ଫିରିଙ୍ଗିଆ,୨୧/୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ କିଛି ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କ ଠାରୁ ହୋଇଥିବା ମୋବାଇଲ ଚୋରି ହୋଇଥିଲା। ଘଟଣାରେ ସମ୍ପୃକ୍ତ ଚୋରକୁ ୨୪ ଘଣ୍ଟା ମଧ୍ୟରେ ଧରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଧୀନ ତିଳକପଡା ଗାଁର ଅନିଲ ବେହେରା।
ଶୁକ୍ରବାର ଭୋରୁ ମେଡିକାଲ ଭିତରକୁ ପଶି ମେଡିକାଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ଶୋଇପଡ଼ିଥିବାର ସୁଯୋଗ ନେଇ ପ୍ରାୟ ତିନି ରୁ ଚାରିଟା ମୋବାଇଲ ଚୋରି କରି ଫେରାର ହୋଇଯାଇଥିଲା । ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଚୋରିର ଶିକାର ହୋଇଥିବା ରୋଗୀଙ୍କ ସମ୍ପର୍କୀୟମାନେ ଘଟଣା ସମ୍ପର୍କରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁଙ୍କ ନିର୍ଦେଶ କ୍ରମେ ଚୋରକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମରେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ମୁଖ୍ୟ ଦାୟିତ୍ୱ ନେଉଥିବା ବେଳେ ତାଙ୍କ ସାଙ୍ଗରେ ଏସଆଇ ଦିବ୍ୟଜ୍ୟୋତି ସାମଲ ଓ ମହିଳା ଏଏସଆଇ ମଞ୍ଜୁ ବେହେରା ତାଙ୍କୁ ସହଯୋଗ କରିଥିଲେ। ତେବେ ସିସି ଟିଭି ଫୁଟେଜ ଆଧାରରେ ଚୋରକୁ ଚିହ୍ନଟ କରିବା ପରେ ଚୋରି ମୋବାଇଲକୁ ଟ୍ରାକ କରିଥିଲେ। ଗତ କାଲି ବିଳମ୍ବିତ ରାତିରେ ସମ୍ପୃକ୍ତ ଚୋରକୁ ନିଜ ଘର ତିଳକପଡାରୁ ଗିରଫ କରିବାରେ ସଫଳ ହୋଇଥିଲା ତେବେ ସମ୍ପୃକ୍ତ ଚୋର ପାଖରୁ ତିନୋଟି ମୋବାଇଲ କୁ ପୋଲିସ ଜବତ କରିଥିବା ବେଳେ ଶନିବାର ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ମୁରଲୀଧର ସାହୁ। ସେପଟେ ଅଭିଯୁକ୍ତ ଜଣକ ନାରେ ଜିଲ୍ଲାର ଅନେକ ଥାନାରେ ଏଭଳି ମୋବାଇଲ ଚୋରି ଅଭିଯୋଗ ସହ ବିଭିନ୍ନ ଅପରାଧିକ ମାମଲା ରହିଥିବା ତଦନ୍ତ ରୁ ଜଣାପଡ଼ିଛି।