ଭୁବନେଶ୍ୱର,୧୬/୧୨: ୨୦୩୬ ବେଳକୁ ସ୍ୱତନ୍ତ୍ର ପ୍ରଦେଶ ଗଠନକୁ ଶହେ ବର୍ଷ ପୂରଣ ହେବ । ୨୦୪୭ ବେଳକୁ ଭାରତ ସ୍ୱାଧୀନ ହେବାକୁ ଶହେ ବର୍ଷ ହେବ । ଏହି ଅବସରରେ ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ଗଠନ ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କ ମତାମତ ଲୋଡିଥିଲେ । ‘ଓଡ଼ିଶା ଭିଜନ୍-୨୦୩୬ ଓ ୨୦୪୭’ ପାଇଁ ଇମେଲ୍ ଓ ହ୍ୱାଟସଆପ୍ରେ ମତ ଦେବାକୁ ଅନୁରୋଧ କରିଥିଲେ । ସରକାରଙ୍କ ଏହି ପ୍ରୟାସକୁ ମିଳିଛି ଐତିହାସିକ ସଫଳତା । ଏଥିରେ ସାମିଲ ହୋଇଛନ୍ତି ୩ ଲକ୍ଷରୁ ଅଧିକ ନାଗରିକ । ବିଭିନ୍ନ ପରାମର୍ଶ ଦେଇଛନ୍ତି । ସେଥିମଧ୍ୟରୁ ଅଧିକାଂଶ ନାଗରିକ ଜଳବାୟୁ ସହିତ ଖାପ ଖୁଆଇ ସ୍ମାର୍ଟ ଚାଷ ନେଇ ପରାମର୍ଶ ଦେଇଛନ୍ତି ।
ଅଧିକାଂଶ ନାଗରିକ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ସହ ପର୍ଯ୍ୟଟନ ଓ ଐତିହ୍ୟକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିରେ ଭାଗ ନେଇଥିବା ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଓଡ଼ିଶାର ଭବିଷ୍ୟତକୁ ସୁନ୍ଦର ରୂପ ଦେବାକୁ ବହୁମୂଲ୍ୟ ପରାମର୍ଶମାନ ଦେଇଛନ୍ତି । ତେଣୁ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’ରେ ଭାଗ ନେଇଥିବା ସମସ୍ତ ନାଗରିକଙ୍କୁ ଧନ୍ୟବାଦ ।
ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା କୃତ୍ରିମ ବୁଦ୍ଧିମତା (ଏଆଇ) ଜ୍ଞାନକୌଶଳ ବ୍ୟବହାର କରି ଲୋକଙ୍କ ମତାମତର ସମୀକ୍ଷା କରିଛି । ଶ୍ରେଷ୍ଠ ମତଗୁଡ଼ିକୁ ସଂଗ୍ରହ କରି ରାଜ୍ୟ ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଛି । ଏହି ଅଭିନବ ପଦକ୍ଷେପ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନାଗରିକଙ୍କର ଉନ୍ନତି ନେଇ ଓଡ଼ିଶା ସରକାରଙ୍କର ପଦକ୍ଷେପକୁ ସ୍ପଷ୍ଟ କରିଛି ।
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ବିକଶିତ ଓଡ଼ିଶାର ଭିଜନ୍ ପ୍ରସ୍ତୁତ ପାଇଁ ଲୋକଙ୍କ ଆଗ୍ରହ ଓ ମିଳିତ ପ୍ରୟାସର ପ୍ରଶଂସା କରିଛନ୍ତି । ଏହି ମତାମତ ଦେବାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ, ଘରୋଇ ଓ ସରକାରୀ ଅନୁଷ୍ଠାନ କର୍ମଚାରୀ, ବିଭିନ୍ନ ସଙ୍ଗଠନ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ଅଛନ୍ତି । ୧୭ଟି ପ୍ରମୁଖ ବିଷୟକୁ ନେଇ ଲୋକେ ପରାମର୍ଶ ଦେଇଛନ୍ତି । କୃଷି ଓ ଗ୍ରାମୀଣ ଉନ୍ନତିକୁ ଗୁରୁତ୍ୱ ଦେବାକୁ ବହୁ ଲୋକ କହିଛନ୍ତି । ଜଳସମ୍ପଦ ବୃଦ୍ଧି କରି ସ୍ମାର୍ଟ କୃଷି ଦ୍ୱାରା ଉତ୍ପାଦନ ବଢ଼ାଇବା, ଉତ୍ପାଦନ ସାମଗ୍ରୀର ବିକ୍ରି ପାଇଁ ବଜାର ସୃଷ୍ଟି କରିବା, ନିରନ୍ତର ବିକାଶ ପାଇଁ ଖଣି ଯୋଜନା କରିବା, ପରିବେଶ ଉପଯୋଗୀ ନୀତି ପ୍ରସ୍ତୁତ କରିବା, ଅତ୍ୟାଧୁନିକ ସ୍ମାର୍ଟସିଟି ପ୍ରକଳ୍ପକୁ ଗୁରୁତ୍ୱ ଦେବା ବାବଦରେ ବହୁ ପରାମର୍ଶ ଆସିଛି । ଅଧିକରୁ ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ମଧ୍ୟ କିଛି ବୁଦ୍ଧିଜୀବୀ କହିଥିବା ସୂଚନା ମିଳିଛି