ଭବାନୀପାଟଣା,୨୧।୨: ଆୟବର୍ହିଭୂତ ସମ୍ପତ୍ତି ଉପରେ ରେଡ୍ । ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଞ୍ଜର ଭାଗବତ ଭୂଷଣ ବେହେରାଙ୍କ ଠିକଣାରେ ଚଢ଼ାଉ। ରୋଜଗାର ଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିଜିଲାନ୍ସ ଟିମ୍ । ସକାଳୁ ପ୍ରାୟ ଦୁର୍ନୀତି ନିବାରଣ ବିଭାଗର ତିନୋଟି ଟିମ୍ ଭବାନୀପାଟଣା ସହିତ ଭାଗବତ ବେହେରାଙ୍କ ଏକାଧିକ ଠିକଣାରେ ଚଢ଼ାଉ ଜାରି ରଖିଛନ୍ତି । ଭାବନୀପାଟଣା ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ରେଡ୍ ଚାଳିଛି ।
ସୂଚନା ଅନୁସାରେ ଭବାନୀପାଟଣା ହିଲ୍ ଟାଉନ୍ରେ ଫରେଷ୍ଟରଙ୍କ ଗୋଟିଏ ତିନି ମହଲା କୋଠା ରହିଛି । ସେହିପରି ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉଣ୍ଡି ଗାଁରେ ଥିବା ପୈତୃକ ବାସ ଭବନ ଏବଂ ଭଟାଙ୍ଗପଦର ସେକ୍ସନ ସ୍ଥିତ ଫରେଷ୍ଟରଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଏଥିରେ ୪ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ୍ ରହିଛନ୍ତି ।
ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ, ସୁନା ଗହଣା ଏବଂ ଜମିବାଡ଼ି ସମ୍ପର୍କିତ କାଗଜପତ୍ରର ଯାଞ୍ଚ ଚାଲିଛି। ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ତା’ର ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଅଧିକ ପଢ଼ନ୍ତୁ-ଭଗବାନପୁର ଆତଙ୍କରାଜ ମାମଲା: ମାଷ୍ଟରମାଇଣ୍ଡ କର୍ପୋରେଟରଙ୍କୁ ମିଶାଇ ୫ ଗିରଫ, ଆହୁରି ଫେରାର