ନୂଆଦିଲ୍ଲୀ, ୧୭/୦୩: ସୋମବାର ସନ୍ଧ୍ୟାକୁ ଆହୁରି ରଙ୍ଗୀନ୍ ଓ ତାରକାମୟ କରିଥିଲା ଲସ୍ ଏଞ୍ଜେଲେସର ଡଲ୍‌ବି ଥିଏଟର । ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ସମାରୋହ ୯୮ତମ ଏକାଡେମୀ ଆୱାର୍ଡସ ବା ଓସ୍କାରରେ ହଲିଉଡ୍‌ର ତମାମ ସେଲିବ୍ରିଟି ଗୋଟିଏ ଛାତ ତଳେ ଏକାଠି ହୋଇଥିଲେ । ମନୋରଞ୍ଜନ ଜଗତକୁ ସର୍ବୋତ୍କୃଷ୍ଟ ଯୋଗଦାନ ପାଇଁ କଳାକାରଙ୍କୁ ଓସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା ।

ଅସ୍କାର-୨୦୨୬ରେ ପୁରସ୍କାର ପୋଛିନେଲା ପଲ୍ ଥୋମାସ ଆଣ୍ଡରସନ୍‌ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ୱାନ୍ ବ୍ୟାଟଲ ଆଫ୍ଟର ଆନାଦର’ । ୧୩ ନୋମିନେସନ୍‌ରୁ ୬ ସମ୍ମାନ ସହିତ ଓସ୍କାର୍‌ରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କଲା । ଏହା ଶ୍ରେଷ୍ଠ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ନିର୍ଦ୍ଦେଶନା ଭଳି ବଡ଼ ପୁରସ୍କାର ହାସଲ କରିଛି । ରାନ୍ କୁଗଲରଙ୍କ ‘ସିନର୍ସ’ ୪ ପୁରସ୍କାର ସହିତ ଦୌଡ଼ରେ ଚମତ୍କାର ପ୍ରଦର୍ଶନ କଲା । ଫିଲ୍ମରେ ଦମ୍‌ଦାର ପ୍ରଦର୍ଶନ ଲାଗି ଶ୍ରେଷ୍ଠ ଅଭିନେତା ସମ୍ମାନ ଲାଭ କରିଛନ୍ତି ମାଇକେଲ ବି ଜୋର୍ଡାନ । ‘ହାମ୍‌ନେଟ୍’ର ଜେସି ବକ୍‌ଲି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି । ଗିଲର୍ମୋ ଡେଲେ ଟୋରୋଙ୍କ ‘ଫ୍ରାଙ୍କେନଷ୍ଟିନ୍’ ୩ ଓସ୍କାର ହାସଲ କରିଛି । ‘ୱିପନ୍ସ’ ଅଭିନେତା ଏମି ମାଡିଗାନ ଓ ‘ୱାନ୍ ବ୍ୟାଟଲ ଆଫ୍ଟର ଆନାଦର’ର ସିନ୍ ପେନ୍‌ଙ୍କୁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ମିଳିଛି ।

ଓସ୍କାର-୨୦୨୬ରେ ଭାରତ ସେମିତି ବଡ଼ ଉପଲବ୍ଧି ହାସଲ କରିନାହିଁ । ଅଭିନେତ୍ରୀ-ପ୍ରଯୋଜିକା ପ୍ରିୟଙ୍କା ଚୋପ୍ରା ସମାରୋହରେ ପ୍ରେଜେଣ୍ଟର ଥିଲେ । ଭାରତୀୟ-ଆମେରିକୀୟ ଫିଲ୍ମମେକର୍ ଗୀତା ଗାନ୍ଧଭୀର ଦୁଇଟି ବିଭାଗ: ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ (ଦ ପର୍ଫେକ୍ଟ ନେବର୍) ଓ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ (ଦ ଡେଭିଲ ଇଜ୍ ବିଜି) ରେ ନୋମିନେଟ୍ ହୋଇଥିଲେ । କିନ୍ତୁ କୌଣସିଟି ପୁରସ୍କାର ହାସଲ କରିପାରି ନାହିଁ । ଟେଲିଭିଜନ୍ ହୋଷ୍ଟ ଓ କମେଡିଆନ୍ କୋନାନ ଓ’ବ୍ରାଏନ୍ ଲଗାତାର ୨ୟ ଥର ସମାରୋହ ସଂଚାଳନା କରିଥିଲେ ।

ଆହୁରି ପଢ଼ନ୍ତୁ...ଓସ୍କାର ଆୱାର୍ଡ-୨୦୨୬, ଦ୍ୱିତୀୟ ଥର ପ୍ରେଜେଣ୍ଟର ହେବେ ପ୍ରିୟଙ୍କା