ଭୁବନେଶ୍ୱର, ୩/୧୨ (ଅମନ ଆୟୁଷ୍ମାନ ଦାସ): ବାୟୋପିକ୍‌ ସିନେମା ନିର୍ମାଣରେ ପଛରେ ପଡ଼ିଛି ଓଲିଉଡ୍‌ । ପୂର୍ବରୁ ଯେଉଁମାନଙ୍କ ଜୀବନୀ ଉପରେ ସିନେମା ନିର୍ମାଣ ହୋଇଛି, ତାହା ବି ଦର୍ଶକଙ୍କୁ ହଲ୍‌ରେ ସେଭଳି ବାନ୍ଧି ପାରିନଥିଲା । ଅଳ୍ପ କିଛିଦିନ ଚାଲିବା ପରେ ତାହା ହଲ୍‌ରୁ ଉଠିଯାଇଥିଲା । ଏପରିକି କିଛି ସିନେମା ଘୋଷଣାରେ ସୀମିତ ରହିଥିଲା । ସେ ଯାହାବି ହେଉ, ତେଲୁଗୁ, ତାମିଲ କି ହିନ୍ଦୀରେ ନିର୍ମାଣ ହେଉଥିବା ବାୟୋପିକ୍‌ ସିନେମା ଓଡ଼ିଆ ଦର୍ଶକଙ୍କ ହୃଦୟକୁ ଜିଣୁଥିବା ବେଳେ ଓଲିଉଡ୍‌ ଏହି ଟ୍ରେଣ୍ଡ କାହିଁକି ଛୁଇଁପାରୁନି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ନିକଟରେ ବକ୍ସି ଜଗବନ୍ଧୁଙ୍କ ଜୀବନୀକୁ ନେଇ ଏକ ବାୟୋପିକ୍‌ ସିନେମା ନିର୍ମାଣ ହେବ ବୋଲି ଘୋଷଣା କରାଯାଇଛି । ପୂର୍ବରୁ ବି ଅନ୍ୟ ଏକ ପ୍ରଯୋଜନା ସଂସ୍ଥା ବକ୍ସିଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଥିଲା । ହେଲେ ତାହା ହୋଇପାରିନଥିଲା । ୧୯୩୬ରୁ ଚାଲିଛି ଓଲିଉଡ୍‌ର ଯାତ୍ରା । ଇତିମଧ୍ୟରେ ୯୧ବର୍ଷ ବିତିଗଲାଣି । ଆଉ କେଇଟା ବର୍ଷ ପରେ ସେଞ୍ଚୁରି ମାରିବ । ହେଲେ ଏପର୍ଯ୍ୟନ୍ତ ଓଡ଼ିଶାରେ ଅଧିକରୁ ଅଧିକ ବ୍ୟକ୍ତିବିଶେଷଙ୍କ ଜୀବନୀ କାହାଣୀକୁ ନେଇ ବାୟୋପିକ୍‌ ନିର୍ମାଣ ହୋଇନି । ଯଦିଓ ହାତଗଣତି କିଛି ସିନେମା ହୋଇଛି, ଯେପରିକି- ‘ଭକ୍ତ ସାଲବେଗ’, ତୁଳସୀ ମୁଣ୍ଡାଙ୍କ ଜୀବନୀକୁ ନେଇ ‘ତୁଳସୀ ଅପା’, ‘ବାବୁ ଭାଇଜାନ୍‌’, ‘ସହିଦ ରଘୁ ସର୍ଦ୍ଦାର’, ‘ମହର୍ଷି’ (ଜୟୀ ରାଜଗୁରୁ) ଓ ‘ପାଦେ ଆକାଶ’(ଡ. ଶ୍ରୁତି ମହାପାତ୍ରଙ୍କ ଜୀବନୀ), ବୁଦ୍ଧିଆ (ବୁଦ୍ଧିଆ ସିଂ) ଓ ‘ଦମନ୍‌’ ଆଦି । ହେଲେ ଏସବୁ ଅଧିକ ଦିନ ହଲ୍‌ରେ ତିଷ୍ଠି ପାରିନଥିଲା କିମ୍ବା ଏସବୁ ବିଷୟରେ ଦର୍ଶକମାନେ ଜାଣିନାହାନ୍ତି । ‘ଦମନ୍‌’ ବାୟୋପିକ୍‌ ନଥିଲେ ସୁଦ୍ଧା ଏହା ଜଣେ ଡାକ୍ତରଙ୍କ ଜୀବନୀରୁ ପ୍ରଭାବିତ ହୋଇ ବ୍ୟବସାୟିକ ଦିଗକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିବାରୁ ତାହା ସଫଳତା ପାଇଥିଲା । ଏହା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଅନ୍ୟ ବାୟୋପିକ୍‌କୁ ବ୍ୟବସାୟିକ ସଫଳତା ମିଳିପାରିନି ।​​​​​​​

