ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌କୁ ମିଳିତ ସଂସଦୀୟ ସମିତି (ଜେପିସି)କୁ ପଠାଇ ଦିଆଯାଇଛି । ଲୋକସଭା ବାଚସ୍ପତି ଏବେ ଜେପିସି ଗଠନ କରିବେ । ଏହାରି ମଧ୍ୟରେ କଂଗ୍ରେସ ଜେପିସି ଲାଗି ନିଜର ୪ ସାଂସଦଙ୍କ ନାଁ ଚୂଡ଼ାନ୍ତ କରିଥିବା କୁହାଯାଉଛି । ଏହି ନାମ ତାଲିକାକୁ ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଯିବ । ତେବେ ରାଜ୍ୟସଭା ଏବଂ ଲୋକସଭା ସଦସ୍ୟଙ୍କୁ ନେଇ ମିଳିତ ସଂସଦୀୟ ସମିତି ଗଠନ ହେବ । ଏହି ସମିତି କୌଣସି ବିଧେୟକ ଉପରେ ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବ ଏବଂ ଏହାକୁ ସରକାରଙ୍କ ନିକଟକୁ ପଠାଯିବ । 

ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ପକ୍ଷରୁ ମନୀଷ ତିଓ୍ବାରୀ, ପ୍ରିୟଙ୍କା ଗାନ୍ଧୀ, ସୁଖଦେବ ଭଗତ ଏବଂ ରଣଦୀପ ସୁର୍ଜେଓ୍ବାଲାଙ୍କ ନାଁ ଜେପିସି ଲାଗି ସୁପାରିଶ କରାଯିବ । ଓ୍ବାନ ନେସନ୍‌, ଓ୍ବାନ ଇଲେକ୍ସନ୍‌ ଉପରେ କଂଗ୍ରେସର ଏହି ୪ ସାଂସଦ ଜେପିସିରେ ନିଜ ଦଳର ଆଭିମୁଖ୍ୟ ରଖିବେ। ମନୀଷ ତିଓ୍ବାରୀ ଏବଂ ରଣଦୀପ ସୂର୍ଯେଓ୍ବାଲା ଓକିଲ ହୋଇଥିବା ବେଳେ ସୁଖଦେବ ଭଗତଙ୍କୁ ଆଦିବାସୀ ନେତା ଭାବେ ଜଣାଯାଏ । ସେହିଭଳି ପ୍ରିୟଙ୍କା ଗାନ୍ଧୀ ମହିଳାଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିବେ । 

ଇଣ୍ଡି ମେଣ୍ଟରୁ ଏହି ସବୁ ନେତାଙ୍କୁ ମିଳିବ ସୁଯୋଗ !

ଇଣ୍ଡି ମେଣ୍ଟରେ ଡିଏମକେ ସାମିଲ ଅଛି । ଡିଏମକେ ପକ୍ଷରୁ ରାଜ୍ୟସଭା ସାଂସଦ ପି.ଓ୍ବିଲସନ୍‌ ଜେପିସିରେ ସାମିଲ ହୋଇପାରନ୍ତି । ଓ୍ବିଲସନ୍‌ ଜଣେ ବିଶିଷ୍ଟ ଓକିଲ ହୋଇଥିବା ବେଳେ ତାଙ୍କର ଲୋକପ୍ରିୟତା ରହିଛି । ଓ୍ବିଲସନଙ୍କ ବ୍ୟତୀତ ଡିଏମକେ ସାଂସଦ ଟି.ସେଲ୍ବାଗେଥିଙ୍କ ନାଁ ମଧ୍ୟ ଜେପିସି ଲାଗି ସୁପାରିଶ କରିପାରେ । ସମାଜବାଦୀ ପାର୍ଟିରୁ ଧର୍ମେନ୍ଦ୍ର ଯାଦବ କମିଟିରେ ସାମିଲ ହୋଇପାରନ୍ତି । ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ କଲ୍ୟାଣ ବାନାର୍ଜୀ ଏବଂ ସାକେତ ଗୋଖଲେ ଜେପିସିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  

ଜେପିସିରେ କେତେ ଜଣ ସଦସ୍ୟ ରହିବେ ?

ଜେପିସିରେ କେତେ ଜଣ ସଦସ୍ୟ ରହିବେ, ଏହି ନିଷ୍ପତ୍ତି ଲୋକସଭା ବାଚସ୍ପତି ନେବେ । କମିଟିରେ ରାଜ୍ୟସଭା ଏବଂ ଲୋକସଭାର ସାଂସଦଙ୍କୁ ସାମିଲ କରାଯିବ । ରାଜ୍ୟସଭା ସଦସ୍ୟଙ୍କ ତୁଳନାରେ କମିଟିରେ ଲୋକସଭାର ଦୁଇଗୁଣ ସାଂସଦ ରହିବେ । ଜେପିସିର ରିପୋର୍ଟ ଆଧାରରେ ସରକାର ସଂଶୋଧିତ ବିଲକୁ ସଂସଦରେ ଉପସ୍ଥାପନ କରିବେ । ଏଥିପାଇଁ ବିଶେଷ ବହୁମତର ଆବଶ୍ୟକତା ରହିଛି ।