ଦିଗପହଣ୍ଡି,୬/୬ :  ତେଲ ବୋଝେଇ ଟ୍ରକ୍ ସହ ଏକ ବୁଲେଟ ମୁହାଁମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ମାମୁଁଙ୍କ ସହ ଦୁଇ ଭାଣଜୀଙ୍କ ମୃତ୍ୟୁ । ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଘଟଣାସ୍ଥଳରେ ମାମୁଁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଦୁଇ ଭାଣଜୀଙ୍କ ଦିଗପହଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ ଘୋଷଣା କରାଯାଇଛି। ଦିଗପହଣ୍ଡି ପୁଲିସ ତିନି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠେଇ ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଶାନ୍ତ କୁମାର ପତ୍ର ସୂଚନା ଦେଇଛନ୍ତି। ମୃତ ମାମୁଁ ଦିଗପହଣ୍ଡି ଥାନା ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମର ତ୍ରିନାଥ ରେଡି ବୋଲି ଜଣାପଡ଼ିଛି । ମୃତ ଦୁଇ ଭାଣିଜୀ ହେଲେ ଆସିକା ଥାନା ଅନ୍ତର୍ଗତ ପଥରା ଗ୍ରାମର ରୁଦ୍ରିକା ରେଡି (୫)ଓ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମର ବର୍ଷା ରେଡି ( ୧୯) ବୋଲି ପୁଲିସି କହିଛି। 

ସୂଚନା ଅନୁସାରେ, ଆଜି ଅପରାହ୍ନ ୪ଟା ସମୟରେ ମୃତ ତ୍ରିନାଥ ରେଡି ତାଙ୍କ ଦୁଇ ଭାଣିଜୀଙ୍କୁ ବୁଲେଟରେ ବସାଇ ଗୋକର୍ଣ୍ଣପୁର ଗ୍ରାମରୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲେ । ଏହି ସମୟରେ ଦିଗପହଣ୍ଡି -ବ୍ରହ୍ମପୁର ରାସ୍ତାର ଥାନା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ତେଲ ବୋଝଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏଭଳି ଏକ ଘଟଣା ଘଟିଥିବା ମିଳିଥିବା ସୂଚନାରୁ ଜଣାପଡ଼ିଛି। ଦୁର୍ଘଟଣା ସମୟରେ ବୁଲେଟ ପଛେପଛେ ବାଇକ୍ ଯୋଗେ  ଆସୁଥିବା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡେଙ୍ଗାମା ଗ୍ରାମର ଭାସ୍କର ବିଷୋୟୀ ବୁଲେଟ ପଛକୁ ଧକ୍କା ଦେଇ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥେମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ସୂଚନାରୁ ଜଣାପଡ଼ିଛି ।