ଭୁବନେଶ୍ୱର,୧୫/୦୫: ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁଠି ତାପମାତ୍ରା ୨ ଡିଗ୍ରୀ ଯାଏ କମିବ । ୨୪ରେ ଉପକୂଳ ଓ ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାରେ ୩ ଡିଗ୍ରୀରୁ ଅଧିକ କମିବ । ୨୫ରୁ ପଶ୍ଚିମ ଓଡ଼ିଶାରେ ୩ଡିଗ୍ରୀରୁ ଅଧିକ କମିପାରେ । ବର୍ଷା ପାଇଁ ଚତୁର୍ଥ ସପ୍ତାହରୁ ତାତି କମିବ। ତାତି କମିବ ସତ, କିନ୍ତୁ ଗୁଳୁଗୁଳିରୁ ତ୍ରାହି ମିଳିବନି । ବରିଷ୍ଠ କୃଷି ପାଣିପାଗ ବିଷାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି ।
ପ୍ରଫେସର ପଶୁପାଳକ କହିଛନ୍ତି, ୧୫ ତାରିଖରୁ ୧୭ ତାରିଖ ଯାଏ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୨୧ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । କିଛି ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ବର୍ଷା ହୋଇପାରେ । ୨୧ରୁ ୨୪ ତାରିଖ ଯାଏ ଉପକୂଳ ଓଡ଼ିଶା, ୨୪ରେ ପଶ୍ଚିମ ଓଡ଼ିଶାକୁ ଛାଡ଼ି ଅନ୍ୟ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୫ ଓ ୨୬ରେ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ତେବେ ବଲାଙ୍ଗୀର ଓ ସୋନପୁରରେ ବର୍ତ୍ତମାନର ତାପମାତ୍ରା ୨୦ ତାରିଖ ଯାଏ ଅପରିବର୍ତ୍ତିତ ରହିବ । ରାଉରକେଲାରେ ୧୮ ଓ ସମ୍ବଲପୁରରେ ୧୯ ଯାଏ ତାତି ଜାରି ରହିବ । ଆଭ୍ୟନ୍ତରୀଣ ଗଞ୍ଜାମ, ଢେଙ୍କାନାଳ ଓ ଭଦ୍ରକରେ ୧୮ ତାରିଖ ଯାଏ ତାତି ଅନୁଭୂତ ହେବ । ୨୦ ତାରିଖ ଯାଏ ଭୁବନେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ତଳେ ରହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଝଟ୍କା ୪୦ରୁ ୫୦ କିମି ଛୁଇଁପାରେ । ଶୁକ୍ରବାର ଓ ଶନିବାର ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ।
୧୬ ତାରିଖ(ଶୁକ୍ରବାର) ସନ୍ଧ୍ୟାରେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । କିନ୍ତୁ ସେଦିନ ଦିନବେଳା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ହେବ । ୧୭ ତାରିଖ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ଝଟ୍କା ଦେଇପାରେ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ୧୮ ଓ ୧୯ ତାରିଖରେ ମଧ୍ୟ କାଳବୈଶାଖୀ ବର୍ଷା ହୋଇପାରେ ।
ବୁଧବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଦିନବେଳା ବି ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି । ବୌଦ୍ଧର ଦିନ ତାପମାତ୍ରା ସର୍ବାଧିକ ୪୨.୫ ଡିଗ୍ରୀ ରହିଛି । ସମ୍ବଲପୁର ଓ ବରଗଡ଼ରେ ୪୦.୬ ଡିଗ୍ରୀ, ବଲାଙ୍ଗୀରରେ ୪୦.୨, ନୂଆପଡ଼ାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାର ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା।