ମାଲକାନଗିରି, ୬/୬ : ଡଙ୍ଗା ବୁଡ଼ି ଜଣେ ନିଖୋଜ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଓରାପଦର ଘାଟରେ । ବାଲିମେଳା ଜଳ ଭଣ୍ଡାର ନଦୀରେ ଏକ ଦେଶୀ ଡଙ୍ଗାରେ ନଦୀ ପାର ହେଉଥିବାବେଳେ କାଳବୈଶାଖୀ ବର୍ଷା ପବନ ହୋଇଥିଲା । ଫଳରେ ଡଙ୍ଗାଟି ବୁଡ଼ି ଯିବାରୁ ଡଙ୍ଗାରେ ଥିବା ଶାଙ୍କା ପଲାସି ନାମକ ଜଣେ ବ୍ୟକ୍ତି ଜଳ ଭଣ୍ଡାରରେ ବୁଡ଼ି ଯାଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ନେଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଅନନ୍ତ ଶିଶା ସୂଚନା ଦେଇଛନ୍ତି।
କୌଣସି ଉଦ୍ଧାର କାରି ଦଳ ଆଜି ସନ୍ଦ୍ୟା ସୁଦ୍ଧା ପହଞ୍ଚି ନ ଥିବାବେଳେ ନିଖୋଜ ବ୍ୟକ୍ତି ଜଣକ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନ ବାଟାଗୁଡ଼ା ଗ୍ରାମର ଶୁକ୍ରା ପଲାସିଙ୍କ ପୁଅ ବୋଲି ଜଣାପଡ଼ିଛି । କୌଣସି କାର୍ଯ୍ୟ ନିମନ୍ତେ ଓରାପଦର ଗ୍ରାମକୁ ଯାଇଥିଲେ ଏବଂ କାମ ସାରି ଫେରୁଥିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ଦୀର୍ଘ ଦିନ ହେବ ଓରାପଦର ଘାଟରେ ଏକ ସ୍ଥାୟୀ ପୋଲ ନିର୍ମାଣ କରାଯିବା ଲାଗି ଦାବି କରିଆସୁଥିବାବେଳେ ଏ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ବାରମ୍ବାର ଡଙ୍ଗା ବୁଡ଼ି ଅନେକ ଧନ ଜୀବନ ହାନୀ ଘଟୁଥିବାର ସମାଜ ସେବୀ ଅନନ୍ତ ଶିଶା ସୂଚନା ଦେଇଛନ୍ତି।