ବଡ଼ଚଣା/ବାଲିଚନ୍ଦ୍ରପୁର ୨୧/୦୮: ଯାଜପୁର  ଜିଲ୍ଲା ବଡ଼ଚଣା ବ୍ଲକ ପ୍ରସିଦ୍ଧ ଓଳାଶୁଣୀ ପୀଠରେ  ବୁଧବାର ବହୁ ପୁରୁଖା ନେତା ଏକାଠି ହୋଇଥିଲେ । ଭୋଜି ନିମନ୍ତେ ସେମାନେ ଯୋଗ ଦେଇଥିବା  କହୁଥିବା ବେଳେ ବାସ୍ତବରେ ଏକ ନୂଆ ଆଞ୍ଚଳିକ ଦଳ ଜନ୍ମ ନେବାକୁ ଯାଉଥିବା ଚର୍ଚ୍ଚା ଜୋର୍‌ ଧରିଛି । ଏକାଠି ହୋଇଥିବା ନେତାମାନେ ପୂର୍ବରୁ ବିଜେଡି  ସହିତ ଥିବା ବେଳେ ଏବେ ବିଜେଡିରେ ନାହାନ୍ତି ।  

ମିଳିଥିବା ସୂଚନା ମୁତାବକ, ବାଙ୍କୀ ଡମପଡ଼ା  ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ବାଙ୍କୀ  ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଖାସ୍‌ ଅନୁଗତ ସୂର୍ଯ୍ୟନାରାୟଣ ପାତ୍ର (ଟୁଲୁ ପାତ୍ର) ଓଳାଶୁଣୀ  ପୀଠରେ ବୁଧବାର ଭୋଜିର ଆୟୋଜନ କରିଥିଲେ । ସେ ବହୁ ହେଭିୱେଟ୍‌ ନେତାଙ୍କୁ ନିମନ୍ତ୍ରଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଭାତ ତ୍ରିପାଠୀଙ୍କ ସହିତ ତାଙ୍କ  ପୁରୁଣା ବନ୍ଧୁ ତଥା ପୂର୍ବତନ ମନ୍ତ୍ରୀ ଅମର  ପ୍ରସାଦ ଶତପଥୀ, ପୂର୍ବତନ ଖଣ୍ଡପଡ଼ା ବିଧାୟକ  ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ  ପ୍ରସନ୍ନ ପାଟ୍ଟସାଣୀ, ରବି ପାଣି, ରାମଚନ୍ଦ୍ର ହାଁସଦା  ଭଳି ବହୁ ପୁରୁଖା ନେତା ସାମିଲ ହୋଇଥିଲେ ।  ସ୍ଥାନୀୟ ନିର୍ବାଚନମଣ୍ଡଳୀର କିଛି ନେତୃମଣ୍ଡଳୀ  ମଧ୍ୟ ଉପସ୍ଥିତ ଥିଲେ । ଭୋଜିଭାତ ନାଁରେ ଏକାଠି ହୋଇଥିଲେ ମଧ୍ୟ ଏହି ବୈଠକର ନିର୍ଯ୍ୟାସ ରାଜ୍ୟ ରାଜନୀତି ପାଇଁ ଏକ ନୂଆ ସଂକେତ ଦେଉଛି ।  

