ପାଟଣା, ୦୭/୦୯: ଆଉ ଏକ ଜୀବନ ନେଲା ଗୋଠଛଡ଼ା ଦନ୍ତା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ବର୍ହାପଶି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି  ଏକ ଗୋଠଛଡ଼ା ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନାଦି ମହାନ୍ତ।

ସୂଚନା ମୁତାବକ, ଅନାଦି ମହାନ୍ତ ବଗିଚାରେ କୋବି ଚାଷ କରିଥିବା ବେଳେ ଫସଲକୁ ଜଗିଥିଲେ । ସେଠାରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ତେବେ ଗତ ଏକମାସ ମଧ୍ୟରେ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ହାତୀ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ହାତୀ ଉପଦ୍ରବରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏବେ ଗୋଠଛଡ଼ା ଦନ୍ତା ନିଉଣ୍ଡି ଗାଁ ନିକଟ ଜଙ୍ଗଲରେ ଡେରା ପକାଇଛି। ଗାଁ ନିକଟରେ ନରହନ୍ତା ଦନ୍ତା ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି।