ଭୁବନେଶ୍ୱର,୨୯/୧୧: ରାଜ୍ୟରେ ଶୀତକାଳୀନ ହାତୀ ଗଣନା ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୬ ମାସରେ ବଢ଼ିଛନ୍ତି ମାତ୍ର ୫ ହାତୀ । ଗତ ଖରାଦିନିଆ (ମେ’ମାସ) ଗଣନାରେ ଥିଲେ ୨୦୯୮ ହାତୀ । ଶୀତଦିନିଆ (ନଭେମ୍ବର ମାସ) ଗଣନାରେ ୩୮ଟି ବନଖଣ୍ଡରେ ସମୁଦାୟ ୨୧୦୩ଟି ହାତୀ ଅଛନ୍ତି । ୧୩ଟି ଡିଭିଜନ ହାତୀ ଶୂନ୍ୟ ରହିଛି । ଏହି ସମୟ ମଧ୍ୟରେ ୪୮ ହାତୀ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଛନ୍ତି ।
ସମୁଦାୟ ୨୧୦୩ ହାତୀଙ୍କ ମଧ୍ୟରୁ ୩୩୪ଟି ପ୍ରାପ୍ତବୟସ୍କ ଦନ୍ତା ହାତୀ, ୧୨ଟି ପ୍ରାପ୍ତବୟସ୍କ ମାଖନା ହାତୀ, ୬୭୮ଟି ପ୍ରାପ୍ତବୟସ୍କା ମାଈ ହାତୀ, ୪୦୩ଟି ଛୁଆ (ମା’ପେଟତଳେ ଗଳି ଯାଉଥିବା), ୧୮୬ଟି ଯୁବ ଦନ୍ତା, ୪ଟି କମ୍ ବୟସ୍କ ମାଖନା, ୩୦୫ଟି କମ୍ ବୟସ୍କ ମାଈ, ୧୮୧ ଛୁଆ (ମା’ କାନ୍ଧ ଉଚ୍ଚ) ହାତୀ ରହିଛନ୍ତି ।
ରାଜ୍ୟରେ ୫ଟି ଡିଭିଜନରେ ଅଧିକ ହାତୀ ଚଳପ୍ରଚଳ କରୁଥିବା ଗଣନାରୁ ଜଣାପଡ଼ିଛି । ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୨୯୧ଟି ହାତୀ ଥିବା ବେଳେ କେନ୍ଦୁଝର ଡିଭିଜନରେ ୧୬୦ଟି, ଆଠଗଡ଼ ଡିଭିଜନରେ ୧୨୪ଟି, ଦେବଗଡ଼ ଡିଭିଜନରେ ୧୨୩ ଓ ଅନୁଗୁଳ ଡିଭିଜନରେ ୧୧୭ଟି ହାତୀ ଅଛନ୍ତି ।
ସର୍କଲ ସ୍ତରରେ ଅନୁଗୋଳ ସର୍କଲରେ ସର୍ବାଧିକ ୬୮୦ ହାତୀ ଥିବା ବେଳେ ବାରିପଦାରେ ୩୮୪, ବ୍ରହ୍ମପୁର ସର୍କଲରେ ୧୭୨, ଭବାନୀପାଟଣା ସର୍କଲରେ ୧୪୦, ଭୁବନେଶ୍ୱର ସର୍କଲରେ ୧୨୦ ହାତୀ ଅଛନ୍ତି । କୋରାପୁଟ ସର୍କଲରେ ମାତ୍ର ଗୋଟିଏ ହାତୀ ବୁଲୁଛି । ରାଉରକେଲା ସର୍କଲରେ ୪୪୨ ଓ ସମ୍ବଲପୁର ସର୍କଲରେ ୧୪୪ ହାତୀ ଥିବା ଏହି ଗଣନାରୁ ଜଣାପଡ଼ିଛି ।
୨୦୨୪ ବର୍ଷରେ ଦୁଇଥର ହାତୀ ଗଣନାରୁ ୪ଟି ପଡ଼ୋଶୀ ରାଜ୍ୟରୁ ଓଡ଼ିଶାରେ ଆସି ୧୮୬ ହାତୀ ଡେରା ପକାଇଥିବା ଜଣାପଡ଼ିଛି । ଝାଡ଼ଖଣ୍ଡରୁ ସର୍ବାଧିକ ୧୦୧ ହାତୀ ଆସିଥିବା ବେଳେ ପଶ୍ଚିମବଙ୍ଗରୁ ୮୦, ଛତିଶଗଡ଼ରୁ ଗୋଟିଏ ଓ ଆନ୍ଧ୍ରପ୍ରଦେଶରୁ ୪ଟି ହାତୀ ଆସି ଦୀର୍ଘଦିନ ଧରି ଡେରା ପକାଇଛନ୍ତି ।
ସବୁଠାରୁ ପରିତାପର ବିଷୟ ହେଉଛି, ଗତ ୬ ମାସ ମଧ୍ୟରେ ୪୮ ହାତୀଙ୍କର ମୃତ୍ୟୁ ଘଟିଲାଣି । ମୃତ୍ୟୁହାର ତୁଳନାରେ ଜନ୍ମହାର ଅତି ନଗଣ୍ୟ ରହିଛି । କିଛିବର୍ଷ ଧରି ଯେତିକି ହାତୀ ଓଡ଼ିଶାରେ ମୃତ୍ୟୁବରଣ କରୁଛନ୍ତି, ସେମାନଙ୍କର ହାରାହାରି ହିସାବକୁ ଯଦି ଆମେ ଦେଖିବା ତା’ହେଲେ ୧୯୯୦ରୁ ୨୦୦୦, ୧୦ ବର୍ଷ ଭିତରେ ବର୍ଷକୁ ହାରାହାରି ୩୩ଟି ହାତୀ ମୃତ୍ୟୁ ବରଣ କରୁଥିଲେ । ୨୦୦୦ରୁ ୨୦୧୦ ମସିହା ୧୦ ବର୍ଷ ଭିତରେ ହାରାହାରି ବର୍ଷକୁ ୪୬ଟି ହାତୀ ମୃତ୍ୟୁ ବରଣ କରିଥିଲେ । ୨୦୧୦ରୁ ଆଜି ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୭୮ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । କେତେବେଳେ ହାତୀଦାନ୍ତ ଶିକାରୀମାନେ ଗୁଳିକରି ଓ ତୀରମାଡ଼ କରି ଜୀବନ ନେଇଛନ୍ତି ତ କେଉଁଠି ବିଦ୍ୟୁତ୍ ଆଘାତାରେ ହାତୀଙ୍କ ଜୀବନ ଯାଉଛି । ଆଉ କେଉଁଠି ଟ୍ରେନ୍ ଓ ଗାଡ଼ି ଧକ୍କାରେ ହାତୀ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଯେଉଁଭଳି ହାରରେ ହାତୀମୃତ୍ୟୁ ଘଟୁଛି ଆଉ କିଛିବର୍ଷ ମଧ୍ୟରେ ଓଡ଼ିଶା ଜଙ୍ଗଲରୁ ହାତୀବଂଶ ଲୋପ ପାଇଯିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।