କଟକ, ୪/୬ : କଟକ ମହାନଗର ନିଗମ(ସିଏମ୍‌ସି)ରେ ପଙ୍କୋଦ୍ଧାର ନାଁରେ ଚାଲିଛି ହରିଲୁଟ୍‌। ମୁଖ୍ୟ ଡ୍ରେନ୍‌-୧ ସଫେଇ ପାଇଁ ଯନ୍ତ୍ରୀ ବିଭାଗ ଦ୍ୱାରା ମାନୁଆଲ୍‌ ପଙ୍କୋଦ୍ଧାର ଫାଇଲ୍‌ କରାଯାଇଥିଲା ବେଳେ ଏହାକୁ ମେସିନ୍‌ରେ ସଫେଇ କରାଯାଉଛି। ଫଳରେ ଅଧିକ ଖର୍ଚ୍ଚ ଦର୍ଶାଇ କମ୍‌ ଖର୍ଚ୍ଚରେ କାମ କରାଯାଉଥିବା ଅଭିଯୋଗ ଉଠିଛି। ଏମିତିକି ପ୍ରାୟ ଦେଢ଼ କିମିର ଡ୍ରେନ୍‌ ସଫେଇ ପାଇଁ ଦେଢ଼ କୋଟିର ଖର୍ଚ୍ଚ ଦର୍ଶାଯାଇଛି। ଏହାସହ ଏହି କାର୍ଯ୍ୟରେ କିଛି ଶିଶୁ ଶ୍ରମିକଙ୍କୁ ଅସୁରକ୍ଷିତ ଭାବେ କାର୍ଯ୍ୟରେ ଲଗାଯାଇଥିବା ବି ଅଭିଯୋଗ ହୋଇଛି । ଏନେଇ ସିଏମ୍‌ସି ଯନ୍ତ୍ରୀ ବିଭାଗର ମନ୍‌ମାନି ଏବେ ପଦାରେ ପଡ଼ିଛି। 

ବର୍ଷା ଦିନକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିଏମ୍‌ସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଙ୍କୋଦ୍ଧାର ଚାଲିଛି । ଛୋଟ ଡ୍ରେନ୍‌ଠୁ ଆରମ୍ଭ କରି ବଡ଼ ଡ୍ରେନ୍‌ରୁ ପଙ୍କୋଦ୍ଧାର କରାଯାଉଛି । ଏନେଇ କଲ୍ୟାଣୀନଗରରୁ ଗୋଶାଳା କଲଭର୍ଟ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ୍‌ ସଫା କରାଯାଉଛି । ଏହାକୁ ଯନ୍ତ୍ରୀ ବିଭାଗ ଦ୍ୱାରା ମାନୁଆଲ୍‌ ପଙ୍କୋଦ୍ଧାର ବା ଶ୍ରମିକଙ୍କ ଦ୍ୱାରା ପଙ୍କୋଦ୍ଧାର କରାଯିବାକୁ ଫାଇଲରେ ଦର୍ଶାଯାଇଛି । ପ୍ରାୟ ଦେଢ଼ କିମି ବିଶିଷ୍ଟ ଡ୍ରେନ୍‌ ପାଇଁ ଦୁଇ ଲକ୍ଷ ଟଙ୍କିଆ ବିନା ଟେଣ୍ଡର୍‌ର ପ୍ରାୟ ୬୦ଟି ଫାଇଲ୍‌ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ରହିଛି । କିନ୍ତୁ ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଉକ୍ତ ଡ୍ରେନ୍‌ ବଡ଼ ବଡ଼ ମେସିନ୍‌ରେ ସଫା କରାଯାଉଛି । ଅର୍ଥାତ୍‌ ଯେଉଁଠି ମାନୁଆଲ୍‌ ପଙ୍କୋଦ୍ଧାର ପାଇଁ ଶ୍ରମିକ ପିଛା ୨୮୦ ଟଙ୍କା ଦର ରହିଥାଏ ସେଠାରେ ମେସିନ୍‌ରେ କରିଲେ କମ୍‌ ଖର୍ଚ୍ଚ ହୋଇଥାଏ । ତେଣୁ ମୁଖ୍ୟ ଡ୍ରେନ୍‌ ମେସିନ୍‌ ଦ୍ୱାରା କରାଯାଇଥାଏ । କିନ୍ତୁ ଯନ୍ତ୍ରୀ ବିଭାଗରେ ଏହାକୁ ଚଞ୍ଚକତା କରି ମାନୁଆଲ୍‌ ପଙ୍କୋଦ୍ଧାର ଫାଇଲ୍‌ କରି ମେସିନ୍‌ରେ ସଫା କରାଯାଉଛି । 

ଏମିତିକି ପଙ୍କ ଆଦି ସଫା କରିବାକୁ ହାତ ଗଣତି ଶ୍ରମିକ ନିୟୋଜିତ ହୋଇଛନ୍ତି । ସେମାନେ ପୁଣି ଶିଶୁ ଶ୍ରମିକ ହୋଇଥିଲା ବେଳେ ଖାଲି ଦେହରେ ବିପଦସଙ୍କୁଳ ଅବସ୍ଥାରେ ସେମାନେ ପଙ୍କୋଦ୍ଧାର କରୁଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି । ଏଣୁ ସିଏମ୍‌ସିର ମନଇଚ୍ଛା ଖର୍ଚ୍ଚକୁ ନେଇ ପଙ୍କୋଦ୍ଧାରର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି କେତେଜଣ ବରିଷ୍ଠ କର୍ପୋରେଟର । ଏନେଇ ସିଏମ୍‌ସି କମିସନର ଅନାମ ଚରଣ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି । ତେଣୁ ଉଭୟ ମେସିନ୍‌ ଓ ମାନୁଆଲ୍‌ କାମ ହେଉଛି। କେଉଁଠି ସମସ୍ୟା ଥିଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।