ଭୁବନେଶ୍ବର,୮।୭ : ଉତ୍କକୃଷ୍ଟ ଗୁଣବତ୍ତା ଓ ଆନ୍ତର୍ଜାତୀୟମାନକ ପାଳନ କରିବାରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବାରୁ ଓଡିଶା ଖଣି ନିଗମ (ଓଏମସି)ର ଦୈତାରୀ ଲୌହ ଖଣି ଓ କୋଡିଙ୍ଗାମାଳି ବକ୍ସାଇଟ ଖଣିକୁ ଭାରତ ସରକାରଙ୍କ ଅନୁମୋଦିତ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ) ଦ୍ବାରା ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପାଞ୍ଚ ତାରକା ମୂଲ୍ୟାଙ୍କନ ପ୍ରଦାନ କରାଯାଇଛି। ରାଜସ୍ଥାନ ସ୍ଥିତ ଜୟପୁର ସହରରେ ଆୟୋଜିତ ଆଇବିଏମର ବାର୍ଷିକ ସମାରୋହରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଦୈତାରୀ ଓ କୋଡିଙ୍ଗାମାଳି ଖଣିର ସୁବ୍ୟବସ୍ଥିତ ଖଣି ଯୋଜନା, ପରିବେଶ ସୁରକ୍ଷା ପ୍ରତି ଦୃଢ ପଦକ୍ଷେପ ଏବଂ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟରେ ସ୍ଥାନୀୟ ସମ୍ପ୍ରଦାୟର ବିକାଶରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଛି।

ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ବାରା ପ୍ରତିଷ୍ଠିତ ଏହି ପଞ୍ଚ ତାରକା ମୂଲ୍ୟାଙ୍କନ ପୁରସ୍କାର, ଆଇବିଏମ ଷ୍ଟାର ମୂଲ୍ୟାଙ୍କନ ଅଧୀନରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ। ଏହି ପୁରସ୍କାର ବୈଜ୍ଞାନିକ ଓ ଦାୟିତ୍ବପୂର୍ଣ୍ଣ ଖଣିଚାଳନ ପଦ୍ଧତି ଅବଲମ୍ବନ କରି ଉତ୍ପାଦନ କାର୍ଯ୍ୟ ବୃଦ୍ଧି, ପରିବେଶ ସଂରକ୍ଷଣ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ, ଖଣି ପାର୍ଶ୍ବବର୍ତ୍ତି ଅଞ୍ଚଳର ଉନ୍ନତିରେ ସକ୍ରିୟ ଭୂମିକା ନିର୍ବାହ କରିଥିବା ଖଣିଗୁଡିକୁ ଦିଆଯାଏ।