ରାଇରଙ୍ଗପୁର, ୫।୧୦ (ଆପ୍ର) ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜାରକାଣି ଗ୍ରାମପଞ୍ଚାୟତ ବାରୁଡିହି ଗ୍ରାମର ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବାରୁଡିହି ଗ୍ରାମର ହାତୀରାମ ସର୍ଦ୍ଧାର ।
ବାରୁଡିହି ଗ୍ରାମର ହାତୀରାମ ସର୍ଦ୍ଧାର (୫୫)ଙ୍କ ପତ୍ନୀ ଛେଳି ଚରାଇବାକୁ ଯାଇଥିଲେ। ବର୍ଷା ମାଡିଆସୁଥିବା ଦେଖି ଛେଳି ଗୁଡିକୁ ଘରକୁ ଧରି ଆସୁଥିଲେ। ଛେଳି ମାନଙ୍କୁ ଆଣିବାରେ ସହଯୋଗ କରିବାକୁ ହାତୀରାମ ମଧ୍ୟ ଯାଇଥିଲେ। କେତେକ ଛେଳି ବର୍ଷା ଦେଖି ଗୋଠରୁ ଘରମୁହାଁ ହୋଇ ଦୌଡି ଥିଲେ। ତାଙ୍କ ପଛରେ ହାତୀରାମଙ୍କ ସ୍ତ୍ରୀ ମଧ୍ୟ ଦୌଡିଥିଲେ। ପଛରେ ଥିବା ଛେଳି ଗୁଡିକୁ ହାତୀରାମ ସର୍ଦ୍ଧାର ନେଇ ଆସୁଥିଲେ। ଏହି ସମୟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତ ଫଳରେ ଗାଁ ଅଙ୍ଗନଓ୍ବାଡି ରାସ୍ତା ଉପରେ ସେ ସଜ୍ଞାହୀନ ହୋଇ ପଡିଥିଲେ। ଘଟଣା ବିଷୟରେ କେହି ଜାଣି ନପାରିବାରୁ ଦୀର୍ଘ ସମୟ ଧରି ସଜ୍ଞାହୀନ ହୋଇ ପଡି ରହିଥିଲେ। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇବା ପରେ ଜାମଦା ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଏନେଇ ଜାମଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଛି ଜାମଦା ଥାନା ପୁଲିସ୍।