ଜୟପୁର,୧୭/୦୯: ଆବେଦନ କରି ବର୍ଷ ପରେ ବର୍ଷ ବିତିଯାଉଛି । ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉନି ।  ଭତ୍ତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡୁଛି । ମାନେ ଜଣଙ୍କ ମୃତ୍ୟୁ ହେଲେ ଯାଇ ଅନ୍ୟ ଜଣେ ନୂଆ ହିତାଧିକାରୀଙ୍କୁ ଏହି ଯୋଜନାରେ  ସାମିଲ କରାଯାଉଛି । ସରକାରଙ୍କ ଏହି ଅଜବ ନୀତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।  

ପରିତାପର ବିଷୟ, ଗତ ଦେଢବର୍ଷ ହେଲା ନୂଆ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ କୌଣସି ଟାର୍ଗେଟ ଆସିନି । ପୌର ଓ ବ୍ଲକ୍ ଅଞ୍ଚଳରେ ହଜାର ହଜାର ଆବେଦନକରୀ ଭତ୍ତା ଲାଗି  ଅନେଇ ବସିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କରି ତୁରନ୍ତ ଭତ୍ତା ଦେବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ସାମାଜିକ ସୁରକ୍ଷା ଯୋଜନାରେ ସାମିଲ  ହେବାକୁ ଅନ୍‌ଲାଇନରେ ଆବେଦନ କରିବାକୁ ପଡୁଛି । ଭତ୍ତା ପାଇବାକୁ ମାନଦଣ୍ଡ ପୂରଣ କରିବା  ସହ ସମସ୍ତ ପ୍ରମାଣପତ୍ର ଦାଖଲ କରିବାକୁ  ପଡୁଛି । ବିଡମ୍ବନା, ଭତ୍ତା ପାଇବାକୁ ଯୋଗ୍ୟ  ଥିଲେ ବି ସେମାନଙ୍କୁ ବଞ୍ଚିତ କରାଯାଉଛି । ନିୟମ  ଅନୁସାରେ ୬୦ ବର୍ଷ ହେଲେ ଜଣେ ବାର୍ଦ୍ଧକ୍ୟ  ଭତ୍ତା ପାଇବାକୁ ଯୋଗ୍ୟ । ଅଥଚ ୭୦ ବର୍ଷ  ବୟସ୍କଙ୍କୁ ଭତ୍ତା ପାଇବାରୁ ବି ବଞ୍ଚିତ କରାଯାଉଛି ।  ସେହିପରି ଜଣେ ବିଧବା ଆବେଦନ ସମୟରେ  ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ କଲେ ଭତ୍ତା  ମିଳିଯିବା କଥା । ଅଥଚ ବର୍ଷ ବର୍ଷ ବିତିଯାଉଥିଲେ  ବି ସେମାନଙ୍କୁ ଭତ୍ତା ଦିଆଯାଉନି ।

ସାମାଜିକ ସୁରକ୍ଷା  ବିଭାଗର ଜଣେ କର୍ମଚାରୀ ନିଜ ନାମ ଗୋପନ  ରଖିବା ସର୍ତ୍ତରେ କହିଛନ୍ତି, ନୂଆ ହିତାଧିକାରୀଙ୍କୁ  ସାମିଲ କରିବାକୁ ଅଧିକ ଟାର୍ଗେଟ ଆସୁନି । ଯାହା ଫଳରେ ସମସ୍ୟା ହେଉଛି । ଆବେଦନ କରିଥିବା  ତାରିଖ ଅନୁସାରେ କ୍ରମିକ ନମ୍ବର କରାଯାଉଛି ।  ଭତ୍ତା ପାଉଥିବା ଜଣେ ହିତାଧିକାରୀଙ୍କ ମୃତ୍ୟୁ  ହେବାପରେ ସେହି ସ୍ଥାନରେ କ୍ରମିକ ନମ୍ବର  ଅନୁସାରେ ଜଣେ ନୂଆ ହିତାଧିକାରୀଙ୍କୁ ସାମିଲ  କରାଯାଉଛି । ଏଥିଲାଗି ଭତ୍ତା ପାଇବାରେ ଅହେତୁକ  ବିଳମ୍ବ ହେଉଛି । ଗତ ନିର୍ବାଚନ ପୂର୍ବରୁ ନୂଆ  ଟାର୍ଗେଟ ଆସିଥିଲା । ଏହା ପରେ ଆଉ ଆସିନି ।  ଆବେଦନ ଅନୁସାରେ ନୂଆ ଟାର୍ଗେଟ ଆସିଥିଲେ  କୌଣସି ସମସ୍ୟା ହୋଇନଥାନ୍ତା ।

ଜିଲ୍ଲା ସାମାଜିକ  ସୁରକ୍ଷା ଅଧିକାରୀ ତରୁଣ କୁମାର ପ୍ରହରାଜ  କହିଛନ୍ତି, ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ  ଲାଗି ଅଧିକ ୧୦ ହଜାର ୭୦୦ ହିତାଧିକାରୀଙ୍କୁ  ଭତ୍ତା ଦେବାକୁ ଟାର୍ଗେଟ ଲାଗି ଚିଠି କରାଯାଇଛି ।  ଟାର୍ଗେଟ ମିଳିଲେ ସମସ୍ୟାର ସମାଧାନ ହେବ।