ନୂଆଦିଲ୍ଲୀ,୧୭/୦୧:  ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ତେନାଲୀରେ ଏକ ପରିବାର ମକର ସଂକ୍ରାନ୍ତିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ପରିବାର ପକ୍ଷରୁ ଜ୍ୱାଇଁଙ୍କୁ ଏଭଳି ସ୍ୱାଗତ କରାଯାଇଛି, ଯାହା ମକର ପର୍ବକୁ ଏକ ସ୍ମରଣୀୟ ଓ ଚର୍ଚ୍ଚାଯୋଗ୍ୟ ସମାରୋହରେ ବଦଳାଇଛି । ଜ୍ୱାଇଁ ପାଇଁ ୧,୩୭୪ ପ୍ରକାର ବ୍ୟଞ୍ଜନ ଓ ମିଠା ପ୍ରସ୍ତୁତ କରି ଏହି ପରିବାର ଚର୍ଚ୍ଚାରେ । ବିଜ୍ଜାପୁ ଭେଙ୍କଟ ରତ୍ନମ୍‌ ଓ ତାଙ୍କ ପତ୍ନୀ ସୁଶୀଲା ଝିଅ କୀର୍ତ୍ତିଶ୍ରୀ ଓ ଜ୍ୱାଇଁ ବୋଡ୍ଡ ସାଈ ଶରତଙ୍କ ପାଇଁ ଏକ ଭବ୍ୟ ଭୋଜିର ଆୟୋଜନ କରିଥିଲେ ।

କେବଳ ବ୍ୟଞ୍ଜନର ସଂଖ୍ୟା ନୁହେଁ ତାଙ୍କ ପ୍ରସ୍ତୁତି ଓ ସାଜସଜା ମଧ୍ୟ ଆକର୍ଷଣୀୟ ହୋଇଥିଲା । ପ୍ରତ୍ୟେକ ବ୍ୟଞ୍ଜନକୁ ଅତି ଯତ୍ନର ସହ ପ୍ରସ୍ତୁତ କରାଯାଇଥିଲା ଏବଂ ସୁନ୍ଦର ଭାବେ ଟେବୁଲରେ ସଜାଯାଇଥିଲା । ବିବାହ ପରେ ଶରତ ମକର ସଂକ୍ରାନ୍ତିରେ ପ୍ରଥମ ଥର ଶ୍ୱଶୂର ଘରକୁ ଯାଇଥିଲେ । ତେଲୁଗୁ ପରିବାରରେ ଏହାକୁ ଅତି ଶୁଭ ବୋଲି ବିଶ୍ୱାସ କରାଯାଏ । ସେଥିପାଇଁ ଘର ଲୋକେ ଏହି ଦିନକୁ ସ୍ମରଣୀୟ କରିବାକୁ ଅନେକ ପ୍ରସ୍ତୁତି କରିଥିଲେ । ଭୋଜି ସମେତ ଜ୍ୱାଇଁଙ୍କୁ ୧୨ଟି ସ୍ୱତନ୍ତ୍ର ଉପହାର ଦିଆଯାଇଥିଲା । ଏହା ବର୍ଷର ୧୨ ମାସର ପ୍ରତୀକ ଏବଂ ବର୍ଷସାରା ସୁଖ-ସମୃଦ୍ଧି ଓ ଶୁଭକାମନାର ବାର୍ତ୍ତା ଦିଏ ।