ମୁନିଗୁଡ଼ା,୧୧/୦୭: ବାଉଁଶତାଟି ଆବଦ୍ଧ କୁଡ଼ିଆ ଉପରେ ପଡ଼ିଛି ଆଜବେଷ୍ଟସ୍ । ତା’ରି ଭିତରେ ଦୀର୍ଘ ବର୍ଷ ହେଲା ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷା ହେଲେ ଛାତରୁ ଗଳୁଛି ପାଣି । ଓଦା ହୋଇଯାଉଛି ଘର । ଶାନ୍ତିରେ ଶୋଇପାରୁନାହାନ୍ତି । ଭେଣ୍ଡିଆରୁ ପରିଣତ ବୟସରେ ପହଞ୍ଚିଛନ୍ତି । ପରିତାପର ବିଷୟ, ଆଜି ପର୍ଯ୍ୟନ୍ତ ଆବାସ ତାଙ୍କ ଭାଗ୍ୟରେ ଜୁଟି ନାହିଁ । ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଦୁଃଖ ଜଣାଇଛନ୍ତି । ତଥାପି କୌଣସି ସୁଫଳ ମିଳିନି । ପକ୍କା ଘର ଖଣ୍ଡିଏ ପାଇଁ ଦୀର୍ଘ ୨ ଦଶନ୍ଧି ହେଲା ଅପେକ୍ଷା କରିଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ ବ୍ଲକ୍ ଆଗୁଳ ପଞ୍ଚାୟତ ନିଆଳି ଗାଁର ବୃଦ୍ଧ ଦମ୍ପତି ଚକରା ପ୍ରାସ୍କା ଓ ତାଙ୍କ ସ୍ତ୍ରୀ ଡମ୍ବା ପ୍ରାସ୍କା । ମରିବା ଆଗରୁ ଅନ୍ତତଃ ସେମାନଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।
ଚକରା ଓ ଡମ୍ବା କହିଛନ୍ତି, ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର । ଭେଣ୍ଡିଆ ବୟସରେ ସ୍ୱଳ୍ପ ଜମିରେ ଚାଷ କରିବା ସହ କୁଲି ମଜୁରି ଲାଗି ୩ ପ୍ରାଣୀ ଚଳିଯାଉଥିଲେ । ଝିଅ ବାହା ହୋଇ ଶାଶୂଘରକୁ ଚାଲିଯିବା ପରଠୁ ସେମାନେ ଦଦରା କୁଡ଼ିଆରେ ରହି ଆସୁଛନ୍ତି । ଏବେ ପରିଣତ ବୟସରେ ଆଗଭଳି କୌଣସି କାମଧନ୍ଦା କରିପାରୁନାହାନ୍ତି । ଜମି ମଧ୍ୟ ପଡ଼ିଆ ପଡ଼ୁଛି । ସରକାରୀ ସହାୟତା କହିଲେ, ଉଭୟଙ୍କୁ ମିଳୁଛି ଭତ୍ତା । ଭତ୍ତା ଟଙ୍କାରେ କଷ୍ଟମଷ୍ଟେ ଚଳୁଛନ୍ତି । ଘର କରିବା ପାଇଁ ପାଖରେ ଅର୍ଥ ନାହିଁ । ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଭେଣ୍ଡିଆ ବୟସରୁ ଆବେଦନ କରୁଛନ୍ତି । ଏ ଭିତରେ ଦୀର୍ଘ ୨ ଦଶନ୍ଧି ବିତିଯାଇଛି । ତଥାପି କୌଣସି ସୁଫଳ ମିଳିନଥିବା ଦୁଃଖର ସହ କହିଛନ୍ତି । ଅନ୍ତତଃ ବଞ୍ଚିଥିବା ଭିତରେ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସେମାନେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।
ଏ ସମ୍ପର୍କରେ ସମିତିସଭ୍ୟ ତଥା ବିଜେପି ନେତା ସୁବାସ ପ୍ରାସ୍କା କହିଛନ୍ତି, ବୃଦ୍ଧ ଦମ୍ପତିଙ୍କୁ ଏବେ ନିଶ୍ଚିତ ଘର ମିଳିବ । ଏବେ ମୋହନ ସରକାରଙ୍କ ତରଫରୁ ଗୃହହୀନଙ୍କୁ ଆବାସ ଯୋଗାଇ ଦେବାପାଇଁ ତାଲିକା ମଗାଯାଇଥିଲା । ସମସ୍ତ ତାଲିକା ପ୍ରଦାନ କରାଯାଇଛି । ଆଗରୁ ଆବାସ ପ୍ରଦାନରେ ବହୁ ଅନିୟମିତତା ହୋଇଛି । ଏବେ ସମସ୍ତ ଗରିବ ପରିବାରକୁ ଘର ମିଳିଯିବ । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି ।