ଫିରିଙ୍ଗିଆ, ୨୭।୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେଳାପଡା ପଞ୍ଚାୟତ ଅଧୀନରେ ଥିବା ନାଥପଦର ଗାଁ ନିକଟସ୍ଥ ଏକ ପୋଲ ତଳୁ ଜଣେ ବ୍ୟକ୍ତି ଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣକ ସେହି କେଳାପଡା ପଞ୍ଚାୟତ ଅଧୀନରେ ଥିବା ଡ଼ଲାଙ୍ଗସୁଗା ଗାଁ ର ପାଣ୍ଡବ ଦିଗାଲ ଙ୍କ ପୁଅ ଲବ ଦିଗାଲ ।
ମୃତ ଲବ ଦିଗାଲ ସୋମବାର ଚାରିଟା ସମୟରେ କେଳାପଡା ବଜାରକୁ ବୁଲିବାକୁ ଯାଉଛି କହି ଘରେ କହି ବାହାରିଥିଲେ । ପରେ ବିଳମ୍ବିତ ରାତି ଯାଏ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ତାଙ୍କର କୌଣସି ଖୋଜଖବର ପାଇନଥିଲେ। ତେବେ ମଙ୍ଗଳବାର ସକାଳୁ ନାଥପଦର ଅଂଚଳର କିଛି ଲୋକ ନାଥପଦର ଗାଁ ରୁ କେଳାପଡା ପିତାବଲି ମନ୍ଦିରକୁ ଯାଇଥିବା ରାସ୍ତା ମଝିରେ ଥିବା ଏକ ପୋଲ ତଳେ ଲବଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଥିଲେ I ପରେ ମୃତକ ଙ୍କ ପରିବାର ଲୋକଙ୍କ ସହ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଥାନା ଅଧିକାରୀ ମୁରଲୀଧର ସାହୁଙ୍କ ନେତୃତ୍ୱ ରେ ଏକ ଟିମ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟକୁ ପଠେଇ ଦେଇ ଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି I
ଲବ ଦିଗାଲ ଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି I ସେପଟେ ଘଟଣା କୁ ନେଇ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ମୁରଲୀଧର ସାହୁ I