କୋକସରା,୭।୬ : ବିଜୁ ଏକ୍ସପ୍ରେସୱେର କୋକସରା ବ୍ଲକ ସାନପୋଡାଗୁଡା ଛକ ନିକଟରେ ଶନିବାର ସକାଳେ ବାଲେଶ୍ୱର ରୁ ଜୟପୁର ଯାଉଥିବା ଓଏସ୍ଆରଟିସି ଭଲବୋ ବସ ଜଣେ ପରିବା ବିକାଳୀଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇଥିଲା। ଦୁର୍ଘଟଣାରେ ଗୋତମୁଣ୍ଡା ଗ୍ରାମର ପରିବା ବିକାଳୀ ମହେନ୍ଦ୍ର ପଟେଲ ଗୁରୁତର ଆହତ ହୋଇ ଭବାନୀପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଏହି ଘଟଣାରେ ପରିବାର ଓ ସମ୍ପର୍କୀୟମାନେ ଶନିବାର ସନ୍ଧ୍ୟାରେ ବସ ଫେରିବା ବେଳେ ବିଜୁ ଏକ୍ସପ୍ରେସୱେର ଗୋତମୁଣ୍ଡା ଛକରେ ଅଟକ ରଖି ଗୁରୁତର ମହେନ୍ଦ୍ରଙ୍କ ଉପଯୁକ୍ତ ଚିକିତ୍ସା ସହାୟତା ଦାବି ରଖିଛନ୍ତି। ସନ୍ଧ୍ୟା ୭ଟା ସମୟରୁ ବସ ଅଟକ ରହିଥିବାବେଳେ ଖବର ପାଇ ଆମପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ବୁଝାସୁଝା କରିଥିଲେ । ସେମାନେ ନିଜ ଜିଦ୍ ରେ ଅଟଳ ରହିଛନ୍ତି। ଘଟଣାସ୍ଥଳରେ କୋକସରା ତହସିଲଦାର ପହଞ୍ଚି ରାସ୍ତା ଅବରୋଧ କରିଥିବା ପରିଜନ ଓ ଗ୍ରାମବାସୀ ଙ୍କ ସହ ବୁଝାସୁଝା ଜାରି ରଖିଛନ୍ତି।