ସିନାପାଲି, ୧୦/୦୭ : ଜିଦ୍ରେ ଅଟଳ ଡ୍ରାଇଭର ମହାସଂଘ। ତୃତୀୟ ଦିନରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ସମଗ୍ର ରାଜ୍ୟରେ ଘୋର ପ୍ରଭାବ। ଅଖ ଚକ ଜାମ୍। ଗଡ଼ୁନି ବସ୍ କି ଟ୍ରକ୍। ରାଜ୍ୟରେ ପରିବହନ ସମ୍ପୂର୍ଣ୍ଣ ଅଚଳ। ସାଧାରଣ ଜନଜୀବନ ପ୍ରଭାବିତ। ରାଜ୍ୟରେ ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଜଣେ ୯୫ ବର୍ଷୀୟା ବୃଦ୍ଧାଙ୍କୁ ଟିକା ପାଇଁ ୧୫କିମି ବାଟ ଚାଲିବାକୁ ପଡ଼ିଛି । ଆଶାବାଡ଼ି ସହାୟତାରେ ଗାଁରୁ ଚାଲିଚାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଇଞ୍ଜେକ୍ସନ ନେବା ପରେ ଘରକୁ ଫେରିଛନ୍ତି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସୂଚନାନୁଯାୟୀ, ସିନାପାଲି ବ୍ଲକ ସିଙ୍ଗଝର ପଞ୍ଚାୟତ ଶିକାବାହାଲ ଗ୍ରାମର ମଙ୍ଗଲବାରି ମହରା (୯୫ ବର୍ଷ)ଙ୍କୁ କିଛିଦିନ ତଳେ ଏକ ବୁଲା କୁକୁର କାମୁଡ଼ିଥିଲା । ସେ ପ୍ରତିଷେଧକ ଇଞ୍ଜେକ୍ସନ ନେଇଥିଲେ । ବୁଧବାର ଶେଷ ଇଞ୍ଜେକ୍ସନ ନେବାର ଥିଲା । ଏଥିନିମନ୍ତେ ସେ ପୁଅ ଗୁରୁଦେବଙ୍କ ସହ ସିନାପାଲି ବାହାରିଥିଲେ । ହେଲେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ବସ୍ ଚଳାଚଳ ବନ୍ଦ ଥିଲା । ଫଳରେ ମା’-ପୁଅ ଦୁହେଁ ପ୍ରାୟ ସାଢେ ୭ କିମି ଦୂର ସିନାପାଲି ଚାଲିଚାଲି ଆସିଥିଲେ । ସିନାପାଲି ଡାକ୍ତରଖାନାରେ ଇଞ୍ଜେକ୍ସନ ନେଇ ପୁଣି ସେତିକି ବାଟ ଚାଲିଚାଲି ଘରକୁ ଫେରିଥିଲେ । ଜଣେ ବୟସ୍କ ମହିଳା ଏତେଦୂର ଚାଲିଚାଲି ଯିବା ଦେଖଣାହାରୀଙ୍କୁ ଚକିତ କରିଥିଲା । ମଙ୍ଗଲବାରିଙ୍କ ଭଳି ଅନେକ ଲୋକ ବସ୍ ବନ୍ଦ କାରଣରୁ ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଛି ।