ମୁନିଗୁଡ଼ା,୧୧/୦୭: ବାଉଁଶତାଟି ଆବଦ୍ଧ କୁଡ଼ିଆ ଉପରେ ପଡ଼ିଛି ଆଜବେଷ୍ଟସ୍‌ । ତା’ରି  ଭିତରେ ଦୀର୍ଘ ବର୍ଷ ହେଲା ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷା ହେଲେ ଛାତରୁ ଗଳୁଛି ପାଣି । ଓଦା  ହୋଇଯାଉଛି ଘର । ଶାନ୍ତିରେ ଶୋଇପାରୁନାହାନ୍ତି ।  ଭେଣ୍ଡିଆରୁ ପରିଣତ ବୟସରେ ପହଞ୍ଚିଛନ୍ତି ।  ପରିତାପର ବିଷୟ, ଆଜି ପର୍ଯ୍ୟନ୍ତ ଆବାସ ତାଙ୍କ  ଭାଗ୍ୟରେ ଜୁଟି ନାହିଁ । ପ୍ରଶାସନିକ ଅଧିକାରୀଙ୍କଠାରୁ  ଆରମ୍ଭ କରି ଜନପ୍ରତିନିଧିଙ୍କୁ ଦୁଃଖ ଜଣାଇଛନ୍ତି ।  ତଥାପି କୌଣସି ସୁଫଳ ମିଳିନି । ପକ୍କା ଘର ଖଣ୍ଡିଏ ପାଇଁ ଦୀର୍ଘ ୨ ଦଶନ୍ଧି ହେଲା ଅପେକ୍ଷା କରିଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ ବ୍ଲକ୍‌ ଆଗୁଳ ପଞ୍ଚାୟତ  ନିଆଳି ଗାଁର ବୃଦ୍ଧ ଦମ୍ପତି ଚକରା ପ୍ରାସ୍କା ଓ ତାଙ୍କ  ସ୍ତ୍ରୀ ଡମ୍ବା ପ୍ରାସ୍କା । ମରିବା ଆଗରୁ ଅନ୍ତତଃ ସେମାନଙ୍କୁ  ଘର ଖଣ୍ଡିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।   

ଚକରା ଓ ଡମ୍ବା କହିଛନ୍ତି, ଗୋଟିଏ ଝିଅକୁ ନେଇ  ତାଙ୍କ ସଂସାର । ଭେଣ୍ଡିଆ ବୟସରେ ସ୍ୱଳ୍ପ ଜମିରେ  ଚାଷ କରିବା ସହ କୁଲି ମଜୁରି ଲାଗି ୩ ପ୍ରାଣୀ  ଚଳିଯାଉଥିଲେ । ଝିଅ ବାହା ହୋଇ ଶାଶୂଘରକୁ  ଚାଲିଯିବା ପରଠୁ ସେମାନେ ଦଦରା କୁଡ଼ିଆରେ  ରହି ଆସୁଛନ୍ତି । ଏବେ ପରିଣତ ବୟସରେ ଆଗଭଳି  କୌଣସି କାମଧନ୍ଦା କରିପାରୁନାହାନ୍ତି । ଜମି ମଧ୍ୟ  ପଡ଼ିଆ ପଡ଼ୁଛି । ସରକାରୀ ସହାୟତା କହିଲେ,  ଉଭୟଙ୍କୁ ମିଳୁଛି ଭତ୍ତା । ଭତ୍ତା ଟଙ୍କାରେ କଷ୍ଟମଷ୍ଟେ  ଚଳୁଛନ୍ତି । ଘର କରିବା ପାଇଁ ପାଖରେ ଅର୍ଥ ନାହିଁ ।  ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ  ଭେଣ୍ଡିଆ ବୟସରୁ ଆବେଦନ କରୁଛନ୍ତି । ଏ ଭିତରେ  ଦୀର୍ଘ ୨ ଦଶନ୍ଧି ବିତିଯାଇଛି । ତଥାପି କୌଣସି ସୁଫଳ  ମିଳିନଥିବା ଦୁଃଖର ସହ କହିଛନ୍ତି । ଅନ୍ତତଃ ବଞ୍ଚିଥିବା  ଭିତରେ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ  ସେମାନେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।  

ଏ ସମ୍ପର୍କରେ ସମିତିସଭ୍ୟ ତଥା ବିଜେପି ନେତା  ସୁବାସ ପ୍ରାସ୍କା କହିଛନ୍ତି, ବୃଦ୍ଧ ଦମ୍ପତିଙ୍କୁ ଏବେ ନିଶ୍ଚିତ  ଘର ମିଳିବ । ଏବେ ମୋହନ ସରକାରଙ୍କ ତରଫରୁ  ଗୃହହୀନଙ୍କୁ ଆବାସ ଯୋଗାଇ ଦେବାପାଇଁ ତାଲିକା  ମଗାଯାଇଥିଲା । ସମସ୍ତ ତାଲିକା ପ୍ରଦାନ କରାଯାଇଛି ।  ଆଗରୁ ଆବାସ ପ୍ରଦାନରେ ବହୁ ଅନିୟମିତତା ହୋଇଛି । ଏବେ ସମସ୍ତ ଗରିବ ପରିବାରକୁ ଘର ମିଳିଯିବ । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି  ଦେବାକୁ ସେମାନେ ନିବେଦନ କରିଛନ୍ତି ।