ବାଲେଶ୍ୱର,୨୯/୦୫(ଆଲୋକ କୁମାର ବାରିକ୍): ଯେଉଁଠି ଶିକ୍ଷାକୁ ନେଇ ଅଭିଭାବକମାନେ ଯତ୍ନଶୀଳ ନ ଥିଲେ, ସେଠାରେ ସେମାନେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ ସରକାରୀ ଚାକିରି ପଛରେ ନ ଗୋଡ଼ାଇ ମାଗଣାରେ ଆଦିବାସୀ ପିଲାଙ୍କୁ ପାଠ ପଢ଼ାଇବାକୁ ସ୍ୱପ୍ନ ଦେଖିଥିଲେ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ଅକ୍ଳାନ୍ତ କରିବାକୁ ପଡ଼ିଥିଲା । ଶେଷରେ ସେମାନେ ନିଜ ସ୍ୱପ୍ନକୁ ସାକାର କରିଛନ୍ତି । ସେମାନଙ୍କ ପାଇଁ ସ୍ଥାନୀୟ ଅଞ୍ଚଳର ଆଦିବାସୀ ପିଲା ଶିକ୍ଷା ପ୍ରତି ଆକୃଷ୍ଟ ହେଉଛନ୍ତି । ଆଦିବାସୀ ପିଲାଙ୍କ ପାଇଁ ଶିକ୍ଷାର ଆଲୋକବର୍ତ୍ତିକା ସାଜିଥିବା ଏହି ଦମ୍ପତି ହେଉଛନ୍ତି ସଦର ବ୍ଲକ ଅନ୍ତର୍ଗତ ଶ୍ରୀକୋଣା ଗ୍ରାମର କାନ୍ଦନ ହାଁସଦା (୩୪) ଓ ରାଇମଣୀ ହାଁସ୍ଦା (୩୦) । କାନ୍ଦନ କଳାରେ ସ୍ନାତକ ରାଇମଣୀ ଆଇଟିଆଇ କରିଛନ୍ତି । ଏହି ଶିକ୍ଷିତ ଦମ୍ପତି ନିଜ ଗ୍ରାମରେ ଥିବା ଶିକ୍ଷାନୁଷ୍ଠାନରେ ନିଜ ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳର ଛୋଟ ଛୋଟ ପିଲାଙ୍କୁ ଦୀର୍ଘ ୧୪ ବର୍ଷ ଧରି ମାଗଣାରେ ପ୍ରାଥମିକ ଶିକ୍ଷା ଦେଇଆସୁଛନ୍ତି ।
ଏହା ଉପରେ ସୂଚନା ଦେଇ କାନ୍ଦନ କହନ୍ତି ସଚେତନତା ଅଭାବରୁ ଆମ ଗାଆଁ ସମେତ ଆଖପାଖ ଅଞ୍ଚଳର ଆଦିବାସୀ ବାପା-ମାଆମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ଆଗ୍ରହ ପ୍ରକାଶ କରୁନଥିଲେ । ଫଳରେ ପିଲାମାନେ ଅଳ୍ପ ବୟସରୁ ବିପଥଗାମୀ ହେଉଥିଲେ । ସୁନ୍ଦର ଜୀବନ ଆରମ୍ଭ କରିବା ପୂର୍ବରୁ ନିଶାସକ୍ତ ହୋଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଛନ୍ଦି ହୋଇଯାଉଥିଲେ । ଯାହା ମୋ ପିଲା ବେଳେ ଘଟୁଥିଲା । ଏହି ଧାଡ଼ିରୁ ବାହାରିବା ପାଇଁ ମୋତେ ଅନେକ କଷ୍ଟ ସହିବାକୁ ପଡ଼ିଥିଲା । ମୋ ବାପା-ମାଆଙ୍କ ସମର୍ଥନ ଯୋଗୁ ମୁଁ ପାଠ ପଢ଼ିଲି । ଶିକ୍ଷିତ ହେଲି । ପରେ ମୋ ଅଞ୍ଚଳର ଅନ୍ୟ ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଥିଲି ବୋଲି କାନ୍ଦନ କହନ୍ତି । କାନ୍ଦନ ନିଜ ଅଞ୍ଚଳରେ ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ସ୍ୱପ୍ନ ଦେଖୁଥିବାବେଳେ କାହାରିଠାରୁ ସହଯୋଗ ପାଉ ନ ଥିଲେ ।
ଅଧିକ ପଢ଼ନ୍ତୁ :- ମୟୂରଭଞ୍ଜ ମାଟିରୁ ମୁମ୍ବାଇର ଜାତୀୟ ମଞ୍ଚ ପର୍ଯ୍ୟନ୍ତ ଗୌରବ ଯାତ୍ରା, ମେରି ପୌଷ୍ଟିକ ରୋଷେଇ ସିଜିନ୍-୮ ବିଜେତା ସ୍ମୃତି ସମ୍ପର୍ଣ୍ଣା
