ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଘରୋଇ ନିବେଶ କ୍ଷେତ୍ରରେ ଟପ୍‌ରେ ଓଡ଼ିଶା, ୧.୪ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ

Published By : Rasmita Pradhan | July 3, 2025 12:56 PM

ନୂଆଦିଲ୍ଲୀ, ୦୩/୦୭ : ଘରୋଇ ପୁଞ୍ଜି ବିନିଯୋଗରେ ସବୁଠାରୁ ଆଗରେ ରହିଛି ଓଡ଼ିଶା । ନୂଆ ନିବେଶ ଟାଣିବାରେ ବିକଶିତ ରାଜ୍ୟଗୁଡ଼ିକୁ ଏହା ପଛରେ ପକାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟିର ନିବେଶ ହୋଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ଡାଟାରୁ ଜଣାପଡ଼ିଛି । ଏହା ସମଗ୍ର ଦେଶରେ ସର୍ବବୃହତ୍‌ । ରିପୋର୍ଟ ଅନୁସାରେ, ଜୁନ୍‌ ତ୍ରୈମାସରେ ସାରା ଦେଶରେ ଘରୋଇ କ୍ଷେତ୍ର କମ୍ପାନିଗୁଡ଼ିକ ଦ୍ୱାରା ନୂଆ ପ୍ରକଳ୍ପ ଘୋଷଣା ୪ଟି ତ୍ରୟମାସର ସର୍ବନିମ୍ନ ସ୍ତରକୁ ଖସିଛି । କମ୍ପାନିଗୁଡ଼ିକ ଏହି ତ୍ରୟମାସରେ ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛନ୍ତି । ଯାହା ଗତ ଆର୍ଥିକ ବର୍ଷ ସମାନ ଅବଧିର ୧.୪ ଲକ୍ଷ କୋଟି ଟଙ୍କା ତୁଳନାରେ ୨ ଗୁଣା । ନିବେଶ କ୍ଷେତ୍ରରେ ଓଡ଼ିଶା ଟପ୍‌ରେ ରହିଛି । ୩.୫ ଲକ୍ଷ କୋଟିର ନିବେଶ ମଧ୍ୟରୁ ଶୀର୍ଷ ୫ ରାଜ୍ୟରେ ୮୫.୭% ବିନିଯୋଗ ହୋଇଛି । 

ଓଡ଼ିଶା ପରେ ଆନ୍ଧ୍ର ପ୍ରଦେଶରେ ୪୭,୧୧୦.୭ କୋଟି ଏବଂ ହରିଆଣାରେ ୪୫,୯୩୦ କୋଟିର ନିବେଶ ହୋଇଛି । ଏ ପରିପ୍ରେକ୍ଷୀରେ ଇଣ୍ଡିଆ ରେଟିଂର ନିର୍ଦ୍ଦେଶକ ପାରସ ଜଶରାଏ କହିଛନ୍ତି, ଏବେ ଯୁଦ୍ଧ ଏବଂ ଟାରିଫ ଯୋଗୁ ନୂଆ ପ୍ରକଳ୍ପ ଘୋଷଣା କରିବାରେ କମ୍ପାନି ଅନେକ ଥର ଚିନ୍ତା କରୁଛନ୍ତି । ଏବେ ଭାରତ ଏବଂ ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ବିଚାର କରୁଛନ୍ତି । ଏହା ଜୁଲାଇ ୯ ପୂର୍ବରୁ ଚୂଡ଼ାନ୍ତ ହୋଇପାରେ । ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରମୁଖ ଅର୍ଥନୀତିଜ୍ଞ ସାକ୍ଷୀ ଗୁପ୍ତା କହିଛନ୍ତି, ଘରୋଇ କ୍ଷେତ୍ରରେ ଦୃଢ଼ ଚାହିଦା ଜାରି ରହିଲେ ଏହା ନିବେଶକୁ ଆକୃଷ୍ଟ କରିବାରେ ସହାୟକ ହେବ । ସେହିଭଳି ରପ୍ତାନି ଭିତ୍ତିକ କ୍ଷେତ୍ର ଲାଗି ବାହ୍ୟ ଚାହିଦା ବେଶ ଗୁରୁତ୍ୱ ବହନ କରେ । ଘରୋଇ କ୍ଷେତ୍ରର ନିବେଶ ଆଗ୍ରହ ନେଇ କେନ୍ଦ୍ର ସରକାର ଏପ୍ରିଲରେ ଏକ ସର୍ଭେ କରିଥିଲେ । ଏହାକୁ ଦେଖିଲେ ନୂଆ ପ୍ରକଳ୍ପରେ ନିବେଶ ସର୍ଭେ ସହ ଖାପ ଖାଉଛି । ଚଳିତ ଆର୍ଥିକ ବର୍ଷ ଘରୋଇ କ୍ଷେତ୍ରର ପୁଞ୍ଜି ଖର୍ଚ୍ଚ ୪.୯ ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଉଛି । ଯାହା ୨୦୨୪-୨୫ରେ ୬.୬ ଲକ୍ଷ କୋଟି ଟଙ୍କା ରହିଥିଲା ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି । 

