ଭୁବନେଶ୍ୱର ୧୨/୦୫: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ତୈଳ ବଜାର ପ୍ରଭାବିତ ହୋଇଛି । ପେଟ୍ରୋଲ୍, ଡିଜେଲ୍ ଆଦି ଯୋଗାଣ ବାଧାପ୍ରାପ୍ତ କାରଣରୁ ନିଅଣ୍ଟିଆ ସ୍ଥିତି ଦେଖାଗଲାଣି । ଟାଙ୍କିରେ ପେଟ୍ରୋଲ୍, ଡିଜେଲ୍ ଆଦି ନଥିବାରୁ ବନ୍ଦ କରିବା ସ୍ଥିତି ଆସିଲାଣି । ତେଲ ନପାଇ ଗାଡ଼ି ଚାଳକ ଏକାଧିକ ପେଟ୍ରୋଲ୍ ପମ୍ପକୁ ଘୁରି ବୁଲି ହନ୍ତସନ୍ତ ହୋଇଛନ୍ତି । ଏହାରି ଭିତରେ ପେଟ୍ରୋଲ ଟାଙ୍କିରେ ତେଲ ଦେବା ଉପରେ କଟକଣା ଲାଗିଛି । ୪ ଚକିଆ ଗାଡ଼ି ପାଇଁ ୪୫ ରୁ ୫୦ ଲିଟର ପର୍ଯ୍ୟନ୍ତ ତେଲ ଦିଆଯିବ । ସେହିପରି ବସ୍ ଓ ଟ୍ରକ ପାଇଁ ଡିଜେଲ ଦେବା ଉପରେ ମଧ୍ୟ ଲିମିଟ୍ କରାଯାଇଛି । ଗୋଟିଏ ଗାଡ଼ିକୁ ୪୦୦ ରୁ ୫୦୦ ଲିଟର ଡିଜେଲ୍‌ରୁ ଅଧିକ ଦିଆଯିବ ନାହିଁ । ଯଦି କୌଣସି ଟାଙ୍କି ଅଧିକ ତେଲ କେଉଁ ଗାଡିକୁ ଦେଉଛନ୍ତି, ସେ ଟାଙ୍କି ଲକ ହେଇ ଯାଉଛି। ତେଣୁ ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ନିର୍ଦେଶ ରହିଛି। ଆନ୍ଧ୍ରରେ ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବା ବେଳେ ଓଡିଶାରେ ଅନେକ ସ୍ଥାନରେ ପେଟ୍ରୋଲ ନଥିବା ପରି ସମସ୍ୟା ସାମନାକୁ ଆସିଛି।

ଧିରେ ଧିରେ ଫାଙ୍କା ହେଉଛି ତେଲ ଟାଙ୍କ। ଆଗକୁ ଉତ୍କଟ ହେବ ପେଟ୍ରୋଲ- ଡିଜେଲ ତେଲ ସଙ୍କଟ। ରାଜଧାନୀ ଭୁବନେଶ୍ବର ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖାଦେଲା ସମସ୍ୟା। ଅନେକ ଟାଙ୍କିରେ ତେଲ ସରିବା ପରେ ଟାଙ୍କିଙ୍କୁ ଆସୁନି ତେଲ ଗାଡ଼ି । ଏଥିପାଇଁ ୪ ରୁ ୫ ଘଣ୍ଟା ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ପୂର୍ବରୁ ଷ୍ଟକ ସରିବା ପୂର୍ବରୁ ତେଲ ଟାଙ୍କିରେ ଲୋଡ ହେଉଥିଲା ବର୍ତ୍ତମାନ ତାହା ହେଉ ନାହିଁ। ଫଳରେ ଗ୍ରାହକ ଅସୁବିଧାର ସମ୍ମୁଖ ହୋଇଥିବା ଦେଖିବାକୁ ମିଳିଛି।

 

ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ତେଲ ସଞ୍ଚୟ କରିବାକୁ ନିବେଦନ କରିଥିଲେ। ଭଦୋଦରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ଗମ୍ଭୀର ସଙ୍କଟ ମଧ୍ୟରୁ ଗୋଟିଏ । ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଯେପରି ଭାରତ କରୋନା ମହାମାରୀରୁ ସଫଳତାର ସହ ବାହାରିଛି ଏବଂ ଆଗକୁ ବଢ଼ିଛି, ସେହିପରି ମଧ୍ୟ ଏହି ସଙ୍କଟରୁ ବାହାରି ଆସିବ ।