କେନ୍ଦୁଝର ସଦର,୯/୧୦(ଆପ୍ର)କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗାଁର  ଗୋପାଳ ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଜମି ବିବାଦକୁ ନେଇ ପୁତୁରା ଆକ୍ରମଣରେ ଦାଦାର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଚନ୍ଦ୍ରଶେଖର ଦାସ। ଏହି ଘଟଣାରେ ପୋଲିସ ବାପ-ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଛାତ କଲମ ଗାତ ଖୋଲାକୁ ନେଇ ଚନ୍ଦ୍ରଶେଖର ଦାସ ଏବଂ ବଡ଼ ଭାଇ କିରଣ ଦାସ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା। ଚନ୍ଦ୍ରଶେଖର ଘର କାନ୍ଥକୁ ଲଗାଇ କିରଣ ଛାତ କଲମ ଗାତ ଖୋଳୁଥିଲେ।ଏହାକୁ ସାନଭାଇ ଚନ୍ଦ୍ରଶେଖର ବିରୋଧ କରି ମଙ୍ଗଳାବର ୱାର୍ଡ଼ ମେମ୍ବର ଏବଂ ଭଦ୍ର ଲୋକ ଡକାଇ ବୁଝାମଣା ମଧ୍ୟ କରିଥିଲେ। ବୁଧବାର ଅପରାହ୍ନ ସମୟରେ ପୁଣି କଲମ ଗାତକୁ ନେଇ ପାଟିତୁଣ୍ଡ ହେବା ସଙ୍ଗେ ସଙ୍ଗେ ଦୁଇ ଭାଇଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ଏଥିରେ ଚନ୍ଦ୍ରଶେଖର କଲମ ଗାତରେ ପଡ଼ିଯିବା ପରେ ପାଖରେ ଥିବା କିରଣର ପୁଅ ସତ୍ୟଜିତ୍ ଦାସ(୧୯)ଓରଫ କିଷାନ ଦାସ ଉତ୍ତ୍ୟକ୍ତ ହୋଇ ଦାଦା ଚନ୍ଦ୍ରଶେଖରଙ୍କୁ  ଏକ ଗାଇନ୍ତାରେ ମୁଣ୍ତକୁ ଆକ୍ରମଣ କରିଥିଲା। ଚଦ୍ରଶେଖର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାତରେ ପଡି ରହିଥିଲେ। ଲୋକେ ଗାତରୁଚନ୍ଦ୍ରଶେଖରକୁ ଉଦ୍ଧାର କରି ଏକ ବୋଲେରୋ ଯୋଗେ ତୁରନ୍ତ କେନ୍ଦୁଝର ଧରଣୀଧର ମେଡିକଲା କଲେଜକୁ ନେଇଥିଲେ ସେଠାରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସଦର ଥାନା ଅଧିକାରୀ ଅମିତ କୁମାର ଭୂୟାଁ ସଦଳ ବଳେ ଘଟଣା ସ୍ଥଳରେ ପହଁଚି ତଦନ୍ତ  କରିଥିଲେ। ଗଇନ୍ତା, କୋଦାଳ ଜବତ ସହ ଅଭିଯୁକ୍ତ ବାପ,ପୁଅକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତ ଅଧିକାରୀ ଶ୍ରୀ ଭୂୟାଁ ସୂଚନା ଦେଇଛନ୍ତି।