ନୂଆଦିଲ୍ଲୀ,୦୧/୧୦: ସମ୍ପ୍ରତି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ  ଦର ନିମ୍ନ ସ୍ତରରେ ରହିଛି । ବ୍ୟାରେଲ  ପିଛା ଏହା ୭୫ ଡଲାର ତଳେ ଅଛି ।  ଏହାର ଭରପୁର ଲାଭ ମିଳୁଛି ତୈଳ  ବିପଣନ କମ୍ପାନିଙ୍କୁ । ରାଷ୍ଟ୍ରାୟତ୍ତ ଇଣ୍ଡିଆନ୍‌  ଅଏଲ୍‌ କର୍ପୋରେଶନ୍‌ (ଆଇଓସି),  ଭାରତ ପେଟ୍ରୋଲିୟମ କର୍ପୋରେଶନ  ଲିମିଟେଡ୍‌ (ବିପିସିଏଲ୍‌) ଏବଂ ହିନ୍ଦୁସ୍ତାନ  ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌  (ଏଚ୍‌ପିସିଏଲ୍‌) ଲିଟର ପିଛା ପେଟ୍ରୋଲରେ  ୧୫ ଟଙ୍କା ଆଉ ଡିଜେଲ ଉପରେ ୧୨ ଟଙ୍କା  ଲାଭ କରୁଛନ୍ତି  । କିନ୍ତୁ ଉପଭୋକ୍ତାଙ୍କୁ ଏହାର  କୌଣସି ଫାଇଦା ମିଳୁନାହିଁ । 

ଅଶୋଧିତ ତୈଳ ଦର ବଡ଼ ଆକାରରେ ଖସିଥିଲେ ବି  ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ  ଦର ଯେଉଁଠି ଥିଲା ସେଇଠି । ଖାଦ୍ୟ ଏବଂ  ଅନ୍ୟାନ୍ୟ ସାମଗ୍ରୀ ଦର ବୃହତ୍‌ ମାତ୍ରାରେ  ବଢ଼ିଥିବାବେଳେ ଇନ୍ଧନ ବାବଦ ବୋଝ  କମିବାର ନାଁ ଧରୁନାହିଁ । ଅଶୋଧିତ ତୈଳ ଦରରେ ଯେଉଁ  ମାତ୍ରାରେ ହ୍ରାସ ଘଟିଛି, ଘରୋଇ ବଜାରରେ  ପେଟ୍ରୋଲ ଏବଂ ଡିଜେଲ ଦରରେ ଖାଉଟି  ବଡ଼ ହ୍ରାସ ଆଶା ରଖିଥିବା କହିଛନ୍ତି ଇକ୍ରାର  କର୍ପୋରେଟ୍‌ ରେଟିଙ୍ଗ୍‌ସ ବିଭାଗ ବରିଷ୍ଠ  ଉପ-ସଭାପତି ତଥା ଗ୍ରୁପ୍‌ ମୁଖ୍ୟ ଗିରିଶ  କୁମାର କଦମ । 

୨୦୨୪ ମାର୍ଚ୍ଚରୁ ପେଟ୍ରୋଲ ଏବଂ  ଡିଜେଲ ଦରରେ କୌଣସି ପରିବର୍ତ୍ତନ  ଘଟିନାହିଁ । ଉକ୍ତ ସମୟରେ ଅର୍ଥାତ୍‌  ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଲିଟର  ପିଛା ଉଭୟ ଇନ୍ଧନ ଦରରେ ୨ ଟଙ୍କା  ଲେଖାଏଁ ହ୍ରାସ କରାଯାଇଥିଲା ।  

ଗତ କିଛି ବର୍ଷ ହେବ ଭାରତରେ ଇନ୍ଧନ  ଦର ଉଚ୍ଚ ସ୍ତରରେ ରହିଆସିଛି । ଦେଶର  ଅନେକ ରାଜ୍ୟରେ ଲିଟର ପିଛା ପେଟ୍ରୋଲ  ଦାମ ୧୦୦ ଟଙ୍କା ଉପରେ ଥିବାବେଳେ  ଡିଜେଲ ୯୦ ଟଙ୍କାରୁ ଅଧିକ ରହିଛି ।  ଏହି ଦର ମୁଦ୍ରାସ୍ଫୀତି ଉପରେ ସିଧାସଳଖ  ପ୍ରଭାବ ପକାଉଛି । ପରିବହନଠାରୁ  ଆରମ୍ଭ କରି ବିମାନ ଚଳାଚଳ ଶିଳ୍ପ  ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ପ୍ରଭାବିତ ।  

ଅନ୍ୟପକ୍ଷରେ, ଅଶୋଧିତ ତୈଳ  ଦର ହ୍ରାସ ଫଳରେ ଭଲ ଲାଭ କରୁଛନ୍ତି  ତୈଳ ବିପଣନ କମ୍ପାନି । ୨୦୨୩-୨୪  ଆର୍ଥିକବର୍ଷରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ  ମୋଟ ଲାଭ ୮୬,୦୦୦ କୋଟି ଟଙ୍କା ରହିଛି,  ଯାହାକି ୨୦୨୨-୨୩ ତୁଳନାରେ ୨୫ ଗୁଣା  ଅଧିକ । ଏତେ ମାତ୍ରାରେ ଲାଭ ସତ୍ତେ୍ୱ  ଉପରୋକ୍ତାଙ୍କୁ ଏଯାଏ ଏହାର ସେଭଳି  ଫାଇଦା ମିଳିନାହିଁ । ତୈଳ ମାର୍କେଟିଂ  କମ୍ପାନିଗୁଡ଼ିକ ପାଇଁ ଏବେ ଦର ହ୍ରାସ  କରିବା ପାଇଁ ଯଥେଷ୍ଟ ସୁଯୋଗ ରହିଥିବା  ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆଗକୁ ମହାରାଷ୍ଟ୍ର ଏବଂ ହରିୟାଣାରେ ନିର୍ବାଚନ  ଥିବାବେଳେ ଏହା ପୂବରୁ ଇନ୍ଧନ ଦରରେ  ହ୍ରାସ ଘଟିପାରେ ବୋଲି ଆଶା ରହିଛି ।