ଜି.ଉଦୟଗିରି, ୪।୩: ଜି .ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର ପୃଥକ  ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଓ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

ମାଲିକାପୋଡି ପଞ୍ଚାୟତ ଶିର୍କୀ ଗ୍ରାମର ଅଲେଖ ପ୍ରଧାନ ବାଇକରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜି.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ବୁଲାଣିରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିଶୁ ଓ ଜଣେ ମହିଳାଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁଜ କୁମାର ପ୍ରଧାନ ଏକ ବାଇକ୍ରେ ବ୍ରହ୍ମପୁରରୁ କୁମ୍ଭାରକୁପା ଆସୁଥିବା ବେଳେ କଳିଙ୍ଗା ଘାଟି ନିକଟରୁ ଧରିତ୍ରୀ ପ୍ରଧାନ ଓ ତାଙ୍କ ଝିଅଙ୍କୁ ଲିଫ୍ଟ ଦେଇଥିଲେ। ଜି.ଉଦୟଗିରି ଠାରୁ କଳିଙ୍ଗା ଆଡ଼କୁ ଏକ ବାଇକରେ ଆସୁଥିବା ସିଦ୍ଧାନ୍ତ ମହାପାତ୍ର ଓ ଶୁଭମ ରଣାଙ୍କ ସହିତ ରାଇପଦା ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉଭୟ ବାଇକ୍ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତେ ଗୁରୁତର ହୋଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତମାନଙ୍କୁ ଆମ୍ବୁଲାନ୍ସ ଦ୍ବାରା ଉଦ୍ଧାର କରାଯାଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲା। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ସେହିଭଳି କୁମ୍ଭାରକୁପା ଅଞ୍ଚଳ କନବାଗିରି ନିକଟରେ ଆୟୁଷ ପ୍ରଧାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ଜି ଉଦୟଗିରି ଚିକିତ୍ସାଳୟକୁ ଆଣାଯାଇ ଥିଲା।

ତଲାରିମାହା ପଞ୍ଚାୟତ ଅନ୍ତର୍ଗତ ଜବେଡି ନିକଟରେ ରାଧେ ନାୟକଙ୍କ ସାନ ପୁଅ ବାହାରେ ଖେଳୁଥିବା ସମୟରେ ଏକ ବୁଲେଟ୍ ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା। ଗୁରୁତର ଆହତ ଶିଶୁକୁ ତୁରନ୍ତ ଜି.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତରମାନେ ଜଣାଇଛନ୍ତି।