ଡେରାବିଶ, ୩।୮ (ଆ.ପ୍ର) : ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି -ଲଳିତଗିରି ରାସ୍ତାର ତିଲଙ୍ଗ ପିଙ୍ଗଳେଶ୍ବରୀ ମନ୍ଦିର ନିକଟରେ ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ବାଲିଆ ପଞ୍ଚାୟତ ଦରବୋଲ ଗ୍ରାମର ରତ୍ନାକର ସାମଲ (୬୧)।
ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତ ଦରବୋଲ ଗ୍ରାମର ରତ୍ନାକର ସାମଲ ଶନିବାର ଭଉଣୀ ଘର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ଗ୍ରାମକୁ ଅସୁସ୍ଥ ଭିଣୋଇକୁ ଭେଟିବାକୁ ଯାଇଥିଲେ। ସନ୍ଧ୍ୟାରେ ସେଠାରୁ ସେ ନିକଟସ୍ଥ ଏଣ୍ଡର ହାଟକୁ ଯାଇ ପରିବା କିଣି ଘରକୁ ଫେରୁଥିଲେ। କିନ୍ତୁ ସେ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଗାଁର ଲୋକମାନେ ବ୍ୟସ୍ତ ହୋଇ ରାତି ସାରା ଖୋଜାଖୋଜି କରି ନିରାଶ ହେବା ପରେ ରତ୍ନାକରଙ୍କ ବଡ଼ଝିଅ ଲକ୍ଷ୍ମିପ୍ରିୟା ଡେରାବିଶ ଥାନାରେ ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ। ରବିବାର ସକାଳେ ଜନୈକ ବ୍ୟକ୍ତି ନିଶ୍ଚିନ୍ତକୋଇଲି -ଲଳିତଗିରି ରାସ୍ତାର ତିଲଙ୍ଗ ନିକଟରେ ସାଇକେଲ ଓ ପରିବା ବ୍ୟାଗ ସହ ଜଣେ ବ୍ୟକ୍ତି ମୁହମାଢି ପଡିଥିବାର ଖବର ଦେଇଥିଲେ। ଏହି ଖବର ପାଇ ବହୁ ଲୋକ ପହଞ୍ଚି ନିଖୋଜ ରତ୍ନାକରଙ୍କ ମୃତ ଦେହ ବୋଲି ଚିହ୍ନଟ କରିଥିଲେ। କୌଣସି ଅଜଣା ଗାଡ଼ି ଧକ୍କା ଦେଇ ସେଠାରୁ ଚାଲିଯାଇଥିବା ଅନୁମାନ କରାଯାଉଛି।ପରେ ଡେରାବିଶ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛଦ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ସୂଚନାଯୋଗ୍ୟ ରତ୍ନାକର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କର ହଠାତ୍ ବିୟୋଗରେ ପରିବାରକୁ ବିପତ୍ତିର ପାହାଡର ବୋଝ ଲଦି ହୋଇଯାଇଛି। ଏହି ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ପାଇଁ ସମାଜସେବୀ ତଥା ପୂର୍ବତନ ସମିତି ସଭ୍ୟ ଶ୍ରୀମନ୍ତ ରାଉତରାୟ ଦାବି କରିଛନ୍ତି। ରତ୍ନାକରଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।