ଚମ୍ପୁଆ, ୨୧/୦୮: ଚମ୍ପୁଆ ବନାଞ୍ଚଳରେ ଗୋଠ ଛଡା ଦନ୍ତାର ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଛି । ବୁଧବାର ରାତିରେ ଉଖୁଣ୍ଡା ସେକ୍ସନ ଜ୍ୟୋତିପୁର ବିଟ୍ ଅନ୍ତର୍ଗତ ବର୍ଦ୍ଧନା ଗାଁରେ ଏଭଳି ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣ କରିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଶ୍ରଦ୍ଧାମଣି ଖିଲାର (୭୫ବର୍ଷ) ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଚମ୍ପୁଆ ରେଞ୍ଜରେ ଆତଙ୍କ ସୃଷ୍ଟି କରିଥିବା ଗୋଠ ଛଡ଼ା ଦନ୍ତା ହାତୀଟି ବର୍ଦ୍ଧନା ଗାଁର ରେଞ୍ଜର ଖିଲାରଙ୍କ ଘର ଭାଙ୍ଗି ଦେଇଥିଲା । ରେଞ୍ଜର ଖିଲାରଙ୍କ ସ୍ତ୍ରୀ ଶ୍ରଦ୍ଧାମଣି ଖିଲାର ଘର ଭିତରେ ଶୋଇଥିବା ବେଳେ ହାତୀଟି ଆକ୍ରମଣ କରିଥିଲା । ଏହା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଉପଚାର ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି।