ ୨୦୦୨ ଓ ୨୦୨୫ ଭୋଟର ତାଲିକା ମ୍ୟାପିଂ ଜୋର୍ସୋର୍ରେ ଚାଲିଛି । ଜାନୁଆରୀ ଶେଷ ସୁଦ୍ଧା ଭୋଟର ତାଲିକା ମ୍ୟାପିଂ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୧୨ଟି ରାଜ୍ୟରେ ଏସ୍ଆଇଆର୍ କାମ ଚାଲିଛି, ଯାହା ଫେବ୍ରୁଆରୀରେ ସରିବ । ଏହା ପରେ ଓଡ଼ିଶାର ପାଳି । ମାର୍ଚ୍ଚ କିମ୍ବା ଏପ୍ରିଲରୁ ଓଡ଼ିଶାରେ ଏସ୍ଆଇଆର୍ ଆରମ୍ଭ ହେବ । ଏହି ଅଭିଯାନରେ ମାସେ ଫର୍ମ ସଂଗ୍ରହ ଚାଲିବ । ତା’ପରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏହା ଉପରେ ଆପତ୍ତି, ଅଭିଯୋଗ ଆହ୍ୱାନ କରାଯିବ ।

ଶେଷରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏସ୍ଆଇଆର୍ର ପୂରା ପ୍ରକ୍ରିୟା ମୋଟ ୩ ମାସ ଧରି ଚାଲିବ । ଜୁନ୍ ଶେଷ ସୁଦ୍ଧା ସବୁ ସରିଲେ ଜୁଲାଇ ବେଳକୁ ଚୂଡ଼ାନ୍ତ ଭୋଟର ପ୍ରକାଶ ପାଇବ । ୨୦୦୨ରେ ଶେଷ ଥର ପାଇଁ ଓଡ଼ିଶାରେ ଏସ୍ଆଇଆର୍ କରାଯାଇଥିଲା । ୨୦୦୨ ଭୋଟର ତାଲିକା ଓ ୨୦୨୫ ଭୋଟର ତାଲିକାକୁ ସମ୍ମିଳିତ କରି ଭୋଟରଙ୍କୁ ମ୍ୟାପିଂ କରାଯାଉଛି । ଏବେ ସୁଦ୍ଧା ୭୦% ଭୋଟରଙ୍କର ମ୍ୟାପିଂ ସରିଛି । ଛତିଶଗଡ଼ରେ ୯୭% ଭୋଟରଙ୍କର ମ୍ୟାପିଂ କରାଯାଇଥିଲା । ଓଡ଼ିଶାରେ ଅନ୍ୟୁନ ୯୫% ଭୋଟର ମ୍ୟାପିଂ କରିବାକୁ ଲକ୍ଷ୍ୟ ରହିଛି । ଏହି ମ୍ୟାପିଂ ଯୋଗୁ ଏସ୍ଆଇଆର ପ୍ରକ୍ରିୟା ଆହୁରି ସରଳ ହେବ।

୨୦୦୨ରେ ଯେଉଁମାନେ ଭୋଟର ଥିଲେ, ସେମାନଙ୍କୁ କିଛି ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ । ସେମାନଙ୍କର ସ୍ୱତଃ ମ୍ୟାପିଂ ହୋଇଯିବ । ଯେଉଁମାନଙ୍କର ନାମ ୨୦୦୨ ଭୋଟର ତାଲିକାରେ ନଥିଲା, ଯଦି ସେମାନଙ୍କ ବାପା, ଜେଜେ ଓ ପରିବାର ସଦସ୍ୟଙ୍କ ନାମ ଥିଲା, ସେମାନଙ୍କ ପାଇଁ ମଧ୍ୟ କିଛି ଅସୁବିଧା ହେବନି । ଅନ୍ୟ ରାଜ୍ୟରେ ପରିବାର ସଦସ୍ୟଙ୍କ ନାମ ଥିଲେ ମଧ୍ୟ କିଛି ସମସ୍ୟା ହେବନି । ଯେଉଁମାନଙ୍କର ମ୍ୟାପିଂ ହୋଇଯିବ, ସେମାନଙ୍କୁ ଆଉ କିଛି ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ । ଯେଉଁ ଭୋଟରଙ୍କର ମ୍ୟାପିଂ ହୋଇପାରିଲା ନାହିଁ, ସେଥିପାଇଁ ଆବାସିକ ପ୍ରମାଣପତ୍ର(ରେସିଡେଣ୍ଟ ପ୍ରମାଣପତ୍ର) ଓ ଜନ୍ମ ପ୍ରମାଣପତ୍ର ଦେବାକୁ ହେବ । କୌଣସି ଭାରତୀୟ ଏସ୍ଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ । ସେହିପରି କେହି ଏକାଧିକ ସ୍ଥାନର ଭୋଟର ରହିପାରିବେନି । କେବଳ ଗୋଟିଏ ସ୍ଥାନରେ ଭୋଟର ରହିବେ । ପୂର୍ବରୁ ରାଜ୍ୟରେ ବୁଥ୍ ସଂଖ୍ୟା ୩୮ ହଜାର ୬୭ ଥିଲା । ଏସଆଇଆର୍ ପୂର୍ବରୁ ବୁଥ୍ ସଂଖ୍ୟା ୭୧୯୦ଟି ବୃଦ୍ଧି ପାଇଛି।