ଏନେଇ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ ମଧ୍ୟ କରୁଥିଲେ । ଏହା ଜାଣିବା ପରେ ବାଲେଶ୍ୱର ରୋଟାରୀ କ୍ଲବର ସଦସ୍ୟମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ । ଏହି ଗ୍ରାମର ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ସେମାନେ ଏକ ସ୍କୁଲ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳସ୍ୱରୂପ ୨୦୧୨ରେ ଆଦିବାସୀଙ୍କ ସ୍ୱାଧୀନତା ସଂଗ୍ରାମୀ ଶିଦୁ କାହ୍ନୁଙ୍କ ନାମରେ ‘ଶିଦୁ କାହ୍ନୁ ଶିଶୁ ବିଦ୍ୟାମନ୍ଦିର’ ନାମରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କଲେ । କାନ୍ଦନ ଓ ତାଙ୍କ ସ୍ତ୍ରୀ ରାଇମଣୀଙ୍କୁ ଶିକ୍ଷକ ଭାବେ ନିଯୁକ୍ତ ଦେଇଥିଲେ । ଏଥିପାଇଁ ପାରିଶ୍ରମିକ ଭାବେ ସେମାନଙ୍କୁ ୩୫ଶହ ଟଙ୍କା ଦେଉଥିଲେ । ଯାହା ସେମାନଙ୍କ ପରିଶ୍ରମ ତୁଳନାରେ କିଛି ନୁହେଁ । ତଥାପି ସ୍ଥାନୀୟ ଅଞ୍ଚଳର ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଉଭୟ ଏହି ବ୍ରତରେ ବ୍ରତୀ ଅଛନ୍ତି ।
ଏହି ଦମ୍ପତିଙ୍କ ପାଇଁ ପୂର୍ବରୁ ଯେଉଁଠି ପିଲାମାନେ ଶିକ୍ଷାଠାରୁ ଦୂରେଇ ରହୁଥିଲେ ଏବେ ସେଠାରେ ଅଧିକାଂଶ ପିଲା ପାଠ ପଢ଼ୁଛନ୍ତି । ଏମାନଙ୍କ ଉଦ୍ୟମ ଯୋଗୁ ଏହି ୧୪ ବର୍ଷ ଭିତରେ ଆଖାପାଖ ଅଞ୍ଚଳର ୩ଶହରୁ ଊଦ୍ଧ୍ୱର୍ ପିଲାଙ୍କୁ ଶିକ୍ଷିତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି । ସେମାନେ ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ସହ ଶିକ୍ଷିତ ହୋଇଛନ୍ତି । ଏହି ଶିକ୍ଷାନୁଷ୍ଠାନରେ କାନ୍ଦନ ଓ ରାଇମଣୀ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦିଅନ୍ତି । ପରେ ସେମାନଙ୍କୁ ବିଭିନ୍ନ ସ୍କୁଲରେ ନାମ ଲେଖାନ୍ତି । ଏଠାରେ ପଢ଼ିଥିବା ଅଧିକାଂଶ ପିଲା ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଏଭିଏସ୍, ଏକଲବ୍ୟଠାରୁ ଆରମ୍ଭ କରି ଭଲ ଭଲ ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି । ଆଉ କିଛି ପିଲା ଭଲ ଚାକିରି ବି କରିଲେଣି । ସ୍ଥାନୀୟ ଅଞ୍ଚଳରେ ଶିକ୍ଷିତ ସଂଖ୍ୟା ବୃଦ୍ଧିର ଶ୍ରେୟ ବରିଷ୍ଠ ରୋ. ସୁବ୍ରତ କର ଏହି ଦମ୍ପତିଙ୍କୁ ଦେଇଛନ୍ତି ।
ସେ କହିଛନ୍ତି³ ପୂର୍ବରୁ ଏହି ଅଞ୍ଚଳର ଅଧିକାଂଶ ଆଦିବାସୀ ନିଶାସକ୍ତ ରହୁଥିଲେ । ଫଳରେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ଉପରେ ଗୁରୁତ୍ୱ ଦେଉ ନ ଥିଲେ । ଏହା ଜାଣିବା ପରେ ଆଦିବାସୀ ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ । ଏଠାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲୁ । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏହି ଦମ୍ପତିଙ୍କୁ ଆମେ ସ୍ୱଳ୍ପ ଦରମା ଦେଇଥିଲୁ । ଯାହାକି ସେମାନଙ୍କ ପରିଶ୍ରମ ତୁଳନାରେ କିଛି ନୁହେଁ । ତଥାପି ଏହି ଦମ୍ପତି ସ୍ଥାନୀୟ ଅଞ୍ଚଳର ପିଲାଙ୍କୁ ଶିକ୍ଷିତ କରିବାର ଯେଉଁ ସଂକଳ୍ପ ନେଇଛନ୍ତି³ ତାହାକୁ ଯେତେ ପ୍ରଶଂସା କଲେ କମ୍ ହେବ ବୋଲି ସେ କହିଛନ୍ତି ।