ନୂଆଦିଲ୍ଲୀ,୧୭/୦୪: ୬ ବର୍ଷ ତଳେ କୋଭିଡ୍ ମହାମାରୀ ବେଳେ ଭାରତୀୟ ଅର୍ଥନୀତିରେ ଯେଉଁଭଳି ଭାବେ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା, ଇରାନ ଯୁଦ୍ଧରୁ ସୃଷ୍ଟି ହୋଇଥିବା ତୈଳ ସଂକଟ ମଧ୍ୟ ସମାନ ଧରଣର ଆର୍ଥିକ ବିପତ୍ତି ଆଣିବ । ଏହି କ୍ଷତି ଆଗାମୀ ବର୍ଷ ବର୍ଷ ଧରି ଲାଗି ରହିପାରେ । ଏହାସହିତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରକୁ ଏହାର ପଥରୁ ହଟାଇପାରେ ଯୁଦ୍ଧ ।

କୋଭିଡ୍ ସମୟରେ ଯେଉଁଭଳି ରଣନୀତି ଆପଣାଇ ସରକାର ସ୍ଥିତିକୁ ଆୟତ୍ତ କରିଥିଲେ, ବର୍ତ୍ତମାନ ତାହା ଉପରେ ଅନୁଶୀଳନ କରୁଛନ୍ତି । ଗ୍ୟାସ୍ ଅଭାବ ଏବଂ ବର୍ଦ୍ଧିତ ତୈଳ ବିଲ୍ ଦ୍ୱାରା ପ୍ରଭାବିତ ଖାଉଟିଙ୍କୁ କିପରି ଏ ବିପତ୍ତିରୁ ଉଦ୍ଧାର କରାଯାଇପାରିବ, ତାହାକୁ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଏହି କ୍ରମରେ ଏକ ସଂଶୋଧିତ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଉପରେ କାର୍ଯ୍ୟ କରାଯାଉଛି । କ୍ଷୁଦ୍ର ଏବଂ ମଧ୍ୟମ ଧରଣ ଉଦ୍ୟୋଗଗୁଡ଼ିକ ପାଇଁ ୨ରୁ୨.୫ ଲକ୍ଷ କୋଟି ଟଙ୍କା ତଥା ୨୬.୮ ବିଲିୟନ ଡଲାରର ଏକ ଋଣ ଗ୍ୟାରେଣ୍ଟି ସ୍କିମ୍ ଉପରେ ବିଚାର ହେଉଥିବା ଅଧିକାରୀ ସ୍ତରରୁ ଜଣାପଡ଼ିଛି ।

ଭାରତ ମୁଖ୍ୟତଃ ଶକ୍ତି ଆମଦାନି ଉପରେ ନିର୍ଭରଶୀଳ । ଏହା ବିଶ୍ୱର ତୃତୀୟ ବୃହତ୍ ତୈଳ ଉପଭୋକ୍ତା ଏବଂ ମଧ୍ୟପ୍ରାଚ୍ୟରୁ ଏହା ପ୍ରାୟ ୯୦% ଗ୍ୟାସ ଆମଦାନି କରିଥାଏ । ଏହା ହେଉଛି ଏକ ବଡ଼ କାରଣ, ଯେଉଁଥିପାଇଁ ଇରାନ ଯୁଦ୍ଧ ଭାରତ ନିମନ୍ତେ କୋଭିଡ୍ ଭଳି ବିଧ୍ୱଂସକାରୀ ସାବ୍ୟସ୍ତ ହୋଇପାରେ । ଯଦିଓ ଯୁଦ୍ଧ ବନ୍ଦ ହୋଇଯାଇପାରେ, ସେତିକିରେ ସମସ୍ୟା ଶେଷ ହେବ ନାହିଁ ।

ଅଧିକ ପଢ଼ନ୍ତୁ :-  Unemployment Rate Rises: ମାର୍ଚ୍ଚରେ ଦେଶର ବେକାରି ହାର ୫.୧%କୁ ବୃଦ୍ଧି, ୫ ମାସର ସର୍ବୋଚ୍ଚ ସ୍ତରରେ

ଯୁଦ୍ଧ ଯୋଗୁ ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ଶକ୍ତି ଭିତ୍ତିଭୂମି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି, ଯାହାର ମରାମତି ପାଇଁ ଅନେକ ସମୟ ଲାଗିବ । ତେଣୁ ମଧ୍ୟପ୍ରାଚ୍ୟରୁ ଶକ୍ତି ଯୋଗାଣ ସ୍ୱାଭାବିକ ହେବା ପାଇଁ ବର୍ଷ ବର୍ଷ ଲାଗିପାରେ ବୋଲି ସରକାରୀ ଅଧିକାରୀମାନେ ପ୍ରକାଶ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ଅନେକ ପ୍ରକାର ସମ୍ଭାବ୍ୟ ପରିସ୍ଥିତିକୁ ଅନୁମାନ କରି ତଦନୁଯାୟୀ ରଣନୀତି ପ୍ରସ୍ତୁତ କରୁଛି । ବର୍ଷ ତମାମ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୨୦ ଡଲାର ରହିବ ବୋଲି ଆକଳନ କରି ଏହା ବିକଳ୍ପ ଉପାୟ ଉପରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ସାମ୍ପ୍ରତିକ ସଂକଟ ଭାରତକୁ ଏହାର ଅଭିବୃଦ୍ଧି ପଥରୁ ହଟାଇପାରେ । ଯଦିଓ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ସରକାର ୬.୮%ରୁ ୭.୨%ର ଅଭିବୃଦ୍ଧି ଅନୁମାନ ରଖିଛନ୍ତି, ଅନେକ ଅର୍ଥନୀତିଜ୍ଞ ନିଜ ନିଜର ପୂର୍ବାନୁମାନକୁ ସଂକୁଚିତ କରିଛନ୍ତି । ଗୋଲ୍ଡମ୍ୟାନ୍ ସାକ୍ସ ଗ୍ରୁପ୍ ଭାରତ ପାଇଁ ୨୦୨୬ ନିମନ୍ତେ ୫.୯% ଅଭିବୃଦ୍ଧି ଆକଳନ କରିଥିବାବେଳେ ଅକ୍ସଫୋର୍ଡ ଇକୋନୋମିକ୍ସ ଲିମିଟେଡ୍ର ଆକଳନ ରହିଛି ୬.୨% ।

