ନୂଆଦିଲ୍ଲୀ,୨୩/୦୬: ଭାରତୀୟ ହକି ଦଳର ଷ୍ଟାର ପ୍ଲେୟାର ଲଳିତ୍‌ ଉପାଧ୍ୟାୟ ଅବସର ଘୋଷଣା କରିଛନ୍ତି । ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଲଳିତ୍‌ ରବିବାର ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଇଛନ୍ତି । ବର୍ତ୍ତମାନ ସେ କେବଳ ଘରୋଇ ଓ ଲିଗ୍‌ ମ୍ୟାଚ ଖେଳିବେ । ଏକ ଦଶକରୁ ଅଧିକ ହକିରେ ଲଳିତ୍‌ଙ୍କର କ୍ୟାରିୟର ରହିଛି । ଅନେକ ଉପଲବ୍ଧି ହାସଲ କରିଛନ୍ତି । ଯେଉଁଥିରେ ୨ଟି ଅଲମ୍ପିକ୍ସ ରୌପ୍ୟ ପଦକ ସାମିଲ ଅଛି । ଲଳିତ୍‌ ୟୁପି ପୁଲିସ୍‌ରେ ଡେପୁଟି ଏସ୍‌ପି ଭାବେ ଅଛନ୍ତି ।

ଅବସର ନେଇ ଘୋଷଣା କରି ଲଳିତ୍‌ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ''ଗୋଟିଏ ଛୋଟ ଗାଁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶେଷ ହେବାର ସମୟ ଆସିଛି । ଆଜି ଅନ୍ତର୍ଜାତୀୟ ହକିକୁ ମୋର ଅବସର ଘୋଷଣା କରୁଛି । ଏହା ଏକ କଷ୍ଟକର ସମୟ । କିନ୍ତୁ ପ୍ରତ୍ୟେକ ଖେଳାଳିଙ୍କୁ ଗୋଟିଏ ଦିନ ଏହାର ସାମ୍ନା କରିବାକୁ ପଡିବ । ଦେଶକୁ ପ୍ରତିନିଧିତ୍ୱ କରିବା ମୋ ଜୀବନର ସର୍ବୋତ୍ତମ ସମ୍ମାନ ଏବଂ ଗର୍ବ । ୨୬ ବର୍ଷ ପରେ ମୋ ସହରରୁ ଜଣେ ଅଲିମ୍ପଆନ ହେବା ମୋ ପାଇଁ ବଡ଼ ସମ୍ମାନ । ସମସ୍ତଙ୍କୁ ଧନ୍ୟବାଦ ।''

ଅଧିକ ପଢନ୍ତୁ...ଲିଡ୍ସ ଟେଷ୍ଟ - ପ୍ରଥମ ଇନିଂସରେ ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍; ଚତୁର୍ଦ୍ଦଶ ଥର ପାଇଁ ଏକାଥରେ ୫ ୱିକେଟ୍ ନେଲେ ବୁମରାହ

କ୍ୟାରିୟରରେ ଜବରଦସ୍ତ ଗୋଲ କରିଛନ୍ତି ଲଳିତ୍‌ । ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ଏବେ ଯୁବ ଫରୱାର୍ଡ ଖେଳାଳି ଆସିବାପରେ ହକିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଲଳିତ୍‌ । ଅନ୍ତର୍ଜାତୀୟ ହକିରେ ୧୮୩ ମ୍ୟାଚ ଖେଳି ୬୭ ଗୋଲ କରିଛନ୍ତି । ସେ ପ୍ରୋ ଲିଗ୍‌ ସିଜନ୍‌ ୨୦୨୪-୨୫ରେ ୟୁରୋପରେ ଖେଳାଯାଉଥିବା ୮ ମ୍ୟାଚରୁ ୪ଟି ଖେଳିଛନ୍ତି । ଜୁନ୍‌ ୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ଲିଳିତ୍‌ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ । ୩୧ ବର୍ଷୀୟ ଲଳିତ୍‌ ତାଙ୍କ ଡଗିଙ୍ଗ ଷ୍ଟାଇଲ୍ ପାଇଁ ଜଣାଶୁଣା ।