ବ୍ୟାଙ୍କ ଅଫ୍‌ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାଭିସ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ଭାଗରେ ଘରୋଇ ନିବେଶ କ୍ଷେତ୍ରରେ କେତେକ ପରିବର୍ତ୍ତନ ଆସିପାରେ । ପାର୍ବଣ ଯୋଗୁ ଅଗଷ୍ଟରୁ ଘରୋଇ ଚାହିଦାରେ ଉନ୍ନତି ଆସିବାର ସମ୍ଭାବନା ଥିବାରୁ ସେହି ଅନୁସାରେ ନିବେଶ ପରିବେଶରେ ମଧ୍ୟ ପରିବର୍ତ୍ତନ ଆସିବ । ଅନ୍ୟପଟେ ଏପ୍ରିଲ-ମେ’ ଅବଧିରେ ସରକାରଙ୍କ ପୁଞ୍ଜି ଖର୍ଚ୍ଚ ୫୪% ବୃଦ୍ଧି ହୋଇ ୨.୨ ଲକ୍ଷ କୋଟି ଟଙ୍କା ଛୁଇଁଛି । ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସରେ ୩୨୪ଟି ନୂଆ ଘରୋଇ କ୍ଷେତ୍ର ପ୍ରକଳ୍ପ ସମ୍ପର୍କରେ ଘୋଷଣା ହୋଇଛି । ଧାତବ ଏବଂ ଧାତବ ଉତ୍ପାଦ କ୍ଷେତ୍ରରେ ନୂଆ ପ୍ରକଳ୍ପରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଥିବା ବେଳେ ବିଜୁଳି କ୍ଷେତ୍ରରେ ୬୩,୨୦୭ କୋଟି ଏବଂ ପରିବହନ କ୍ଷେତ୍ରରେ ୪୪,୮୯୩ କୋଟି ଟଙ୍କା ନିବେଶ ହୋଇଥିବା ସିଏମ୍‌ଆଇଇ ପକ୍ଷରୁ ସୁଚନା ମିଳିଛି । 

ଉଲ୍ଲେଖଯୋଗ୍ୟ, ଓଡ଼ିଶାକୁ ନିବେଶର ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାର ଇଜ୍‌ ଅଫ୍‌ ଡୁଇଁ ବିଜନେସରେ ଉନ୍ନତି ଆଣିବା ଳାଗି ନିରନ୍ତର ଉଦ୍ୟମ କରୁଛନ୍ତି । ଏ କ୍ଷେତ୍ରରେ ରାଜ୍ୟକୁ ଟପ୍‌ ୩ରେ ସ୍ଥାନିତ କରିବା ଲାଗି ପଦକ୍ଷେପ ନିଆଯାଉଛି । ଉନ୍ନତ ବାଣିଜ୍ୟିକ ପରିବେଶ, ନୀତିଗତ ପଦକ୍ଷେପ ଏବଂ ଭିତ୍ତିଭୂମି ଦୃଢ଼ୀକରଣ ଦିଗରେ ରାଜ୍ୟ ଗ୍ରହଣ କରୁଥିବା ପଦକ୍ଷେପ ଯୋଗୁ ଓଡ଼ିଶା ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହେଉଛି ବୋଲି କୁହାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.