ବୈଠକ ସଂପର୍କରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଥିଲେ, ଓଳାଶୁଣୀ ପରି ଏକ ପବିତ୍ର  ସ୍ଥାନରେ ଓଡ଼ିଶାର ଧାର୍ମିକ ଆତ୍ମାମାନଙ୍କୁ ଏକାଠି କରିବା କଷ୍ଟକର କଥା । ଏହା ଏକ ବନ୍ଧୁମିଳନ  ଥିଲା । କିନ୍ତୁ ଆମେ ସମସ୍ତେ ଏକାଠି ଅଛୁ । ସମୟ ଆସିଲେ ଭାବନାର କଥା ପ୍ରକାଶିତ ହେବ । ଏଥିରେ  କୌଣସି ରାଜନୀତି ନାହିଁ ବୋଲି ପୂର୍ବତନ ବିଧାୟକ  ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି । ପୂର୍ବତନ  ମନ୍ତ୍ରୀ ତଥା ପ୍ରାକ୍ତନ ବଡ଼ଚଣା ବିଧାୟକ ଅମର ପ୍ରସାଦ  ଶତପଥୀ କହିଛନ୍ତି, ଓଳାଶୁଣୀର ଆଲୋଚନାରେ  ରାଜନୀତି କଥା ଆସିବନି ତ ଆଉ କ’ଣ ଆସିବ?  କିନ୍ତୁ ସଂପୂର୍ଣ୍ଣ କଥା ସ୍ପଷ୍ଟ ହେଲେ ଯାଇ ଏହାକୁ  କୁହାଯିବ । ଓଡ଼ିଶାରେ ଲୋକେ ପରିବର୍ତ୍ତନ ପାଇଁ  ଚାହୁଁଥିଲେ । କିନ୍ତୁ ପରିବର୍ତ୍ତନ ଯେଉଁ ଉଦ୍ଦେଶ୍ୟରେ  ହେଲା ତାହା ପାଳନ କରାଯିବାରେ ସମସ୍ୟା  ମଧ୍ୟ ରହୁଛି । ଯାହା ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ  ସୃଷ୍ଟି କରୁଛି । ଆଜି ଏକ ମିଳନର ଦିନ ଥିଲା । ରାଜନୈତିକ ଲୋକ ଏକାଠି ହେଲେ ସ୍ୱାଭାବିକ  ଭାବେ ନୂଆ ଆଶା କଥା ସମସ୍ତେ ଭାବିବେ । ସମୟ  ଆସିଲେ ସେ ବିଷୟରେ ଆଲୋଚନା କରାଯିବ ।  

ଓଳାଶୁଣୀର ଏହି ରାଜନୈତିକ ବନ୍ଧୁମିଳନ  ରାଜ୍ୟରେ ଏକ ନୂଆ ଆଞ୍ଚଳିକ ଦଳ ଗଠନର  ସଂକେତ ଦେଉଛି । ବୈଠକରେ ଯୋଗ ଦେଇଥିବା ଏହି ସବୁ ବରିଷ୍ଠ ରାଜନେତାମାନେ  ଏକଦା ୨୪ବର୍ଷ ଧରି କ୍ଷମତାସୀନ ଥିବା ବିଜେଡିର  ବିଭିନ୍ନ ପଦରେ ରହିଥିଲେ । ଏବେ ଏମାନଙ୍କ  ମଧ୍ୟରୁ କିଛି ବିଜେଡିରୁ ବିତାଡ଼ିତ ହୋଇଥିବା  ବେଳେ ଆଉ କିଛି ନେତା କୋଠଠେସା ହୋଇ ରହିଛନ୍ତି । ଏଣୁ ରାଜନୈତିକ ଚିନ୍ତାଧାରାକୁ ନେଇ  ବନ୍ଧୁମିଳନ ଓ ସେମାନଙ୍କୁ ଏକାଠି କରାଇବା ପାଇଁ  ପୂର୍ବରୁ ଯୋଜନା ହୋଇଥିବା ବୋଲି ଆଲୋଚନା  ହେଉଛି । ଓଳାଶୁଣୀ ମଠ ସଂଲଗ୍ନ ଗଣେଶ ମଣ୍ଡପ  ନିକଟରେ ଥିବା ପ୍ରକୋଷ୍ଠରେ ଗୁପ୍ତ ବୈଠକ  କରିଥିଲେ । ଅମରଙ୍କ ଅନୁଗତ ତଥା ପୂର୍ବତନ ବଡ଼ଚଣା ବ୍ଲକ ଉପାଧ୍ୟକ୍ଷ ପଞ୍ଚାନନ ଧଳ, ପୂର୍ବତନ  ଜିଲ୍ଲା ପରିଷଦ ସଭ୍ୟ ଶାରଦା ମହାନ୍ତି, ମାହାଙ୍ଗାର  ପୂର୍ବତନ ବ୍ଲକ ଉପାଧ୍ୟକ୍ଷ କିଶୋର ସିଂ, ପ୍ରଭାତଙ୍କ  ଅନୁଗତ ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।