ନୀତି ନିର୍ଦ୍ଧାରଣକାରୀଙ୍କ ଅନୁମାନ ରହିଛି ଭାରତ ଏ ବର୍ଷ ୭ରୁ ୭.୫% ଅଭିବୃଦ୍ଧି ନେଇ ଆଗକୁ ବଢ଼ିପାରେ । ସେମାନଙ୍କ ମତରେ, ଯଦି ଝଟ୍କାର ପୁନରାବୃତ୍ତି ନ ହୁଏ ତେବେ ଏହା ୮% ବି ହୋଇପାରେ । ତେବେ ପୁଣି ଥରେ ଅର୍ଥନୀତି ଆଗରେ ଛିଡ଼ା ହୋଇଛି ଅନେକ ଆହ୍ୱାନ । ତାହା ହେଲା ଟଙ୍କା, ପାରିବାରିକ କ୍ରୟ ଶକ୍ତି, ଗଲ୍ଫରୁ ଆସୁଥିବା ରାଶି ବା ରେମିଟାନ୍ସ, ବିତ୍ତୀୟ ଶୃଙ୍ଖଳା ଏବଂ ଘରୋଇ ନିବେଶ ।

ଅକ୍ସଫୋର୍ଡ ଇକୋନୋମିକ୍ସର ଅର୍ଥନୀତିଜ୍ଞ ଆଲେକ୍‌ଜାଣ୍ଡ୍ରା ହର୍ମାନ କୁହନ୍ତି, ବର୍ତ୍ତମାନ ପାଇଁ ତୈଳ ଝଟ୍କା ଢାଞ୍ଚାଗତ ପରିବର୍ତ୍ତେ ଚକ୍ରାକାର ଦୃଶ୍ୟମାନ ହେଉଛି । କିନ୍ତୁ ଯଦି ଉଚ୍ଚ ଶକ୍ତି ଦର, ସବ୍ସିଡି ଚାପ ଏବଂ ଘରୋଇ ନିବେଶରେ ବିଳମ୍ବ ଲାଗି ରୁହେ ତେବେ କିଛି ମାତ୍ରାରେ ଚକ୍ରାକାର କ୍ଷତି ଅଭିବୃଦ୍ଧିକୁ ବି ପ୍ରଭାବିତ କରିପାରେ ।

ପ୍ରକାଶଯୋଗ୍ୟ, ପମ୍ପରେ ଦରକୁ ସ୍ଥିର ରଖିବା ପାଇଁ ସରକାର ଡିଜେଲ ଏବଂ ଗ୍ୟାସୋଲିନ୍‌ରେ ଟିକସ କମାଇଛନ୍ତି । ଏହାସହିତ ଯୁଦ୍ଧ ଦ୍ୱାରା ପ୍ରଭାବିତ ରପ୍ତାନିକାରୀଙ୍କ ପାଇଁ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ବାହ୍ୟ ଝଟ୍କାଗୁଡ଼ିକୁ ସହ୍ୟ କରିବା ଲାଗି ଅର୍ଥନୀତିକୁ ସାହାଯ୍ୟ କରିବା ନିମନ୍ତେ ୬.୨ ବିଲିୟନ ଡଲାରର ଏକ ଅର୍ଥନୈତିକ ସ୍ଥିରତା ପାଣ୍ଠି ଆଣିଛନ୍ତି । ସାମ୍ପ୍ରତିକ ସ୍ଥିତିର ପ୍ରଭାବକୁ ଅନୁଶୀଳନ କରାଯାଇ ତଦନୁଯାୟୀ ରଣନୀତି ପ୍ରସ୍ତୁତ କରାଯାଉଛି ।

କରୋନା ମହାମାରୀବେଳେ ୨୦୨୦- ୨୧ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୯.୫%କୁ ବୃଦ୍ଧି ପାଇଥିଲା । କାରଣ ସରକାର ଆର୍ଥିକ ପ୍ୟାକେଜ୍ ପ୍ରଦାନ କରିଥିଲେ । ସରକାର ଏବଂ ଆର୍ବିଆଇ ପକ୍ଷରୁ ମୋଟ ୨୯.୮୭ ଲକ୍ଷ କୋଟି ଟଙ୍କାର ବିତ୍ତୀୟ ସହାୟତା ପ୍ରଦାନ କରାଯାଇଥିଲା, ଯାହା ଥିଲା ଜିଡିପିର ୧୫% ।