ହିନ୍ଦୀରେ ନିର୍ମିତ ‘ମଙ୍ଗଲ ପାଣ୍ଡେ’, ‘ଶାମ୍‌ ବାହାଦୁର’, ‘ଚନ୍ଦୁ ଚାମ୍ପିଅନ’, ‘ଦଙ୍ଗଲ’, ‘ଭାଗ୍‌ ମିଲଖା ଭାଗ୍‌’, ‘ଦ ଲିଜେଣ୍ଡ ଅଫ୍‌ ଭଗତ ସିଂ’, ‘ମାଂଝି’, ‘ସୁର୍‌ମା’, ‘ବାଣ୍ଡିଟ୍‌ କୁଇନ’, ‘ସରବଜିତ୍‌’, ‘ମେରିକମ୍‌’ ‘କୌନ୍‌ ପ୍ରବୀଣ ତାମ୍ବେ’, ‘ଏମ୍‌ଏସ୍‌ ଧୋନି’, ‘ରକେଟ୍ରି’, ‘ତାନାଜି’ ଭଳି ବହୁ ସିନେମା ନିର୍ମାଣ ହୋଇଛି । ତାମିଲରେ ନିର୍ମାଣଧୀନ ବାୟୋପିକ୍‌ ‘ସୋରାରାଇ ପୋଟ୍ରୁ’ ସିନେମାକୁ ସବୁ ବର୍ଗର ଦର୍ଶକମାନେ ପସନ୍ଦ କରିଛନ୍ତି । କିଛି ସିନେମା ଭଲ ବ୍ୟବସାୟ କରିଛି ତ ଆଉ କିଛି ଜାତୀୟ ପୁରସ୍କାର ହାସଲ କରିଛି । ହେଲେ ଓଡ଼ିଆ ବାୟୋପିକ୍‌ ସିନେମାକୁ ସେଭଳି ସଫଳତା ମିଳିପାରିନି । ଦୁଃଖର କଥା, ଏହାର ପ୍ରଚାର ପ୍ରସାର ମଧ୍ୟ ହେଉନି । ଯାହା ଫଳରେ ବାୟୋପିକ୍‌ ସିନେମା ଦର୍ଶକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ରିଲିଜ୍‌ ହୋଇ ହଲ୍‌ରୁ ଉଠିଯାଉଛି । ଓଡ଼ିଶାରେ ବହୁ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଅଛନ୍ତି । ଯେଉଁମାନଙ୍କ କାହାଣୀକୁ ନେଇ ବାୟୋପିକ୍‌ ନିର୍ମାଣ କରିହେବ । ହେଲେ ପ୍ରଥମେ ସେମାନଙ୍କ ଜୀବନୀକୁ ଗବେଷଣା କରାଯାଇ କାହାଣୀ ଲେଖାଯିବା ଆବଶ୍ୟକ । ଉନ୍ନତ ଟେକ୍‌ନିକାଲ ଟିମ୍‌ ବି ଏଥିରେ ଜଡ଼ିତ ହେବାକୁ ପଡ଼ିବ । କାହାଣୀ ଓ ଗୀତ ଯେପରି ଦର୍ଶକଙ୍କୁ ଛୁଇଁବ ସେଥିପ୍ରତି ମଧ୍ୟ ଦୃଷ୍ଟିଦେବାକୁ ପଡ଼ିବ ।

ଏ ସଂକ୍ରାନ୍ତରେ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲିଙ୍କ କହିବା କଥା, ବାୟୋପିକ ନିର୍ମାଣ କରିବା ଛୋଟ କଥା ନୁହେଁ । ଏଥିପାଇଁ ପରିଶ୍ରମ ଆବଶ୍ୟକ । ଦକ୍ଷ ନିର୍ଦ୍ଦେଶକମାନେ ଏଦିଗରେ ଚିନ୍ତା କରନ୍ତୁ । ନୂଆ ଓ ଯୁବ ନିର୍ଦ୍ଦେଶକ ଏଥିପ୍ରତି ଆନ୍ତରିକତା ମଧ୍ୟ ଦେଖାନ୍ତୁ । ହେଲେ ସେଭଳି ହେଉନି । ସମସ୍ତେ ସାଧାରଣ ଫିଲ୍ମ ପ୍ରସ୍ତୁତିରେ ଲାଗିଛନ୍ତି । ପୂର୍ବରୁ ‘ବାବୁ ଭାଇଜାନ୍‌’ ଭଳି ସଫଳ ବାୟୋପିକ୍‌ ନିର୍ମାଣ କରିଥିବା ନିର୍ଦ୍ଦେଶକ ତାପସ ସରଘରିଆ କହିଛନ୍ତି, ବାବୁ ଭାଇଜାନ୍‌କୁ ୭ଟି ରାଜ୍ୟ ପୁରସ୍କାର ମିଳିଥିଲା । ଏହି ବାୟୋପିକ୍‌ ନିର୍ମାଣ କରିବା ବେଳେ ବହୁ ତର୍ଜମା କରିଥିଲି । ଏବେ ସେଭଳି କରିବାକୁ ଭାବିବାକୁ ପଡ଼ୁଛି । ପ୍ରଯୋଜକମାନଙ୍କ ଇଚ୍ଛାକୁ ଦେଖିବାକୁ ପଡ଼ୁଛି । ଯେଉଁ ଫିଲ୍ମ ନିର୍ମାଣ କଲେ ଲାଭ ହେବ କି ନାହିଁ ତାକୁ ଦେଖୁଛୁ । ହଲ୍‌ ବି ନାହିଁ । ଏମିତି ଅନେକ ସମସ୍ୟା ଅଛି । ତଥାପି ଆଗାମୀ ଦିନରେ ଭଲ ବାୟୋପିକ୍‌ କରିବାକୁ ସେ ଚିନ୍ତା କରିବେ ବୋଲି କହିଛନ୍ତି ।